ନବୀନଙ୍କ ପ୍ଲାଟଫର୍ମରେ ମୋହନଙ୍କ କାର୍ଯ୍ୟକ୍ରମ । ହଁ ଆଜ୍ଞା ପୂର୍ବର ସରକାରଙ୍କ ଯୋଜନାର ରଙ୍ଗ ଓ ନାମକୁ ପରିବର୍ତ୍ତନ କରି ନିଜେ ବାଃ ବାଃ ନେବାରେ ବ୍ୟସ୍ତ ଭାରତୀୟ ଜନତା ପାର୍ଟି ସରକାର । ପୂର୍ବ ସରକାରଙ୍କ ପ୍ରତିଟି ଯୋଜନାକୁ କିଭଳି ଭାବେ ନିଜର କରି ରଙ୍ଗ ଓ ନାମ ପରିବର୍ତ୍ତନ କରୁଛନ୍ତି ବର୍ତ୍ତମାନର ସରକାର ତାହା ତ ଆପଣମାନଙ୍କୁ ଭଲଭାବେ ଜଣା । ସେହିପରି ନିକଟରେ ଅନୁଷ୍ଠିତ ହୋଇଯାଇଛି ଉତ୍କର୍ଷ ଓଡିଶା କନକ୍ଲେଭ 2025 । ଓଡିଶାରେ ପୁଞ୍ଜି ନିବେଶ ପାଇଁ ପ୍ରଥମ ଉଦ୍ୟମ କରିଛନ୍ତି ମୋହନ ସରକାର । ତେବେ ଓଡିଶାରେ ନିବେଶ ପାଇଁ ପୂର୍ବ ସରକାର ମେକ ଇନ ଓଡିଶା କାର୍ଯ୍ୟକ୍ରମ କରୁଥିଲେ । କିନ୍ତୁ ମୋହନ ସରକାର ଏହାର ନାମ ପରିବର୍ତ୍ତନ କରି ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯାହାକୁ କଟାକ୍ଷ କରିଛି ବିଜେଡି । ବିଜେଡି କହିଛି ନାମ ପରିବର୍ତ୍ତନ କରିଦେଲେ ନିବେଶ ଆସିବ ନାହିଁ । ନବୀନଙ୍କ ସରକାର ସମୟରେ ପ୍ରାଥମିକ ପ୍ରକଳ୍ପ ରିପୋର୍ଟ କରାଯାଇ ପ୍ରୋତ୍ସାହନ ବଢାଯାଇଥିଲା । ଯେଉଁଥିପାଇଁ ତିନୋଟି ମେକଇନ ଓଡିଶା କାର୍ଯ୍ୟକ୍ରମରେ 16 ଲକ୍ଷ ଟଙ୍କାର ନିବେଶ ହୋଇପାରିଥିଲା
କେବଳ ସେତିକି ନୁହେଁ ବରଂ ନବୀନ ସରକାର ସମୟର ମେକ୍ ଇନ୍ ଓଡ଼ିଶାରୁ ରସାୟନ, ପେଟ୍ରୋ କେମିକାଲସ୍,ପ୍ଲାଷ୍ଟିକସ୍, ଟେକ୍ସଟାଇଲସ୍, ଆପାରେଲ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି, ଇଲେକ୍ଟ୍ରୋନିକସ୍ ମ୍ୟାନୁଫ୍ୟାକଚରିଂ ଓ ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ଆସିଥିଲା । ଷ୍ଟାର୍ଟଅପ୍ ଓ ଉଦ୍ୟୋଗୀ ସୃଷ୍ଟି କରିବା ଲକ୍ଷ୍ୟରେ ସଫଳତା ହାସଲ କରିଥିଲା ନବୀନ ପଟ୍ଟନାୟକଙ୍କ ମେକ୍ ଇନ୍ ଓଡ଼ିଶା । ଗତ ୭ ମାସରେ ରାଜ୍ୟରେ ବିଗିଡ଼ିଥିବା ଆଇନ ଶୃଙ୍ଖଳା ଯୋଗୁଁ ଶିଳ୍ପ ସଂସ୍ଥା ଗୁଡ଼ିକ ଓଡ଼ିଶାରେ ନିବେଶ ପାଇଁ ଭୟ କରୁଥିବା ଅଭିଯୋଗ କରିଛି ବିଜେଡି । ପ୍ରଶାସନିକ ଓ ବିଜେପି ଚାପରେ ସେମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି । ଆଗାମୀ ୫ ବର୍ଷରେ ପରିବେଶ ନଷ୍ଟ ହୋଇ ଶିଳ୍ପ ଧ୍ବଂସର ଆଶଙ୍କା କରିଛି ବିଜେଡି । ତେବେ ଉତ୍କର୍ଷ ଓଡିଶାରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ମୋହନଙ୍କ ସରକାର, ଏ ଦିଗରେ କେତେ ସଫଳ ହୋଇପାରୁଛି ତାହା ଦେଖିବାକୁ ଅପେକ୍ଷା ।