ନିମନ୍ତ୍ରଣ କରି ଭୁଲିଗଲେ ଯୋଗୀ । ନିଜ ପରିବାର ସହ ଏକା ଏକା ପ୍ରୟାଗରାଜ ବୁଲିଲେ ମୋହନ । ହଁ ଆଜ୍ଞା, ନିକଟରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭମେଳାକୁ ବୁଡ ପକାଇବା ନିମନ୍ତେ ୩ ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ହୋଇଥିବା ନିମନ୍ତ୍ରଣ କ୍ରମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଫେବୃଆରୀ ୨୩ ତାରିଖରେ ୩ ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯାଇଥିଲେ । ଏବଂ ପ୍ରୟାଗରାଜର ପବିତ୍ର ତ୍ରୀବେଣୀ ସଙ୍ଗମରେ ବୁଡ ପକାଇଥିଲେ । କିନ୍ତୁ ଏହି ସମୟରେ ନା ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୋହନଙ୍କ ସହିତ ରହିଥିଲେ ନା ତାଙ୍କୁ ଏୟାରପୋର୍ଟରୁ ସ୍ୱାଗତ ନିମନ୍ତେ ଯାଇଥିବା ଦେଖିବାକୁ ମିଳିଥିଲା । ଫଳରେ ନିଜ ପରିବାର ସହ ଯାଇ ମୋହନ ପ୍ରୟାଗ ରାଜରେ ଏକା ଏକା ବୁଡ ପକାଇଥିବା ଦେଖିବାକୁ ମିଳିଥିଲା ।
ତେବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଯୋଗୀ ସରକାରଙ୍କ ପକ୍ଷରୁ ବଡ ବଡ ନେତା ତଥା ବ୍ୟକ୍ତିବିଶେଷଙ୍କୁ ପ୍ରୟାଗରାଜରେ ବୁଡ ପକାଇବା ନିମନ୍ତେ ନିମନ୍ତ୍ରଣ ରହିଥିଲା । ଦୁଇ ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମଧ୍ୟ ଏହି ନିମନ୍ତ୍ରଣ ଆସିଥିଲା । ଯୋଗୀ ସରକାରଙ୍କ ପକ୍ଷରୁ ଦୁଇ ମନ୍ତ୍ରୀ ଆସି ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ । କିନ୍ତୁ ମୋହନ ସେଠାରେ ପହଁଞ୍ଚିବା ପରେ ଅନ୍ୟ ନେତାଙ୍କୁ ଯୋଗୀ ସ୍ୱାଗତ କଲା ଭଳି ମୋହନଙ୍କୁ କିନ୍ତୁ ସ୍ୱାଗତ କରିନଥିଲେ । କିନ୍ତୁ ଦଳର ହାଇକମାଣ୍ଡ ଏବଂ ଶୀର୍ଷ ନେତୃତ୍ୱଙ୍କୁ ଯୋଗୀ ଆଦିତ୍ୟନାଥ ସ୍ୱାଗତ କରିବାଠାରୁ ଆରମ୍ଭ କରି ତାଙ୍କ ସହିତ ବୁଡ ପକାଇ ମହାକୁମ୍ଭମେଳାର ମଜା ନେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି । ହେଲେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କେବଳ ନିମନ୍ତ୍ରଣ କରି ଅଟକିଯାଇଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ତେବେ କେବଳ ଯେ. ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ପରିବାର ସହ ଯାଇ ପ୍ରୟାଗରାଜରେ ବୁଡ ପକାଇଛନ୍ତି ତାହା ନୁହେଁ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ କ୍ଷେତ୍ରରେ ମଧ୍ୟ ସମାନ ଦୃଶ୍ୟ ସାମ୍ନାକୁ ଆସିଛି । ସେ ମଧ୍ୟ ନିଜ ପରିବାର ସହ ଯାଇ ବୁଡ ପକାଇଥିବା ନଜର ଆସିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩ ଦିନିଆ ୟୁପି ଗସ୍ତରେ ଯାଇଥିବା ବେଳେ ରାମଲାଲାଙ୍କ ଦର୍ଶନ କରି ପୁଣି ଥରେ ଭୁବନେଶ୍ୱର ରିଟର୍ଣ୍ଣ କରିଥିବା ସୂଚନା ମିଳିଛି ।