ପୁଣି ବିଜେଡି ଫେରିବେ କି ଭେଟେରାନ ନେତା ସମୀର ରଞ୍ଜନ ଦାସ ? ସୁଧାଂଶୁଙ୍କ ପରେ ଲାଇନରେ ଅଛନ୍ତି କି ସମୀର? ହଁ ଆଜ୍ଞା, ବିଜେଡିର ଏବେ ଘର ସଜଡା ଅଭିଯାନ ଚାଲିଥିବା ବେଳେ ଏହି ଅଭିଯାନରେ ସୁଧାଂଶୁଙ୍କ ପରେ ଆଉ କିଏ କିଏ ସାମିଲ ହେବେ ସେନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି । ଯେଉଁଥିରେ ପୂର୍ବତନ ବିଧାୟକ ସମୀର ଦାସଙ୍କ ନାଁ ଆଗରେ ରହିଛି । ସମୀର ବର୍ତମାନ ବିଜେପି ଶିବିରରେ ଅଛନ୍ତି ସତ କିନ୍ତୁ ବିଜେପିରେ ତାଙ୍କର ଭବିଷ୍ୟତ ଅଧିକ ଦିନ ନଥିବା ରାଜନୈତିକ ମହଲରେ ପୂର୍ବରୁ ଚର୍ଚ୍ଚା ହେଉଥିଲା । ସମୀର ଟିକେଟ କଟିବା ରାଗରେ ବିଜେଡି ସହ ସମ୍ପର୍କ ଛିନ୍ନ କରି ବିଜେପି ଶିବିରକୁ ଯାଇଥିଲେ । କିନ୍ତୁ ନା ବିଜେପିରେ ତାଙ୍କୁ ଟିକେଟ ମିଳିଲା ନା ଦଳରେ ପ୍ରାଧାନ୍ୟ । ଫଳରେ ୩ ୩ ଥରର ବିଧାୟକ ଏବଂ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ସମୀର ଦାସ ଦଳରେ କୋଣଠେସା ହେବା ସହିତ କେବଳ ଜଣେ ସାଧାରଣ ବିଜେପି କର୍ମୀ ଭାବେ ଏବେ ପରିଗଣିତ ହେଉଛନ୍ତି ।
ଅନ୍ୟପଟେ ବିଜେଡି ଏବେ ବିଜେପି ତୁଳନାରେ ଲୋକଙ୍କ ପସନ୍ଦ ସାଜିଛି । ମାତ୍ର ୭ ମାସରେ ସାଧାରଣ ଲୋକଙ୍କ ଆଶା ବିଶ୍ୱାସ ବିଜେପି ହରାଉଥିବାରୁ ବିଜେଡିକୁ ଲୋକେ ଝୁରି ହେଉଛନ୍ତିା ଖାସ କରି ପୂବତନ ମୁଖ୍ୟମନ୍ତ୍ରୀଙ୍କ ସୁବିଧା ସୁଯୋଗକୁ ମନେ ପକାଉଛନ୍ତି । ଆଉ ଏସବୁକୁ ଦେଖି ବିଜେଡି ଆଡକୁ ନେତାଙ୍କ ମନ ଢଳୁଥିବା ନିକଟରେ ବିଜେଡିର ମିଶ୍ରଣ ପର୍ବରୁ ସ୍ପଷ୍ଟ ହୋଇପଡିଛି । କିପରି ୭ ମାସରେ ନିଜ ଅଞ୍ଚଳର ବିକାଶରେ କୌଣସି ଉନ୍ନତି ନହେବାରୁ ବିଜେଡି ଛାଡି ଯାଇଥିବା ସରପଞ୍ଚ ଏବଂ ସମିତି ସଭ୍ୟ ପୁଣି ବିଜେଡି ଶିବିରକୁ ଏଣ୍ଟରି କରିଥିଲେ । ତେବେ କେବଳ ଏତିକି ନୁହେଁ ବିଜେଡିରେ ଏବେ ବରିଷ୍ଠ ନେତାଙ୍କୁ କୋଣଠେସା କମ୍ ଦଳରେ ପ୍ରାଧାନ୍ୟ ବେଶି ଦିଆଯାଉଛି । ତେଣୁ ଏସବୁକୁ ଦେଖି ସମୀରଙ୍କ ମନ ପରିବର୍ତନ ହେବାର ଆଶଙ୍କା କରାଯାଉଛି ।
ତେବେ ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ପରିଡାଙ୍କୁ ୨୦୨୩ରେ ନିଲମ୍ବନ କରାଯାଇଥିବା ବେଳେ ଏବେ ତାଙ୍କୁ ପୁଣି ଥରେ ଦଳରେ ମିଶାଇଛନ୍ତି ବିଜେଡି ସୁପ୍ରିମୋ । ତେଣୁ ସଙ୍ଗଠନକୁ ଆହୁରି ମଜବୁତ କରିବା ପାଇଁ ସୁଧାଂଶୁଙ୍କ ପରେ ପରେ ଅନ୍ୟ ନେତାଙ୍କ ସନ୍ଧାନରେ ଦଳ ରହିଥିବା ଏବଂ ଅନ୍ୟ ନେତାଙ୍କ ପାଳି ପଡିପାରେ ବୋଲି ସେ ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ତେବେ ଦେଖାଯାଉ ଏହି ଲାଇନରେ ସମୀର ଦାସଙ୍କ ପାଳି କେବେ ପଡୁଛି ନା ସମୀର ବିଜେପିରେ ହିଁ ତିଷ୍ଠି ରହୁଛନ୍ତି ତାହା ଦେଖିବାର କଥା ।