ରାଜ୍ୟ ବିଜେପିକୁ ଘାରିଛି ଦିଲ୍ଲୀ ନେତାଙ୍କ ନିଶା । ଦିଲ୍ଲୀ ନେତାଙ୍କୁ ଦେଖିଲେ ଓଡିଶା ନେତାଙ୍କୁ ଭୁଲିଯାଉଛନ୍ତି ବିଜେପି ନେତା । ହଁ ଆଜ୍ଞା, ରାଜ୍ୟରେ ଏବେ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତକୁ ନେଇ ସବୁଆଡେ ଚର୍ଚ୍ଚା ଚାଲିଛି । ଚୋରୀ ଡକାୟତି ବଢୁଥିବା ବେଳେ ନେତା ବି ଏଥିରୁ ବାଦ୍ ପଡୁନାହାନ୍ତି । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହାକୁ ନେଇ ଉଦବେଗ ପ୍ରକାଶ କରିବା ସହ ଆଇନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ଘଟଣା ତାଙ୍କୁ ବିଚଳିତ କରିଥିବା ଉଲ୍ଲେଖ କରିଛନ୍ତି ନବୀନ । ଏହା ସହ ସହଦେବ ନାୟକଙ୍କ କଥା ଉଠାଇବା ସହ ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବା ନେଇ ନବୀନ ବିଜେପି ସରକାରଙ୍କୁ ଚେତାଇ ଦେଇଥିବା ଏହି ପୋଷ୍ଟରୁ ବାରି ହୋଇପଡୁଛି ।
ତେବେ ନିକଟରେ କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟାନୟକଙ୍କ ଘରୁ ଚୋରୀ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଚାରିଆଡୁ ଉଦବେଗ ପ୍ରକାଶ ପାଇଥିଲା । ଏପରିକି ଖୋଦ ମୁଖ୍ୟମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସହ ଏ ସମ୍ପର୍କରେ କଥା ହୋଇଥିବା ସୂଚନା ରହିଛି । କିନ୍ତୁ ଏତେ ସବୁ ପରେ ବି ପୁଣି ଥରେ ନିରଞ୍ଜନଙ୍କ ଘରୁ ଚୋରୀ ଉଦ୍ୟମ ହୋଇଥିବା ଖବର ସାମ୍ନାକୁ ଆସିଛି । ଆଉ ଏଥିରୁ ଆଇନ ବ୍ୟବସ୍ଥା ଢିଲା ହୋଇଥିବା ଏବଂ ବିଜେପି କେବଳ ଲୋକ ଦେଖାଣିଆ ପାଇଁ ନିରଞ୍ଜନଙ୍କୁ ସାନ୍ତ୍ୱନା ଦେଇଥିବା ଚର୍ଚ୍ଚା ଚାଲିଛି । କାହିଁକି ନା ଯଦି ସରକାର ଏହି ଘଟଣାକୁ ଗୁରୁତର ସହ ନେଇଥାନ୍ତେ , ତେବେ ଚୋର ପୁଣି ଥରେ ଚୋରୀ କରିବାକୁ ଆସିନଥାନ୍ତି ବୋଲି ବିିରୋଧୀଙ୍କ ମହଲରେ ମତପ୍ରକାଶ ପାଉଛି ।
ଅନ୍ୟପଟେ ଯେଉଁଠି ନେତା ସୁରକ୍ଷିତ ନାହାନ୍ତି ସେଠି ସାଧାରଣ ଲୋକଙ୍କ ଅବସ୍ଥା କଣ ହେଉଥିବ ତାହା ତ ଆପଣ ବୁଝି ପାରୁଥିବେ । କିନ୍ତୁ ଲୋକଙ୍କ ସରକାରକୁ ଏଥିରୁ କିଛି ବି ଫରକ ପଡୁନି । କାରଣ ବିଜେପିକୁ ତ କେବଳ ଦିଲ୍ଲୀ ନେତାଙ୍କ ଚିନ୍ତା ଘାରିଛି । ବାରମ୍ବାର ଓଡିଶା ଗସ୍ତରେ ଦିଲ୍ଲୀ ନେତା ଆସୁଥିବା ବେଳେ ସବୁକିଛି ଛାଡି ସେମାନଙ୍କୁ ସ୍ୱାଗତ କରିବାରେ ବ୍ୟସ୍ତ ରହୁଛନ୍ତି ରାଜ୍ୟ ବିଜେପି ନେତା । ଯାହାକୁ ସାଧାରଣରେ ଆଦୌ ଗ୍ରହଣ କରାଯାଉନାହିଁ ।