ସାଧାରଣ ନିର୍ବାଚନକୁ ଆଉ ଅଳ୍ପ କେଇ ଦିନ ବାକି ରହିଲା । ଶାସକଦଳ ବିଭିନ୍ନ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କଲାଣି । ଏହାରି ମଧ୍ୟରେ ଫୁଲବାଣୀ ନିର୍ବାଚନମଣ୍ଡଳୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଫୁଲବାଣୀ ବିଧାନସଭା କ୍ଷେତ୍ରରେ ଗତ ୫ ଟି ନିର୍ବାଚନରେ ବିଜେଡି ପ୍ରତିଥର ପ୍ରାର୍ଥୀ ପରିବର୍ତ୍ତନ କରିଛି । କୌଣସି ପ୍ରାର୍ଥୀଙ୍କୁ ଦ୍ୱିତୀୟ ସୁଯୋଗ ଦେଇନି ଦଳ । ଏପରିକି ଶେଷ ମୂହୂର୍ତ୍ତେ ପ୍ରାର୍ଥୀଙ୍କ ନାଁ ବଦଳାଇ ବିରୋଧୀଙ୍କୁ ଚକମା ଦେଇଛି ବିଜେଡି । ତେବେ ସବୁବେଳେ ନୂଆ ମୁହଁ ସନ୍ଧାନରେ ରହିଥିବା ବିଜେଡି ଏଥର ବି ସମାନ ଗୋଟି ଚଳାଇବ ବୋଲି ଆକଳନ କରାଯାଉଛି ।
ଫୁଲବାଣୀ ନିର୍ବାଚନ ମଣ୍ଡଳୀରେ ୨୦୦୦ ମସିହାରୁ ଲଗାତାର ବିଜୟର ମୁକୁଟ ପିନ୍ଧିଆସୁଥିବା ବିଜେଡିକୁ ୨୪ ନିର୍ବାଚନରେ ଟକ୍କର ଦେବା ବିରୋଧୀଙ୍କ ପାଇଁ କାଠିକର ପାଠ ହୋଇପାରେ ବୋଲି ବିଚାର କରାଯାଉଛି । ଏଥିପାଇଁ ଶାସକ ଦଳର ଆଶାୟୀ ତାଲିକା ଫୁଲବାଣୀ ନିବାଚନମଣ୍ଡଳୀ ପାଇଁ ଲମ୍ବିବାରେ ଲାଗିଛି । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଲବିକୁ ଓହ୍ଲାଇ ସାରିଛନ୍ତି ବହୁ ଆଶାୟୀ । ତେବେ ଏମାନଙ୍କ ଭିତରେ ଆଉ ଏକ ନୂଆ ନାଁ ଫୁଲବାଣୀର ରାଜନୈତିକ ପାଣିପାଗକୁ ଆହୁରି ସରଗରମ କରିଦେଇଛି । ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଏମସି ଡେପ୍ୟୁଟି ମେୟର ମଞ୍ଜୁଲତା କହଁରକୁ ବିଜେଡି ପ୍ରାର୍ଥୀ କରିବ ବୋଲି ଅଙ୍କକଷା ଚାଲିଛି ।
ମଞ୍ଜୁୁଲତାଙ୍କ ନିଜ ଘର ଫୁଲବାଣୀ ହୋଇଥିବାରୁ ନିର୍ବାଚନ ପୂର୍ବରୁ ଗତ କିିଛି ଦିନ ହେବ ସେ ଫୁଲବାଣୀ ଗସ୍ତ କରୁଛନ୍ତିା ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ମଧ୍ୟ ଦେଉଛନ୍ତି । ଯାହାକୁ ନେଇ ରାଜନୀତିରେ ନାନା କଳ୍ପନାଜଳ୍ପନା ମଧ୍ୟ ଚାଲିଛି । ଅନ୍ୟପଟେ ଫୁଲବାଣୀର ଏକମାତ୍ର ମହିଳା ବିଧାୟିକା ଭାବେ ବିଷ୍ଣୁପ୍ରିୟା ବେହେରା ସୁଯୋଗ ପାଇଛନ୍ତି । ଅନ୍ୟ କେହି ନା ବିଧାୟକ ହୋଇଛନ୍ତି ନା ଦଳୀୟ ଟିକେଟ୍ ପାଇଛନ୍ତି । ଏହି ଦୃଷ୍ଟିରୁ ଏଥର ବି ଫୁଲବାଣୀରେ ବିଜେଡି ମହିଳା କାର୍ଡ ଖେଳିବ ବୋଲି ଆଲୋଚନା ହେଉଛି । ଯାହା ମଞ୍ଜୁଲତାଙ୍କ ପାଇଁ ସମ୍ଭାବନାକୁ ଆହୁରି ମଜବୁତ କରିଦେଇଛି । ତେବେ ନିର୍ବାଚନ ପୂର୍ବରୁ ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖାଯାଉଥିବାରୁ ଫୁଲବାଣୀ ପାଇଁ ଏଥର ବି ଦଳ ମହିଳା ପ୍ରାର୍ଥୀ ଦେବ ନାଁ ଲାଇନରେ ଥିବା ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ୍ ଦେବ ତାହା ଦେଖିବାକୁ ବାକି ରହିଲା ।