ମୋଦିଙ୍କୁ ଘାରିଛି କି ନୀତୀଶଙ୍କ ଭୟ ? କାହିଁକି ପୂର୍ଣ୍ଣାଙ୍ଗ ବଜେଟରେ ବିହାର ପାଇଁ ଅଣ୍ଟି ଝାଡିଦେଲେ ମୋଦି ? ହଁ ଆଜ୍ଞା, ସାଧାରଣ ନିର୍ବାଚନ ପରେ ଦେଶର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ସଂସଦରେ ବଜେଟ ଉପସ୍ଥାପନ କରିଥିଲେ । କିନ୍ତୁ ଏହି ବଜେଟରେ ବି ଓଡିଶାକୁ ଭୁଲିଯାଇଛି ବିଜେପି ସରକାର । ପୂର୍ବରୁ ଅନ୍ତରୀଣ ବଜେଟ୍ ଆନ୍ଧ୍ରର ଥିବା ବେଳେ ଏଥରର ପୂର୍ଣ୍ଣାଙ୍ଗ ବଜେଟ ବିହାରର । ବିହାର ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ପାଇଁ ବଜେଟର ସିଂହ ଭାଗ ମୋଦି ସରକାର ଦେଇଥିବା ସୂଚନା ରହିଛି । ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ବିହାର ପାଇଁ ଅଣ୍ଟି ଝାଡ଼ି ଦେଇଛନ୍ତି ମୋଦି ସରକାର । କିନ୍ତୁ ଓଡିଶାକୁ ସେପରି ଆଖି ଦୃଶିଆ କିଛି ବି ମିଳିନି । ଯାହାକୁ ନେଇ ମୋଦି ଓଡିଶା ସହ ପାତର ଅନ୍ତର କରୁଥିବା ସ୍ପଷ୍ଟ ପ୍ରମାଣିତ ହେଉଛି ।
ତେବେ ଓଡିଶାରେ ଚଳିତ ଥର ଡବଲ ଇଞ୍ଜିନ ସରକାର ଆସିଛି । ତେଣୁ ଓଡିଶାବାସୀଙ୍କ ଆଶା ବି ଡବଲ ରହିଥିଲା । ପ୍ରାକ୍ ବଜେଟ ପରାମର୍ଶ ବୈଠକରେ ଓଡ଼ିଶା ପାଇଁ ୯ଟି ଦାବି ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଯେଉଁଥିରେ ଓଡ଼ିଶା ପାଇଁ ସ୍ବତନ୍ତ୍ର ଆର୍ଥିକ ଅନୁଦାନ ଭଳି ଗୁରୁତ୍ବପୂର୍ଣ୍ଣ ଦାବି ରହିଥିଲା। ହେଲେ ସଂସଦରେ ଅର୍ଥମନ୍ତ୍ରୀଙ୍କ ୧ ଘଣ୍ଟା ୧୭ ମିନିଟର ଲମ୍ବା ଭାଷଣ ସରିଗଲା। କିନ୍ତୁ ବଜେଟରେ ଓଡ଼ିଶା ପାଇଁ ସେଭଳି କିଛି ବି ସ୍ବତନ୍ତ୍ର ଘୋଷଣା କଲେନି ନିର୍ମଳା। ଯାହାକୁ ନେଇ ବିରୋଧୀଙ୍କ ସହ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଏବଂ ମୋହନ ସରକାରଙ୍କୁ ତୀବ୍ର ନିନ୍ଦା କରାଯାଉଛି । କିନ୍ତୁ ରାଜ୍ୟ ବିଜେପି ନେତାମାନେ ଓଲଟା ନିଜ ନିଜ ସୋସିଆଲ ମିଡିଆ ପେଜରେ ବଜେଟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦରେ ପୋତି ପକାଉଛନ୍ତି । ଆଉ ଏହାକୁ ସାଧାରଣରେ ଆଦୌ ଗ୍ରହଣ କରାଯାଉନାହିଁ ।
ଅନ୍ୟପଟେ ବିହାର ପାଇଁ ମୋଦି ଏପରି ହାତ ଖୋଲି ଦେବାକୁ ନେଇ ମଧ୍ୟ ଅନ୍ୟ କିଛି ଚର୍ଚ୍ଚା ଚାଲିଛି । କିଛି ଦିନ ପୂବରୁ ନୀତୀଶ ଏନଡିଏ ହାତ ଛାଡି ପୁଣି ଇଣ୍ଡି ମେଣ୍ଟ ମୁହାଁ ହେଉଥିବା ଚର୍ଚ୍ଚା ଚାଲିଥିଲା । ପଲଟୁରାମ ନିର୍ବାଚନ ପୂର୍ବରୁ ଦଳ ଡେଇଁ ପାରନ୍ତି ବୋଲି ଆଶଙ୍କା କରାଯାଉଥିଲା । ଆଉ ଏସବୁକୁ ଦୃଷ୍ଟିକୁ ନେଇ ମୋଦି ନୀତୀଶଙ୍କୁ ସନ୍ତୁଷ୍ଟି କରିବା ପାଇଁ ଏବଂ ତାଙ୍କୁ ଏନଡିଏ ସହିତ ଯୋଡି ରଖିବା ପାଇଁ ବଜେଟକୁ ମାଧ୍ୟମ କରିଥିବା ଅନେକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।