ନୂଆବର୍ଷରୁ ବଦଳିବ ଲିଙ୍ଗରାଜ ମନ୍ଦିରର ନିୟମ

ନୂଆବର୍ଷରୁ ବଦଳିବ ଲିଙ୍ଗରାଜ ମନ୍ଦିରର ନିୟମ

ନୂଆବର୍ଷରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଲାଗୁ ହେବ ନୂଆ ନିୟମ । ନିୟମ ଅନୁଯାୟୀ, ନୂଆବର୍ଷ ପ୍ରାରମ୍ଭରୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ କୋଠ ଭୋଗ ଶୁଦ୍ଧ ଘିଅ ବା ଓମଫେଡ ଘିଅରେ ପ୍ରସ୍ତୁତ କରାଯିବ । ଏହା ସହ ମହାପ୍ରଭୁଙ୍କ ସେବାୟତମାନଙ୍କୁ ପରିଚୟ ପତ୍ର ମଧ୍ୟ ପ୍ରଦାନ କରାଯିବ । ମନ୍ଦିର ପରିସରରେ ସେବାୟତଙ୍କ ସହ ଅଣସେବାୟତ ଉପସ୍ଥିତ ରହୁଥିବା ବେଳେ ସେବାୟତଙ୍କୁ ଚିହ୍ନଟ କରିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ଏଥିପାଇଁ ମନ୍ଦିରର ସମସ୍ତ ନିଯୋଗର ମୁଖ୍ୟଙ୍କୁ ସେବାୟତଙ୍କ ଏକ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି । ଏହାସହ ମନ୍ଦିରକୁ ପାନ, ଗୁଟଖା ସେବନକାରୀଙ୍କୁ ମନ୍ଦିର ଭିତରକୁ ପ୍ରବେଶ ନିଷେଦ୍ଧ କରିବା ସହିତ ମନ୍ଦିର ପରିସରରେ ପ୍ଲାଷ୍ଟିକ ଏବଂ ପଲିଥିନର ବ୍ୟବହାରକୁ ସମ୍ପୂଣ୍ଣ ବାରଣ କରାଯାଇଛି ।

ଏହି ନିୟମକୁ ନୂଆବର୍ଷରୁ କଡାକଡି ଭାବେ ପାଳନ କରାଯିବାକୁ ନିର୍ଦ୍ଦେଶ ରହିଛି । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ମନ୍ଦିରର ଜଣେ ସେବାୟତ । ଏହାସହ କେବଳ କୋଠ ଭୋଗ ନୁହେଁ ସମସ୍ତ ଭୋଗରେ ଶୁଦ୍ଧ ଘିଅର ବ୍ୟବହାର ପାଇଁ ସେବାୟତ ମାନେ ଦାବି କରିଛନ୍ତି । ଅନ୍ୟପଟେ ମାଦକ ଦ୍ରବ୍ୟ ଖାଇ ଅନେକ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି । କେଉଁଠି ପାନଛେପ ପଡୁଛି ତ କେଉଁଠି ଶ୍ରଦ୍ଧାଳୁଙ୍କୁ ଦୁବ୍ୟବହାର କରାଯାଉଛି । ଭକ୍ତମାନଙ୍କ ଧାର୍ମିକ ଭାବନା ଏବଂ ମନ୍ଦିରର ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଯାହାକୁ ନେଇ ଭକ୍ତମାନେ ବେଶ ଖୁସି ଥିବା ଦେଖିବାକୁ ମିଳିଛି ।


ପୂବରୁ ମଧ୍ୟ ଭକ୍ତଙ୍କ ସୁବିଧା ସହ ମନ୍ଦିରର ସୁରକ୍ଷା ପାଇଁ ଅନେକ ନିୟମ କାଯ୍ୟକାରୀ ହୋଇଛି । ଏବେ ଏହି ନୂଆ ନିୟମକୁ ମଧ୍ୟ ପାଳନ କରିବା ପାଇଁ ଉଭୟ ଭକ୍ତ ଏବଂ ସେବାୟତଙ୍କ ମନ ମିଶିଥିବା ଦେଖିବାକୁ ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *