ନୂଆ ସରକାରରେ ବି ଉଧେଇ ପାରିଲାନି ତଦନ୍ତ

ନୂଆ ସରକାରରେ ବି ଉଧେଇ ପାରିଲାନି ତଦନ୍ତ

ନୂଆ ସରକାରରେ ବି ଉଧେଇ ପାରିଲାନି ତଦନ୍ତ । ବିଜେଡି ସରକାରରେ ବହୁ ଚର୍ଚ୍ଚାରେ ରହିଥିଲା ବରିଷ୍ଠ ବିଜେଡି ନେତା ତଥା ତତ୍କାଳୀନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା ପ୍ରସଙ୍ଗ । ଦିନ ଦିପହରେ ଜଣେ ମନ୍ତ୍ରୀଙ୍କୁ ପୋଲିସ କର୍ମଚାରୀ ହତ୍ୟା କରିବାକୁ ନେଇ ସାରା ରାଜ୍ୟରେ ଚହଳ ପଡିଥିଲା । କିନ୍ତୁ ଆଜି ଯାଏଁ ନବ ଦାସଙ୍କ ହତ୍ୟା ପଛର ଉଦ୍ଦେଶ୍ୟ କଣ ଏବଂ ଗୋପାଳ ଦାସ ବାଦ୍ କିଏ କିଏ ଏହି ହତ୍ୟାରେ ଜଡିତ ଅଛନ୍ତି ତାର ପର୍ଦ୍ଦାଫାସ ହୋଇପାରିଲା ନାହିଁ । ପୂର୍ବରୁ ବିଜେଡି ସରକାର ଏହି ଘଟଣାର ତଦନ୍ତରେ ଅବହେଳା କରିଥିବା ବିଜେପି ଅଭିଯୋଗ କରିଆସୁଥିଲା । ଏବଂ ବିଜେଡିର କିଛି ତୁଙ୍ଗ ନେତା ହିଁ ଏହି ହତ୍ୟା ପଛରେ ଅଛନ୍ତି ବୋଲି ଦାବି କରୁଥିଲେ । ଏପରିକି ନବ ଦାସଙ୍କ ଝିଅ ଦୀପାଳି ଦାସ ମଧ୍ୟ ଏହି ମାମଲାରେ ସଂପୃକ୍ତ ଥିବା ଅଭିଯୋଗ ଆସୁଥିଲା । କିନ୍ତୁ ମାମଲାରେ କିଛି ବି ନୂଆ ମୋଡ ଆସିଲାନି । ଏବଂ ଏହି ରହସ୍ୟ ରହସ୍ୟ ହୋଇ ରହିଗଲା ।

କିନ୍ତୁ ବିଜେପି ସରକାରକୁ ଆସିବା ପରେ ପରେ ଏହି ପ୍ରସଙ୍ଗକୁ ନେଇ ତତ୍ପରତା ଦେଖାଇଥିଲା । ବିଜେଡିର କଳା ରହସ୍ୟ ଲୋକଲୋଚନକୁ ଆଣିବା ଜୋସରେ ନବ ଦାସ ମାମଲାର ପୁନଃ ତଦନ୍ତ କରାଯିବା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଘୋଷଣା କରିଥିଲେ । କିନ୍ତୁ ଏବେ ଯାଏଁ ସେଦିଗରେ ପାଦେ ବି ଆଗେଇ ନଥିବା ସ୍ପଷ୍ଟ ହୋଇଛି । ଏପରିକି ଖୋଦ ଦଳୀୟ ନେତା ବିଧାନସଭା ଗୃହରେ ଏ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ହରଡଘଣାରେ ପକାଇଛନ୍ତି । ବିଧାନସଭାରେ ଲିଖିତ ଭାବରେ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ବର୍ତ୍ତମାନ କେଉଁ ସ୍ତରରେ ରହିଛି , ଏବଂ ରାଜ୍ୟ ସରକାର କାହା ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ । ତଦନ୍ତ ସମୟରେ ମୃତକଙ୍କ ପରିବାରର କେଉଁ କେଉଁ ସଦସ୍ୟଙ୍କ ବୟାନ ରେକର୍ଡ ହୋଇଛି, ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଆମେରିକାର ତଦନ୍ତ କାରୀ ସଂସ୍ଥା ଏଫବିଆଇକୁ କେବେ ଏବଂ କେଉଁ ଉପାୟରେ ତଦନ୍ତ ଅନୁରୋଧ କରିଥିଲେ , ଏବଂ ଏଫବିଆଇ ତଦନ୍ତ କେଉଁ ସ୍ତରରେ ରହିଛି ବୋଲି ପ୍ରଶ୍ନ କରିଥିଲେ ଟଙ୍କଧର । ଯାହାର ଉତ୍ତର ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏବଂ କହିଥିଲେ ଯେ, ଏ ସମ୍ପର୍କରେ ତଦନ୍ତ ଚାଲିଛିା ଯାହାକୁ ନେଇ ପୁଣି ରାଜନୀତିର ମାହୋଲ ଉଷ୍ମ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *