- ନବୀନଙ୍କ ଗୁଡବୁକରେ ନୟାଗଡ ବିଧାୟକ
- ଅରୁଣଙ୍କ ପାଇଁ ନୂଆ ପ୍ଲାନ କରୁଛନ୍ତି ବିଜେଡି ସୁପ୍ରିମୋ
- ବବିଙ୍କ ଜାଗା ନେବେ, ବିଜେଡିର ମଙ୍ଗୁଆଳ ହେବେ କି ଅରୁଣ ?
ବିଜେଡିରେ ବଢୁଛି ଅରୁଣଙ୍କ ଦବଦବା । ବିଭିନ୍ନ ପ୍ରସଙ୍ଗରେ ନବୀନଙ୍କ ସ୍ୱର ପାଲଟିଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ । ସାମ୍ୱାଦିକ ସମ୍ମିଳନୀ ହେଉ କି ଆନ୍ଦୋଳନ ସବୁଥିରେ ରହିଛି ଏହି ଯୁବ ନେତାଙ୍କ କ୍ରେଜ । ସାମ୍ନାକୁ ଆସୁଛନ୍ତି ସାତ ମାସର ବିଜେପି ସରକାରକୁ ସମାଲୋଚନା କରୁଛନ୍ତି । ଗତ ନିର୍ବାଚନରେ ବିଜେଡିର ବଡ ବଡ ବରିଷ୍ଠ ନେତାମାନେ ପରାଜିତ ହେଲେ ଯାହାପରେ ଯୁବନେତାଙ୍କୁ ଗୁରୁତ୍ୱ ଦେବା ସହ ବରିଷ୍ଠଙ୍କୁ ଦାୟିତ୍ୱ ବାଣ୍ଟୁଛନ୍ତି ବିଜେଡି ସୁପ୍ରିମୋ । ସମସ୍ତ ବରିଷ୍ଠ ଓ ଯୁବ ନେତାଙ୍କ ଭିତରେ ସବୁଠୁ ଆଗରେ ନବୀନଙ୍କ ଲଢୁଆ ଯୋଦ୍ଧା ଭାବେ ଉଭା ହୋଇଛନ୍ତି ଅରୁଣ ।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି ଏବେ ପର୍ଯ୍ୟନ୍ତ ବିଜେଡିର ରାଜ୍ୟ ସ୍ତରୀୟ କମିଟି ଗଠନ ହୋଇପାରୁନାହିଁ । ଦେବୀ ମିଶ୍ରଙ୍କ ଅଧକ୍ଷତାରେ ସମନ୍ୱୟ କମିଟି କରି ଦଳକୁ ପରିଚାଳନା କରାଯାଉଛି । କେବେ ରାଜ୍ୟ ସ୍ତରୀୟ କମିଟି ଗଠନ ହେବ ଏବଂ କିଏ ଏହାର ଭାର ନେବ ସେ ନେଇ ଶଙ୍ଖଭବନରୁ ନବୀନ ନିବାସ ପର୍ଯ୍ୟନ୍ତ ମାନସ ମନ୍ଥନ ଚାଲିଛି । କାରଣ ପୂର୍ବତନ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରାଜ୍ୟ ସ୍ତରରେ ସେତେଟା ସକ୍ରିୟ ନାହାନ୍ତି ।
ବବିଙ୍କୁ ପଛରେ ପକାଇ ଏବେ ନବୀନଙ୍କ ମନ ଜିତିବାରେ ଲାଗିଛନ୍ତି ଅରୁଣ । ବିଜେଡିର ରାଲିରେ ଅରୁଣଙ୍କ ରଣହୁଙ୍କାର ବିଜେପି ଶିବିରରେ ଏକ ପ୍ରକାର କମ୍ପନ ସୃଷ୍ଟି କରୁଛି । ଅନ୍ୟପଟେ ଅରୁଣ ସାହୁ ଲଗାତାର ଭାବେ ନୟାଗଡରୁ ପାଞ୍ଚଥର ବିଧାୟକ ହୋଇଆସୁଛନ୍ତି । 2024 ନିର୍ବାଚନରେ କମ ଭୋଟ ବ୍ୟବଧାନରେ ମଧ୍ୟ ନୟାଗଡରେ ବିଜୟ ମୁକୁଟ ପିନ୍ଧିଥିଲେ ଅରୁଣ । ଖାଲି ସେତିକି ନୁହେଁ ବିଧାନସଭାରେ ମଧ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ନୂଆ ସରକାରଙ୍କ ଭୁଲ ଧରି ତାଙ୍କୁ ସମାଲୋଚନା କରିବାକୁ ଗୋଟିଏ ବି ମୌକାକୁ ହାତଛଡା କରୁନାହାନ୍ତି ନୟାଗଡ ବିଧାୟକ ।
ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରଠାରୁ ବବିଙ୍କୁ ନେଇ ଦଳରେ ଅନେକ ଅସନ୍ତୋଷ ଦେଖାଦେଇଥିଲା ଯାହା ପରେ ବବି ଏବେ ରାଜ୍ୟ ସ୍ତରୀୟ କମିଟିରେ ସେତେଟା ସକ୍ରିୟ ନଜର ଆସୁନାହାନ୍ତି । ଆଗାମୀ ଦିନରେ ଅରୁଣ ସାହୁ ବିଜେଡିର ମଙ୍ଗୁଆଳ ଦାୟିତ୍ୱ ନେବାରେ କେତେ ସଫଳ ହେଉଛନ୍ତି ତାହା ଦେଖିବାର କଥା ।