ଛାତ୍ର ଜୀବନରେ ନିଜର ସୁନ୍ଦର ଭବିଷ୍ୟତକୁ ନେଇ ସବୁ ପିଲାମାନେ ସପ୍ନ ଦେଖିଥାନ୍ତି।ଭଲ ପାଠ ପଢି ଆଗକୁ ବଡ଼ ହୋଇ ଭଲ ଚାକିରୀ ଖଣ୍ଡେ କରିବେ ଏବଂ ପରିବାରର ସୁଖଦୁଃଖରେ ହାତ ବଢ଼େଇବେ।ହେଲେ କେତେଜଣ ଏଥିରେ ସଫଳ ହୋଇ ଆତ୍ମ ସନ୍ତୋଷ ଲାଭ କରନ୍ତି ତ ଆଉ କେତେକ ନିଜ ଆଶା ପୂରଣ କରି ନ ପାରି ଦୁଃଖ ଦୁର୍ଦ୍ଦିନରେ ଦିନ କାଟନ୍ତି। ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଜିଲୁଣ୍ଡି ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମର ଜଣେ ବ୍ୟକ୍ତି ହେଉଛନ୍ତି ଶିବରାମ ଜେନା। ବୟସ ୩୧ବର୍ଷ।ପିଲାଟି ଦିନରୁ ଭଲ ପାଠ ପଢିବା ସହ ଜଣେ ମେଧାବୀ ଛାତ୍ର ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ। ବଡ ହେଲେ ଇଞ୍ଜିନିୟର ହେବାର ଲକ୍ଷ୍ୟ ରଖି ଅଧ୍ୟୟନ କରୁଥିଲେ। ଶିବରାମ ବାଲ୍ୟବସ୍ଥାରୁ ହିଁ ନିଜ ବାପାଙ୍କୁ ହରାଇଥିଲେ। ହେଲେ ଭାଙ୍ଗିପଡି ନଥିଲା ପୁରା ପରିବାର। ଅଭାବ ଅନଟନ ସତ୍ତ୍ୱେ ମାଆ ସୁଦେଷ୍ଣା ପିଲାଙ୍କ ପାଠ ପଢାପଢିରେ କେବେ ଅବହେଳା କରି ନଥିଲେ ।ନିଜର ଦୁଇ ପୁଅଙ୍କୁ ଲାଳନ ପାଳନ କରି ବଡ କଲେ ତାଙ୍କର ଦୁଃଖ ଦୂର ହେବ ବୋଲି ମନରେ ଆଶା ବାନ୍ଧିଥିଲେ।ହେଲେ ଘରର ସାନ ପୁଅ ଶିବାରାମ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଯୁବକ ଅବସ୍ଥାରେ ଏବେ ପରିବାର ଉପରେ ବୋଝ ସାଜିଛନ୍ତି।ଏକ ଦୁର୍ଘଟଣାରେ ଶିବ ରାମ ନିଜର ଦୁଇ ଗୋଡ଼ ହରାଇ ଆଜି ଦିବ୍ୟାଙ୍ଗ ଭାବେ ବଞ୍ଚିଛନ୍ତି।ଶିବରାମ କୃତିତ୍ୱର ସହ ମାଟ୍ରିକ ପରେ ବୈଷୟିକ ଶିକ୍ଷା ପ୍ରତି ମନ ବଳାଇଥିଲେ। ମାଆ ଧାର କରଜ କରି ସାନପୁଅକୁ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପାଠ ପଢାଇଲେ। ଇଞ୍ଜିନୟରିଂ ଶିକ୍ଷା ସାରି ଶିବରାମ ସୁନାବେଡା ହାଲରେ ତାଲିମ ନେଇଥିଲେ। ଚାକିରି କରିବା ପୂର୍ବରୁ ୨୦୧୭ ମସିହାରେ ତାଙ୍କ ଉପରେ ବିପଦ ମାଡ଼ି ଆସିଲା।ବ୍ରହ୍ମପୁର ଯାଉଥିବା ବେଳେ ହିଞ୍ଜିଳିକାଟୁ ଠାରେ ଏକ ଘରୋଇ ବସ ଦୁର୍ଘଟଣାର ଶିକାର ହେଲେ ଶିବରାମ। ଗୋଡରେ ଗଭୀର ଆଘାତ ଲାଗିବାରୁ ଡାକ୍ତର ତାଙ୍କର ଦୁଇ ଗୋଡକୁ ଦୁଇଟି ପର୍ୟ୍ୟାୟରେ କାଟିଦେଲେ। ସେହି ଦିନଠୁ ସେ ଅନ୍ୟ ଉପରେ ନିର୍ଭର କରି ଘର ମଧ୍ୟରେ ହିଁ ଚଳପ୍ରଚଳ କରୁଛନ୍ତି। ଏକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ଚାକିରି କରୁଥିବା ମାଆ ହିଁ ତାଙ୍କର ଲାଳନ ପାଳନ କରୁଛନ୍ତି । ମାଆ ବିଦ୍ୟାଳୟକୁ ଯିବା ପରେ ବଡ ଭାଇ ତାଙ୍କର ନିତ୍ୟକର୍ମ ଠାରୁ ଆରମ୍ଭ କରି ସବୁ ସେବା କରୁଛନ୍ତି।ପ୍ରତିଦିନ ତାଙ୍କ ସେବା କରିବା ସେମାନଙ୍କ ପକ୍ଷେ ମଧ୍ୟ କଷ୍ଟକର ହୋଇପଡୁଛି।ଅର୍ଥାଭାବରୁ ଶିବରାମ କୃତ୍ରିମ ଗୋଡ ଦୁଇଟି ଲଗାଇ ପାରୁନାହାନ୍ତି । ଏହା ସହ ସେ ଜଣେ ମେଧାବୀ ଛାତ୍ର ସାଙ୍ଗକୁ ଶତ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିବାରୁ ସରକାରଙ୍କ ଯେକୌଣସି ପଦପଦବୀରେ ଥଇଥାନ କରିବା ନେଇ ସେ ବହୁବାର ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କରିଛନ୍ତି।ହେଲେ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଓ ଦିବ୍ୟାଙ୍ଗ ଭତ୍ତାକୁ ବାଦ୍ ଦେଲେ ତାଙ୍କୁ ଆଉ କୌଣସି ସରକାରୀ ସହାୟତା ମିଳି ନଥିବା ସେ କହିଛନ୍ତି। ତେଣୁ ତାଙ୍କୁ ଥଇଥାନ କରିବା ଓ କୃତ୍ରିମ ଗୋଡ଼ ଲଗାଇବାରେ ସରକାରଙ୍କ ତରଫରୁ କିଛି ସାହାଯ୍ୟ କୁ ଚାହିଁ ରହିଛନ୍ତି ପୁରା ପରିବାର।ଏସମ୍ପର୍କରେ ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀଙ୍କ ସହ ଯୋଗାଯୋଗ କରିବାରେ ସରକାର ଙ୍କ ତରଫରୁ ଯଥା ସମ୍ଭବ ସାହାଯ୍ୟ କରିବେ ବୋଲି କହିଛନ୍ତି।
