ପାକିସ୍ତାନକୁ ଭାରତର ବ୍ରହ୍ମଚାପୁଡା । ୪୮ ଘଣ୍ଟାର ସମୟ ଦେଲେ ମୋଦି । ଭାରତରୁ ବିଦା ହେବେ ସମସ୍ତ ପାକିସ୍ତାନୀ । ଜମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କୀଙ୍କ ବର୍ବରତା ପରେ ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ କରିବା ସହ ପାଣି ପାଇଁ ପାକିସ୍ତାନକୁ ଡହଳ ବିକଳ କରିବାକୁ ମୋଦି ନିଷ୍ପତ୍ତି ନେଇଛନ୍ତି । ସିନ୍ଧୁ ନଦୀ ଜଳଚୁକ୍ତିକୁ ତତ୍କାଳ ସ୍ଥଗିତ ରଖିଛି ଭାରତ । ଫଳରେ ସିନ୍ଧୁ, ଝେଲମ ଓ ଚେନାବ ନଦୀରୁ ଆଉ ପାକିସ୍ତାନକୁ ପାଣି ମିଳିବ ନାହିଁ । ଏପରିକି ପାକିସ୍ତାନ ନାଗରିକଙ୍କ ଛାଇ ବି ଭାରତରେ ଆଉ ବରଦାସ୍ତ କରାଯିବନି ବୋଲି ନିଷ୍ପତ୍ତି ହୋଇଛି । ଭାରତକୁ ଆସିଥିବା ସମସ୍ତ ପାକିସ୍ତାନୀଙ୍କୁ ୪୮ ଘଣ୍ଟା ଭିତରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ପହଲଗାମ ନରସଂହାର ପରେ ଆତଙ୍କୀଙ୍କ କାରଖାନା ପାକିସ୍ତାନକୁ କୂଟନୈତିକ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନରେ ଅଣଃନିଶ୍ୱାସୀ କରିବା ପ୍ରକ୍ରିୟା ଭାରତ ଆରମ୍ଭ କରିସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ ବୈଠକ ଏହାକୁ ଅନୁମୋଦନ କରିଛି । ଏହା ସହ ପାକିସ୍ତାନ ଏବଂ ଆତଙ୍କୀଙ୍କ ଉପରେ ନିର୍ଣ୍ଣାୟକ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଏକ ପ୍ରକାର ସ୍ଥିର ହୋଇଥିବା ଜଣାପଡିଛି । ସେନା ବାହିନୀର ସମସ୍ତ ଶାଖାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଏତିକି ନୁହେଁ, ଭାରତ ଓ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ଏବଂ ଲୋକଙ୍କ ମଧ୍ୟରେ ଯୋଗାଯୋଗର ଏକ ଗୁରୁତ୍ୱପୂଣ୍ଣ ମାଧମ ଅଟାରୀ ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ନୂଆଦିଲ୍ଲୀରେ ଥିବା ପାକିସ୍ତାନୀ ହାଇକମିଶନରେ ପ୍ରତିରକ୍ଷା ସେନା, ନୌସେନା, ବାୟୁସେନା ପରାମର୍ଶଦାତାଙ୍କୁ ଅଲୋଡା ଘୋଷଣା କରାଯାଇଛି । ଭାରତ ଛାଡିବାକୁ ୭ ଦିନ ସମୟ ଦିଆଯାଇଛି । ସେହିପରି ଇସଲାମାବାଦସ୍ଥିତ ଭାରତୀୟ ହାଇକମିଶନରୁ ଭାରତ ନିଜ ସାମରିକ ପରାମର୍ଶଦାତାଙ୍କୁ ମଧ୍ୟ ଫେରିଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଗତକାଲି ସିସିଏସ୍ ବୈଠକରେ ଦୀର୍ଘ ଅଢ଼େଇ ଘଣ୍ଟା ଧରି ଆଲୋଚନା ପରେ ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଯୋଗଦେଇଥିଲେ।