ରାଜ୍ୟରେ ପୁଣି ମୁଣ୍ଡ ଟେକିଲା ଆଳୁ ଟେନସନ୍ । ଆଳୁକୁ ନେଇ ପୁଣି ଆରମ୍ଭ ହେଲା ରାଜନୀତି । ଗତ କିଛି ଦିନ ଧରି ଓଡିଶାବାସୀ ଆଳୁ ଚିନ୍ତାରୁ ମୁକ୍ତ ଥିବା ବେଳେ ଏବେ ପୁଣି ଆଳୁ ପାଇଁ ଟେନସନରେ ପଡିଯାଇଛନ୍ତି । କାରଣ ପଶ୍ଚିମବଙ୍ଗ ସୀମାରେ ଶହ ଶହ ଆଳୁ ଟ୍ରକଗୁଡିକ ଅଟକି ରହିଛି । ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆଳୁ ଗାଡି ଛାଡିବାକୁ ପୁଣି ମନା କରିଦେଇଥିବା ଜଣାପଡିଛି । ଯାହାର ସିଧା ସଳଖ ପ୍ରଭାବ ଓଡିଶା ଉପରେ ପଡିବ ବୋଲି ଆଶଙ୍କା କରାଯାଉଛି । ଓଡିଶାକୁ ଅନ୍ୟ ରାଜ୍ୟରୁ ଆଳୁ ରପ୍ତାନୀ ହେଉଥିଲେ ମଧ୍ୟ ପଶ୍ଚିମବଙ୍ଗ ଆଳୁକୁ ଖାଉଟିମାନେ ବେଶ୍ ପସନ୍ଦ କରୁଛନ୍ତି । କିନ୍ତୁ ଏବେ ଦିଦି ସଫା ସଫା ଆଳୁ ଦେବା ପାଇଁ ମନା କରିଦେଇଛନ୍ତି । ଏବଂ ନୂଆ ଆଳୁ ଆସିବା ପର୍ଯ୍ୟନ୍ତ ଆଳୁ ନଦେବା ପାଇଁ ତାଗିଦ କରିଛନ୍ତି । ସେପଟେ ଦିଦିଙ୍କ ଏହି ନିଷ୍ପତ୍ତି ପରେ ଆଳୁକୁ ନେଇ ଆଗକୁ ସଙ୍କଟ ଦେଖାଯିବା ସହ କଳବଜାରୀ ମଧ୍ୟ ସୃଷ୍ଟି ହୋଇପାରେ, ଆଳୁ ପାଇଁ ଖାଉଟି ମାନେ ହନ୍ତସନ୍ତ ହେବେ ବୋଲି ି ସେଥିରେ ସନ୍ଦେହ ନାହିଁ । ସେପଟେ ଏହାକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଜ ଅପରାଗତା ଲୁଚାଇବାକୁ ଯାଇ ଏଥିପାଇଁ ପୂର୍ବ ସରକାରକୁ ଦାୟୀ କରିବା ସହ ପରୋକ୍ଷରେ ନବୀନଙ୍କୁ ଟାର୍ଗେଟ କରିଛନ୍ତି । ନବୀନ ଏବଂ ମମତାଙ୍କ ସମ୍ପର୍କ ଭାଇ ଭଉଣୀର ସମ୍ପର୍କ ବୋଲି ସମସ୍ତେ ଜାଣିଥିବା ବେଳେ ଉଭୟଙ୍କୁ ଦୋଷ ଦେବାକୁ ଯାଇ ଭାଇ କହିଥିବେ ବୋଲି ଭଉଣୀ ଗାଡି ଛାଡୁନଥିବେ ଏହି ମନ୍ତବ୍ୟକୁ ଦୋହରାଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏବଂ ଅନ୍ୟ ରାଜ୍ୟରୁ ଆଳୁ ଆଣିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମତପ୍ରକାଶ କରୁଛନ୍ତି ।

You can share this post!
author