ପୁଣି ମୁଣ୍ଡ ନୁଆଁଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମେ ଅମିତ ଶାହା ଆଉ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହଁ ଆଜ୍ଞା, ମୋଦିଙ୍କୁ ଦେଖି ହାତ ଯୋଡିଲେ ବିଧାୟକ ହେଲେ ଷ୍ଟେଜ ଉପରେ ମୁଣ୍ଡ ନୁଆଇଁ ନମସ୍କାର କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛିା ଏବଂ ମୁଖ୍ୟମନ୍ତ୍ରୀ ହୋଇ କାହିଁକି ଏପରି ବାରମ୍ବାର ମୁଣ୍ଡ ନୁଆଁଉଛନ୍ତି ସେନେଇ ସାଧାରଣରେ ଆଲୋଚନା ମଧ୍ୟ ହେଉଛି । ତେବେ ଏ ଦୃଶ୍ୟ ହେଉଛି ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ପ୍ରବାସୀ ଭାରତୀୟ ସମ୍ମିଳନୀର । ବିଜେପି ପକ୍ଷରୁ ଆୟୋଜିତ ପ୍ରବାସୀ ଭାରତୀୟ ସମ୍ମିଳନୀରେ ସାମିଲ ହେବା ନେଇ ଦେଶ ବିଦେଶରୁ ଅତିଥିଙ୍କ ସୁଅ ଛୁଟିଥିଲା । ପ୍ରବାସୀ ସମ୍ମିଳନୀର ଦ୍ୱିତୀୟ ଦିନରେ ମୋଦି ସାମିଲ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମସ୍ତ ଅତିଥିଙ୍କ ଉପସ୍ଥିତିରେ ମୁଣ୍ଡ ନୁଆଁଇ ତାଙ୍କୁ ପ୍ରଣାମ କରିଥିବା ଦେଖିବାକୁ ମିଳିଛି । ଅନେକ ମହଲରେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରାଯାଉଥିବା ବେଳେ ଅନେକ ମହଲରେ କିନ୍ତୁ ତୀବ୍ର ନିନ୍ଦା କରାଯାଉଛି ।
ସେହିପରି ଦେଖିବାକୁ ଗଲେ ବିଧାୟକମାନଙ୍କ ସହ ମୋଦି ଏବଂ ଶାହଙ୍କ ଭଲ ସମ୍ପର୍କ ରହିଛି । କିନ୍ତୁ ସେମାନେ ଆଜିଯାଏ ମୋଦି କିମ୍ବା ଶାହଙ୍କ ଆଗରେ ମୁଣ୍ଡ ନୁଆଁଇ ନାହାନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ଏପରି ବାରମ୍ବାର କରୁଥିବା ଦେଖିବାକୁ ମିଳୁଛି । ତେବେ ମୁଖ୍ୟମନ୍ତ୍ରୀ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ମୁଣ୍ଡ ନୁଆଁଇ ଜୁହାର କରିବା ତାଙ୍କ ପରମ୍ପରାରେ ରହିଛି । କିନ୍ତୁ ଏକ ବଡ ପଦବୀରେ ଥାଇ ଏପରି କରିବାକୁ ଅନେକ ଗ୍ରହଣ କରୁନାହାନ୍ତି । ତେବେ ଏହା ପୂବରୁ ମଧ୍ୟ ଅମିତ ଶାହଙ୍କ ଓଡିଶା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅମିତ୍ ଶାହଙ୍କ ହାତ ଧରି ତାଙ୍କ ଆଗରେ ମୁଣ୍ଡ ନୁଆଁଇ ନମସ୍କାର କରିଥିଲେ । ଆଉ ଏହାକୁ ବିରୋଧୀ ତୀବ୍ର ନିନ୍ଦା କରିଥିଲେ । ଅନ୍ୟପଟେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ହିଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଣ୍ଡ ନୁଆଁଇ ନମସ୍କାର କରିଥିବା ଦେଖିବାକୁ ମିଳିଛି । କିନ୍ତୁ ରାଷ୍ଟ୍ରପତି ଓଡିଶା ଗସ୍ତରେ ଆସିଥିବା ବେଳେ ତାଙ୍କୁ କେବଳ ଫୁଲତୋଡା ଦେଇ ହାତ ଯୋଡି ନମସ୍କାର କରି ସ୍ୱାଗତ କରିଥିଲେ ମୋହନ । ଆଉ ଏଥିରୁ ମୁଖ୍ୟମନ୍ତ୍ରୀଙ୍କ ଏପରି ମୁଣ୍ଡ ନୁଆଁଇ ନମସ୍କାର କରିବା କିଛି ଅନ୍ୟ ଦିଗକୁ ଇସାରା କରୁଛି ।