ପ୍ରତାପ ଷଡଙ୍ଗୀଙ୍କୁ ନେଇ ସୁଲତାଙ୍କ ବଡ ଖୁଲାସା । ସୋସିଆଲ ମିଡିଆରେ ପ୍ରତାପଙ୍କ ମିଛ ଉପରୁ ପରଦା ହଟାଇଲେ ସୁଲତା ଦେଓ । କିଛି ଦିନ ହେବ ଓଡିଶାରେ ଦେଖିବାକୁ ମିଳିଛି ସଂସଦ ତାତି । ସଂସଦ ବାହାରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ପଡିଯିବାରୁ ଏବଂ ତାଙ୍କ ମୁଣ୍ଡ ଫାଟିଯିବାରୁ ଏହାକୁ ନେଇ ଦିଲ୍ଲୀରୁ ଓଡିଶା ସବୁଠି ରାଜନୀତିର ମାହୋଲ ଉଷ୍ମ ରହିଛି । ସଂସଦର ସିଡିରୁ ପଡିଯାଇ ପ୍ରତାପଙ୍କ ମୁଣ୍ଡ ଫାଟି ଯାଇଥିବାରୁ ବିଜେପି ଏଥିପାଇଁ ରାହୁଲ ଗାନ୍ଧୀଙ୍କୁ ଦାୟୀ କରୁଛି । ରାହୁଲ ପେଲିଦେବାରୁ ପ୍ରତାପ ପଡିଗଲେ ଏବଂ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବିଜେପି ନେତା ଅଭିଯୋଗ କରୁଛନ୍ତି । ଏପରିକି ରାହୁଲଙ୍କ ନାଁରେ ମାମାଲ ରୁଜୁ ମଧ୍ୟ କରାଯାଇଛି । କିନ୍ତୁ ବିଜେପି କରିଥିବା ଅଭିଯୋଗକୁ ଜଣଙ୍କ ପରେ ଜଣେ ନେତା ମିଛ ବୋଲି ଗଣମାଧ୍ୟମରେ ବଡ ବୟାନ ଦେଉଛନ୍ତି । ପ୍ରଥମେ ରାଜ୍ୟସଭା ସାଂସଦ ଜୟା ବଚ୍ଚନ ଆଉ ଏବେ ସାଂସଦ ସୁଲତା ଦେଓ । ଜଣଙ୍କ ପରେ ଜଣେ ଆସି ବିଜେପିର ମିଛ ଉପରୁ ପରଦା ହଟାଉଛନ୍ତି ।
ତେବେ ସୋସିଆଲ ମିଡିଆରେ ସୁଲତା ଦେଓଙ୍କୁ ଜଣେ ୟୁଜର୍ସ ପ୍ରତାପ ଷଡଙ୍ଗୀଙ୍କ ଆଘାତ ସମ୍ପର୍କରେ କିଛି କହିବାକୁ କହିଥିଲେ । ଯାହାର ଉତ୍ତରରେ ସୁଲତା ଲେଖିଛନ୍ତି, ସଂସଦ ଉପରକୁ ଯାଉଥିବା ସମୟରେ ସେ ଦେଖିଥିଲେ ଯେ, ପ୍ରତାପ ଷଡଙ୍ଗୀ ବାମ ପଟ ମୁଣ୍ଡରେ ରୁମାଲ ଦେଇ ହାତରେ ଧରିଥିଲେ । ସେ ତାଙ୍କୁ ନମସ୍କାର କରିବା ସହ ଆଜ୍ଞା କଣ ହୋଇଛି ବୋଲି ପଚାରିଥିଲେ । ଯାହାର ଉତ୍ତରରେ ପ୍ରତାପ କହିଥିଲେ, ମୁଁ ପଡିଗଲି । ଏହା ଶୁଣି ସୁଲତା କେମିତି ପଡିଗଲେ ବୋଲି ପଚାରିବାରୁ ପ୍ରତାପ କହିଥିଲେ ରାହୁଲ ଗାନ୍ଧୀ ପେଲିଦେଲେ ଡିପ୍ କଟ୍ ହୋଇଛି । ଏହା ଶୁଣିବା ପରେ କେଉଁଠି କଣ ହୋଇଛି ଦେଖାଇବାକୁ କହିବାରୁ ସେ ମନା କରିଦେଇଥିବା ସୁଲତା ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି । ଏହା ସହ ପ୍ରତାପ ଆଘାତକୁ ଘୋଡାଇବାକୁ ଯାଉ ଧରିଥିବା ଧଳା ରୁମାଲରେ ବି ଟିକେ ବି ରକ୍ତର ଛିଟା ନଥିବା ଏବଂ ତାଙ୍କ କୁର୍ତାରେ ବି ଟିକେ ବି ରକ୍ତ ପଡିନଥିବା ଲେଖିଛନ୍ତି ରାଜ୍ୟସଭା ସାଂସଦ ସୁଲତା ଦେଓ । ଯାହାକୁ ନେଇ ଏବେ ପ୍ରତାପଙ୍କ ବୟାନକୁ ଏବଂ ବିଜେପିର ଅଭିଯୋଗ ମିଛ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି ।
ତେବେ ସୁଲତାଙ୍କ ପୂର୍ବରୁ ସମାଜବାଦୀ ପାର୍ଟୀର ରାଜ୍ୟସଭା ସାଂସଦ ଜୟା ବଚ୍ଚନ ମଧ୍ୟ ପ୍ରତାପ ଷଡଙ୍ଗୀ ମିଛ କହୁଥିବା ଏବଂ ଭଲ ଅଭିନୟ କରୁଥିବା ଗଣମାଧ୍ୟମରେ ବଡ ବୟାନ ଦେଇଥିଲେ । ପ୍ରତାପ କିପରି ସିଡିରୁ ପଡିଗଲେ ସେ ନିଜେ ଦେଖିଥିବା କହିଛନ୍ତି । କିନ୍ତୁ ବିଜେପି କଂଗ୍ରେସକୁ ଦାୟୀ କରିବା ସହ ଏହାକୁ ନେଇ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି । ତେବେ ଦେଖାଯାଉ ଆଗକୁ ଏହି ଘଟଣାରେ କେଉଁ ନୂଆ ମୋଡ ଆସୁଛି ଏବଂ ଘଟଣାର ସତ୍ୟସତ୍ୟ କେବେ ସାମ୍ନାକୁ ଆସୁଛି ତାହା ଦେଖିବାକୁ ଅପେକ୍ଷା ।