ବିଜେପିରେ ଫିକା ପଡୁଛନ୍ତି କି ବ୍ରହ୍ମପୁର ସାଂସଦ ?
ପ୍ରଥମେ ଗର୍ଜୁଥିଲେ ଏବେ କାହିଁକି ଚୁପ ?
ଗୋଷ୍ଠୀ କନ୍ଦଳ ଭୟରେ ପ୍ରଦୀପଙ୍କ ମୁହଁରେ ପଡିଛି କି ତୁଣ୍ଡି ?
ନିର୍ବାଚନ ପରେ ନବୀନଙ୍କୁ ଭୁଲିଗଲେ କି ପ୍ରଦୀପ ?
ଏକଦା ବିଜେଡିର ଟାଣୁଆ ନେତା ଥିବା ପ୍ରଦୀପ ପାଣିଗ୍ରାହୀଙ୍କ ମଉନତାକୁ ନେଇ ରାଜ୍ୟ ରାଜନୀତିରେ ଅନେକ ଚର୍ଚ୍ଚା । କଥା କଥାରେ ବିଜେଡିର ଲେଖା ଛିଡାଇଦେବାର ଆହ୍ୱାନ ଦେଉଥିବା ପ୍ରଦୀପ ଏବେ ବୋଧହୁଏ ବିଜେପିର ସାଂସଦ ହେବା ପରେ ଚୁପ ହୋଇଯାଇଛନ୍ତି । ବୋଧହୁଏ ପ୍ରଦୀପଙ୍କ ପାଟିରେ ଦଳର ଶୀର୍ଷ ନେତୃତ୍ୱ ତୁଣ୍ଡି ବାନ୍ଧିଛନ୍ତି । କାହିଁକିନା ନିର୍ବାଚନ ପୂର୍ବରୁ ପ୍ରଦୀପ ପାଣିଗ୍ରାହୀ ଜଣେ ନେତା ଥିଲେ ଯିଏ ତତକାଳୀନ ନବୀନ ସରକାରଙ୍କ ଉପରକୁ ଆଙ୍ଗୁଳି ଉଠାଉଥିଲେ । ବିଜେଡିର ସର୍ବେସର୍ବା ବୋଲାଉଥିବା ଭିକେ ପାଣ୍ଡିଆନଙ୍କୁ କଥା କଥାରେ ବାଣ ମାରୁଥିଲେ ପ୍ରଦୀପ ।
2024 ନିର୍ବାଚନର ଠିକ ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିଲେ ଏବଂ ବିଜେଡିର ନେତା ଖୋଦ ନବୀନ ପଟ୍ଟନାୟକ ଲେଖା ମଧ୍ୟ ଛିଡାଇଦେଲେ । ତେବେ ବର୍ତ୍ତମାନ ରାଜ୍ୟରେ ବିଜେପି ସରକାରକୁ 10 ମାସରୁ ଅଧିକ ସମୟ ବିତିସାରିଛି । ସରକାରରେ ଅନେକ ଅବ୍ୟବସ୍ଥା ମଧ୍ୟ ଦେଖାଯାଉଛି,ଗୋଷ୍ଠୀ କନ୍ଦଳ ତୁଟିବାର ନାଁ ମଧ୍ୟ ଧରୁନି । ବିରୋଧି ଦଳ ବିଜେଡିରେ ମଧ୍ୟ କିଛି ଠିକ୍ ଚାଲିନି । ପ୍ରତିକଥାରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖୁଥିବା ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଚୁପ ବସିବା ପରେ ରାଜ୍ୟ ରାଜନୀତିର ଚର୍ଚ୍ଚା ବଢିଛି ।
କୁହାଯାଉଛି ଦଳର ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶରେ ଚୁପ ଅଛନ୍ତି ପ୍ରଦୀପ ପାଣିଗ୍ରାହୀ । ଅନ୍ୟପଟେ ଗଞ୍ଜାମ ଗଡରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ପ୍ରଦୀପ ପାଣିଗ୍ରାହୀଙ୍କ ମଧ୍ୟ ପଡୁନଥିବା ଅଭିଯୋଗ ହେଉଛି । ମନ୍ତ୍ରୀ ଯେଉଁ ନିର୍ବାଚନ ମଣ୍ଡଳୀ ଗସ୍ତ କରୁଛନ୍ତି ସେଠାରେ ସାଂସଦଙ୍କ ଦେଖା ଦର୍ଶନ ମିଳୁନାହିଁ । ବୋଧହୁଏ ଦଳର ଗୋଷ୍ଠୀ କନ୍ଦଳକୁ ସୁଧାରିବା ପାଇଁ ପ୍ରଦୀପଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ନିରବତା ବିଜେପିରେ କେଉଁ ବିସ୍ପୋରଣ କରୁଛି ତାହା ଦେଖିବାକୁ ଅପେକ୍ଷା ।