ପ୍ରଭାତୀଙ୍କ ଗୁମର ଖୋଲିଲେ ସମୀର…

ପ୍ରଭାତୀଙ୍କ ଗୁମର ଖୋଲିଲେ ସମୀର…

ଆଉ ସମ୍ଭାଳିପାରିଲେନି ସମୀର ଭାଇନା । ଶେଷରେ ଠିକ୍ ବର୍ଷେ ପରେ ଗଣମାଧ୍ୟମରେ ବିଜେପିର ବିଷ ଓଗାଳିଲେ ସମୀର । ହଁ ଆଜ୍ଞା, କିଛି ମାସ ହେବ ନିମାପଡା ରାଜନୀତିକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିଲା । ନିମାପଡାରେ ଦୁଇ ପ୍ରମୁଖ ଚେହେରା ସମୀର ଦାସ ଏବଂ ପ୍ରଭାତୀ ପରିଡାଙ୍କ ମଧ୍ୟରେ ତୁତୁ ମେମେ ପରିସ୍ଥିତି ସୃଷ୍ଟି ହୋଇଥିବା ଆଶଙ୍କା କରାଯାଉଥିଲା । ଯାହା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ନିଜେ ସମୀର ଦାସ ଗଣମାଧ୍ୟମ ଆଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।

ତେବେ ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିମାପଡାରେ ଉତ୍କର୍ଷ ନିମାପଡା ଉତ୍ସବ ପାଳନ କରିଥିବା ବେଳେ ସେପଟେ ସମୀର ଦାସ ମୋହନ ସରକାରଙ୍କ ଏକ ବର୍ଷ ପୂର୍ତି ପାଳନ କରିଥିଲେ । ଗୋଟିଏ ଦିନରେ ଦୁଇ ଦୁଇଟି ସମାବେଶ ବିଜେପି ଗଡରେ ବିଜେପି ନେତା କରିଥିବାରୁ ଏହାକୁ ନେଇ ଉଭୟଙ୍କ ଗୋଷ୍ଠୀକନ୍ଦଳ ଶୀର୍ଷରେ ପହଁଞ୍ଚିଥିବା ଆଲୋଚନା ହେଉଥିଲା । ଆଉ ଏ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଲା ସମୀରଙ୍କ ବିସ୍ଫୋରକ ବୟାନ । କାହିଁକି ନା ନିମାପଡାର ବିକାଶକୁ ନେଇ ସମୀର ପ୍ରଭାତୀଙ୍କ ଉପରେ ଖୁବ ବର୍ଷିଥିଲେ । ବର୍ଷେ ପରେ ବି ନିମାପଡାରେ ମାଟି ପଡିନଥିବା ଏବଂ ଯାହା ହୋଇଛି ତାହା ପୂର୍ବ ସରକାରଙ୍କ ଅର୍ଥରେ ହୋଇଥିବା କହିଥିଲେ ସମୀର । ଏହା ସହ ଉପମୁଖ୍ୟମନ୍ତ୍ରୀ ଯେଉଁ କାମର ଶୁଭ ଦେଇଛନ୍ତି ସେ ଟଙ୍କା ୨୦୨୨-୨୩ ଏବଂ ୨୦୨୩-୨୪ରେ ମଞ୍ଜୁର ହୋଇଥିବା ଖୁଲାସା କରିଛନ୍ତି ସମୀର । ନୂଆ ଯୋଜନା କି କାମ କିଛି ମଞ୍ଜୁର ହୋଇନି ବୋଲି ସାଙ୍ଘାତିକ ଅଭିଯୋଗ ଆଣି ବିଜେପିର ଖାସ କରି ପ୍ରଭାତୀଙ୍କ ଗୁମର ଖୋଲିଥିଲେ ସମୀର । ତେବେ ଖାଲି ଏତିକି ନୁହେଁ, ନିମାପଡା ଏବଂ ଗୋପରେ ପିସି କାରବାର ବଢିଚାଲିଥିବା ଅଭିଯୋଗ ବି ସମୀର କରିଥିବା ଶୁଣିବାକୁ ମିଳୁଛି ।

ତେବେ ଅନ୍ୟ ନିବାଚନ ମଣ୍ଡଳୀ ଭଳି ନିମାପଡା ବିଜେପିରେ ମଧ୍ୟ ନେତାଙ୍କ ମଧ୍ୟରେ କେଁ ରହିଥିବା ଦୀର୍ଘ ଦିନ ହେବ ଚର୍ଚ୍ଚା ହେଉଥିଲା । ଏପରିକି କିଛି ଦୃଶ୍ୟ ମଧ୍ୟ ସାମ୍ନାକୁ ଆସୁଥିଲା । ସମୀର ଏବଂ ପ୍ରଭାତୀଙ୍କୁ କେବେ ବି ଏକାଠି କାମ କରୁଥିବା ଦେଖିବାକୁ ମିଳୁନଥିବା ବେଳେ ଉଭୟ ନିମାପଡାରେ ଭିନ୍ନ ଭିନ୍ନ କାଯ୍ୟକ୍ରମ କରୁଥିବା ନଜର ଆସୁଥିଲେ । ଆଉ ଏବେ ଏ ଚର୍ଚ୍ଚାରେ ପୂଣ୍ଣଚ୍ଛେଦ ପଡିଛି । ତେବେ ଦେଖାଯାଉ ନିମାପଡା ରାଜନୀତିରେ ଆଗକୁ କେଉଁ ହଲଚଲ ସୃଷ୍ଟି ହେଉଛି ଏବଂ ଆଗାମୀ ଦିନରେ ସମୀର ପ୍ରଭାତୀଙ୍କ ରାସ୍ତାରେ କଣ୍ଟା ହୋଇ ଛିଡା ହେଉଛନ୍ତି କି ତା ଉପରେ ରହିଛି ସମସ୍ତଙ୍କ ନଜର ।

author

Related Articles

Leave a Reply

Your email address will not be published. Required fields are marked *