ଦିଲ୍ଲୀରୁ ଫେରିଲେ ନବୀନ-ମୋହନ
କାହିଁକି ଦିଲ୍ଲୀ ଯାଇଥିଲେ ଦୁଇ ମୁଖିଆ ସାମ୍ନାକୁ ଆସିଲା ସତ
ଫାଇନାଲ ହେଲା ବଡ ଡିଲ୍ ଓଡିଶାରେ ହେବ ବଡ ପରିବର୍ତ୍ତନ
ଏବେ ନବୀନଙ୍କ ଫୋକସରେ ସାଙ୍ଗଠନିକ ନିର୍ବାଚନ ଓ ଡିଲିମିଟେସନ ମିଟିଂ
ଦିଲ୍ଲୀରୁ ଫେରିଲେ ସିଧା ନବୀନ ନିବାସ ଗଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କାହିଁକି ହଠାତ୍ ଦିଲ୍ଲୀ ଯାଇଥିଲେ ସୁପ୍ରିମୋ ? ଓଡିଶାର ରାଜନୈତିକ ଦୃଶ୍ୟପଟକୁ ନେଇ ଦିଲ୍ଲୀରେ ହେଉଛି କି ମାନସମନ୍ଥନ ? ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ସରଗରମ ହୋଇଥିଲା ରାଜ୍ୟ ରାଜନୀତି । ରାଜନୈତିକ ଉଦ୍ଦେଶ୍ୟ ରଖି ନବୀନ ଦିଲ୍ଲୀ ଗସ୍ତ କରିଥିବା କୁହାଯାଉଥିଲା । କିନ୍ତୁ ଦିଲ୍ଲୀରୁ ନବୀନ ଫେରିବା ପରେ ତାଙ୍କ ଗସ୍ତ ସମ୍ପର୍କରେ ସ୍ପଷ୍ଟତା ସାମ୍ନାକୁ ଆସିଛି । ନବୀନଙ୍କ ଏହି ଦିଲ୍ଲୀ ଗସ୍ତ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଥିଲା । ରାଜନୈତିକ ସ୍ଥିତି ନେଇ ଦିଲ୍ଲୀରେ କୌଣସି ଆଲୋଚନା ହୋଇନାହିଁ । ବରଂ ଏବେ ନବୀନଙ୍କ ଫୋକସରେ ବିଜେଡିର ସାଙ୍ଗଠନିକ ନିର୍ବାଚନ ଓ ଡିଲିମିଟେସନ ମିଟିଂ । 22 ତାରିଖରେ ଚେନ୍ନାଇରେ ବସିବାକୁ ଯାଉଛି ବଡ ବୈଠକ ଆଉ ଏହି ବୈଠକରେ ଯୋଗଦେବା ପାଇଁ ସ୍ପଷ୍ଟ କରିଛନ୍ତି ବିଜେଡି ସୁପ୍ରିମୋ ।
ଦିଲ୍ଲୀ ଗସ୍ତରୁ ଫେରିବା ପରେ ଏବେ ଶଙ୍ଖଭବନରେ ହୋଇପାରେ ବଡ ମିଟିଙ୍ଗ । ଡିଲିମିଟେସନକୁ ନେଇ ବିଜେଡିର ବରିଷ୍ଠ ନେତୃତ୍ୱ ମାନଙ୍କ ସହିତ ଆଲୋଚନା କରିବେ ଶଙ୍ଖପତି । 2026 ଜନଗଣନା ଅନୁସାରେ ରାଜ୍ୟମାନଙ୍କର ଲୋକସଭା ଓ ବିଧାନସଭା ଆସନ ନିର୍ଦ୍ଦାରଣ ହେବ କିନ୍ତୁ ରାଜ୍ୟରେ ଆସନ ସଂଖ୍ୟା ବୃଦ୍ଧି ନ କରି ରହିଥିବା ଆସନକୁ ଅପରିବର୍ତ୍ତିତ ରଖିବାକୁ ବିଜେଡି ଦାବି କରିପାରେ । 1971 ଜନଗଣନା ଅନୁସାରେ ଦେଶର ଲୋକସଭା ସିଟ୍ 543 ଓ ବିଧାନସଭା ସିଟ୍ 147 ରହିଛି । ତେବେ 2026 ଜନଗଣନା ଅନୁଯାୟୀ ସିଟ୍ ସଂଖ୍ୟା ବଢାଯିବା ଆଶଙ୍କା କରାଯାଉଛି । ଯାହା ବିରୋଧରେ ବାହାରିଛି ବିଜେଡି । ଡିଲିମିଟେସନକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲି ଡାକିଥିବା ବୈଠକରେ ଆସନ୍ତା 22 ତାରିଖରେ ବିଜେଡି ସୁପ୍ରିମୋ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ନବୀନ କୌଣସି ବ୍ୟକ୍ତିଗତ କାରଣ ହେତୁ ଦିଲ୍ଲୀ ଗସ୍ତରେ ରହିଥିଲେ ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା ନେଇ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଥିଲେ । ହଠାତ୍ ଦୁଇ ମୁଖିଆଙ୍କ ଦିଲ୍ଲୀ ଗସ୍ତ ରାଜନୀତିକୁ ଉଷ୍ମ କରାଇଥିଲା । ଯଦିଓ ନବୀନଙ୍କ ଦିଲ୍ଲୀ ଗସ୍ତର ସ୍ପଷ୍ଟତା ସାମ୍ନାକୁ ଆସିସାରିଛି ମୋହନଙ୍କ ଦିଲ୍ଲୀ ଗସ୍ତର ଆଭିମୁଖ୍ୟ ଯାହା ଆକଳନ କରାଯାଉଥିଲା ତାହା ରହୁଛି ନା ବିରୋଧିଙ୍କୁ ଶାଣିତ ଆକ୍ରମଣ କରିବା ପାଇଁ ଦିଲ୍ଲୀରୁ ନୂଆ ମନ୍ତ୍ର ନେଇ ଫେରିଛନ୍ତି ମୋହନ ତାହା ଦେଖିବାକୁ ଅପେକ୍ଷା ।