ନବମ ଥର ପାଇଁ ବିଜେଡିର ସଭାପତି ହୋଇଛନ୍ତି ନବୀନ ପଟ୍ଟନାୟକ । ବିଜେପିରେ ମୁଖିଆ ଖୋଜାକୁ ନେଇ ମାନମନ୍ଥନ ଚାଲିଛି । କିନ୍ତୁ ଏପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ସଭାପତି ହେବା ପରେ ନିଜ ଦଳୀୟ ନେତାଙ୍କୁ ଥଇଥାନ କରିବା ଆରମ୍ଭ କରିଦେଇଛନ୍ତି । ବରିଷ୍ଠ ଓ ଯୁବଙ୍କୁ ଦାୟିତ୍ୱ ଦିଆଯିବା ସହିତ ସବୁ ବର୍ଗର ନେତାଙ୍କୁ ଖୁସି କରାଇବାକୁ ଉଦ୍ୟମ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ଦଳର 10 ଜଣା ବରିଷ୍ଠ ନେତାଙ୍କୁ ଫ୍ରଣ୍ଟରେ ରଖି ପଲିଟିକାଲ ଆଫେୟାର୍ସ କମିଟିରେ ଦାୟିତ୍ୱ ଦିଆଯାଇଛି । ପ୍ରମିଳା ମଲ୍ଲିକ,ପ୍ରଣବ ପ୍ରକାଶ ଦାସ,ସସ୍ମିତ ପାତ୍ରଙ୍କ ଭଳି ଟାଣୁଆ ନେତାଙ୍କୁ ଏହି କମିଟିରେ ନବୀନ ଦାୟିତ୍ୱ ଦେଇଛନ୍ତି । କେବଳ ସେତିକି ନୁହେଁ 71 ଜଣିଆ କମିଟି ଗଠନ କରି ନବୀନ ଦଳର ସବୁ ବର୍ଗର ନେତୃତ୍ୱଙ୍କୁ ଉପସଭାପତି ଓ ଜେନେରାଲ ସେକ୍ରେଟାରୀ ଦାୟିତ୍ୱ ଦେଲେ । ଶଙ୍ଖଭଭନରେ ନବୀନଙ୍କୁ ଭେଟି ଦଳର ତୁଙ୍ଗ ନେତାମାନେ ବିଜେଡିର ଆଗାମୀ ରଣନୀତି ନେଇ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ହଠାତ୍ ବିଜେଡିରୁ ଉଭାନ ହୋଇଯାଇଥିବା ଶ୍ରୀମୟୀ ମିଶ୍ର ଏବେ କାହିଁକି ଶଙ୍ଖଭବନ ଆସୁନାହାନ୍ତି ସେ ନେଇ ସାଧାରଣରେ ଚର୍ଚ୍ଚା ବଢିଲାଣି ।
ନିର୍ବାଚନ ସମୟରେ ଶ୍ରୀମୟୀଙ୍କୁ ବିଜେଡି ଦେଇଥିବା ଧୋକାକୁ ଭୁଲି ପୁଣିଥରେ ଶଙ୍ଖଭବନରେ ନଜର ଆସିଥିଲେ ଶ୍ରୀମୟୀ ମିଶ୍ର । ଶ୍ରୀମୟୀଙ୍କୁ ଖୁସି କରିବା ପାଇଁ ଦଳର ନୂଆ ନୂଆ କମିଟିରେ ତାଙ୍କୁ ଗୁରୁ ଦାୟିତ୍ୱ ଦେଲେ । ହେଲେ ପୁଣିଥରେ କାହିଁକି ନବୀନଙ୍କ ଉପରେ ଅଭିମାନ କରିଥିବା ଏବଂ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉନଥିବା କୁହାଯାଉଛି । ନିକଟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଏବଂ ବିଶ୍ୱ ମହିଳା ଦିବସକୁ ବିଜୁ ଜନତା ଦଳ ଧୁମଧାମରେ ପାଳନ କରିଥିଲେ କିନ୍ତୁ ସେଠାରେ ଶ୍ରୀମୟୀଙ୍କୁ ଦେଖିବାକୁ ମିଳିନଥିଲା । ଏମିତିକି ସଭାପତି ରୂପେ ନବୀନ ପଟ୍ଟନାୟକ ଦାୟିତ୍ୱ ନେବା ସମୟରେ ମଧ୍ୟ ଶଙ୍ଖଭବନରେ ଉପସ୍ଥିତ ନଥିଲେ ଶ୍ରୀମୟୀ ।
ୱାକଫ ବିଲକୁ ନେଇ ବିଜେଡିର ଗତ କିଛିଦିନ ତଳେ ତୁମ୍ୱିତୋଫାନ ଚାଲିଲା ଆଉ ସେହି ସମୟରେ ଶ୍ରୀମୟୀଙ୍କ ଗୋଟେ ପରେ ଗୋଟେ ପୋଷ୍ଟ ସସପେନ୍ସ ବଡାଇଲା । ସଭାପତି ହେବା ପରେ ନବୀନ ଗଠନ କରିଥିବା ନୂଆ କମିଟିରେ ଶ୍ରୀମୟୀ ମିଶ୍ରଙ୍କ ନାଁ ଅଛି କିନ୍ତୁ ବିଜେଡିରେ ତାଙ୍କୁ ଦେଖିବାକୁ ମିଳୁନାହିଁ ।
ତେବେ ପୁଣିଥରେ କେବେ ଶଙ୍ଖଭବନ ଯାଇ ବିଜେଡିର ନେତୃତ୍ୱ ନେଉଛନ୍ତି ଶ୍ରୀମୟୀ ଅପା ନା ଏମିତି ଏକା ଏକା ନିଜର ଜନସମ୍ପର୍କ ବୃଦ୍ଧି କରି ଆଗାମୀ ସାଧାରଣ ନିର୍ବାଚନରେ ମଇଦାନକୁ ଓହ୍ଲାଇବେ ତାହା ଦେଖିବାକୁ ଅପେକ୍ଷା ।