କଣ ଆପଣ ଖରାଦିନେ ଅଧିକ ଫ୍ରିଜ ପାଣି ପିଉଛନ୍ତି କି ? ଫ୍ରିଜ ପାଣି ବଦଳରେ ମାଠିଆ ପାଣି ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଆପଣ ଜାଣନ୍ତି କି ? ବର୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସୁନି । ଆଉ ଏହି ଖରାରୁ ରକ୍ଷା ପାଇବା ପାଇଁ ଏବଂ ଶୋଷ ମେଣ୍ଟାଇବା ପାଇଁ ଅନେକ ଫ୍ରିଜ ପାଣି ପିଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ସବୁ ସମୟରେ ଫ୍ରିଜ ପାଣି ପିଇବା ଆମ ପାଇଁ ଭଲ ହୋଇନଥାଏ । ଏହା ବଦଳରେ ଆପଣ ମାଟିରେ ତିଆରି ମାଠିଆରେ ପାଣି ରଖି ପିଇପାରିବେ । ମାଠିଆ ପାଣି ପିଇବାର ମଧ୍ୟ ଅନେକ ଉପକାରିତା ରହିଛି । ତେଣୁ ଇସ୍ପାତ ଏବଂ ପ୍ଲାଷ୍ଟିକ ପାତ୍ର ବଦଳରେ ଆପଣ ମାଟି ପାତ୍ରରେ ପାଣି ରଖି ପିଇବା ଦରକାର। ଏହି ପାଣି ପିଇବା ଦ୍ଵାରା ଅନେକ ସ୍ୱାସ୍ଥ୍ୟଗତ ଲାଭ ହେବ। ଏହି ମାଠିଆ ପାଣି ଆପଣଙ୍କୁ ଅନେକ ରୋଗରୁ ମୁକ୍ତି ଦେବ।
ଯେହେତୁ ମାଠିଆ ମାଟିରେ ପ୍ରସ୍ତୁତ ହୋଇଥାଏ ତେଣୁ ଏହା ଜୀବାଣୁ ନାଶକ । ମାଠିଆ ପାଣି ପିଇବା ଦ୍ୱାରା ଅଜୀର୍ଣ୍ଣ ସମସ୍ୟା ଅନେକାଂଶରେ ଦୂର ହୋଇଥାଏ । କ୍ଳାନ୍ତିରୁ ମଧ୍ୟ ଏହି ପାଣି ଉପଶମ ଦିଏ । ଯଦି ଶରୀରର କୌଣସି ସ୍ଥାନରୁ ରକ୍ତ କ୍ଷରଣ ହେଉଛି ତେବେ ସେଠାରେ ମାଠିଆ ପାଣି ଢ଼ାଳିଲେ ରକ୍ତ କ୍ଷରଣ ଅନେକାଂଶରେ ବନ୍ଦ ହୋଇଯାଏ । ସକାଳୁ ଉଠି ମାଠିଆ ପାଣି ପିଇବା ଦ୍ୱାରା ଆଖି ଓ ହାର୍ଟ ସୁସ୍ଥ ରହିଥାଏ । ପେଟଜନିତ ସମସ୍ୟା ବିଶେଷଭାବରେ ଗ୍ୟାଷ୍ଟ୍ରିକ ରୋଗୀଙ୍କ ପାଇଁ ଏହି ପାଣି ବେଶ୍ ଉପକାରୀ । ଯଦି ଆପଣଙ୍କର ଆଜମା ଜନିତ ସମସ୍ୟା ରହିଛି ତେବେ ମାଠିଆ ପାଣିଠାରୁ ନିଜକୁ ଯେତେ ସମ୍ଭବ ଦୂରେଇ ରୁଖନ୍ତୁ । ପ୍ରତିଦିନ ମାଠିଆରୁ ବାସି ପାଣି ବାହାର କରି ପରିଷ୍କାର ପାଣି ଭର୍ତ୍ତି କରନ୍ତୁ । କାରଣ ମାଠିଆରେ ପାଣି ଅଧିକ ଦିନ ବ୍ୟବହୃତ ନ ହୋଇ ରହିଲେ ସେଥିରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଆନ୍ତି । ତେଣୁ ପ୍ରତିଦିନ ମାଠିଆ ପାଣିକୁ ବଦଳାଇ ଦିଅନ୍ତୁ ।