ପୁଣି ବାଜିଲା ନିର୍ବାଚନର ବିଗୁଲ । ପୂରଣ ହେବ ଖାଲି ପଡିଥିବା ପଦବୀ ? କିଏ ମାରିବ ବାଜି କିଏ ଦଖଲ କରିବ ପଞ୍ଚାୟତ ଉପନିର୍ବାଚନ । ତିନି ରାଜନୈତିକ ଦଳମାନେ ନିଜର ଜୋରଦାର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ହଁ ଦର୍ଶକବନ୍ଧୁ ଆରମ୍ଭ ହେଲା ପଞ୍ଚାୟତ ଉପନିର୍ବାଚନ ପାଇଁ ପ୍ରକ୍ରିୟା । ଆସନ୍ତା ସପ୍ତାହରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ପଞ୍ଚାୟତ ସ୍ତରରେ ଖାଲିପଡିଥିବା ଏକହଜାର 134ଟି ପଦବୀ ପାଇଁ ଉପନିର୍ବାଚନ ହେବ । ଅବାଧ ଓ ନିରପେକ୍ଷ ନିର୍ବାଚନ ଉପରେ ରାଜ୍ୟ ନିର୍ବାଚନ ଆୟୋଗର ପ୍ରାଥମିକତା ରହିଛି । ତେବେ ରାଜ୍ୟର ତିନି ପ୍ରମୁଖ ଦଳମାନେ ନିଜ ନିଜର ସଜବାଜ ଆରମ୍ଭ କରିଦେଇଛନ୍ତି ।
ବିଜେଡି-କଂଗ୍ରେସ-ବିଜେପି ତିନି ଦଳମାନଙ୍କ ମଧ୍ୟରେ ପଞ୍ଚାୟତ ଉପନିର୍ବାଚନକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି । ଗୋଟିଏ ପଟେ ବିଜେପି ପ୍ରଥମ ଥର ପାଇଁ ସରକାରକୁ ଆସିବା ପରେ ଏହା ପ୍ରଥମ ପଞ୍ଚାୟତ ଉପନିର୍ବାଚନ ଅଟେ । କିପରି ଭାରତୀୟ ଜନତା ପାର୍ଟି ପୁଣିଥରେ ନିଜର ଦବଦବା ଜାହିର କରିବ ସେ ନେଇ ବିଜେପି ଶିବିରରେ ଅଙ୍କକଶା ଆରମ୍ଭ ହୋଇଯାଇଛି ।
ଅନ୍ୟପଟେ ଭାରତୀୟ ଜନତା ପାର୍ଟି ସରକାରକୁ ମାତ୍ ଦେବା ପାଇଁ ଶଙ୍ଖଭବନ ଓ କଂଗ୍ରେସ ଭବନରେ ଚାଲିଛି ମାନସମନ୍ଥନ । ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାରେ ପକାଇବା ପାଇଁ ଗୋଟିଏ ବି ମୌକାକୁ ହାତଛଡା କରୁନାହାନ୍ତି ବିରୋଧି ଦଳ ।
11 ମାସର ସରକାରରେ ରାଜ୍ୟରେ ନାରୀ ଅତ୍ୟାଚାର ବଢିଛି ଏବଂ ଦରଦାମ ବୃଦ୍ଧି ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ସାମ୍ନା କରିବାକୁ ପଡୁଛି । କେତେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅପରାଗତା ମଧ୍ୟ ସାଧାରଣ ଲୋକଙ୍କୁ ହନ୍ତସନ୍ତ କରାଉଛି । ପ୍ରତିଶ୍ରୁତି ଦେଇ ନିଜ ପ୍ରତିଶ୍ରୁତି ରକ୍ଷା କରିବାରେ ଫେଲ ମାରିଛନ୍ତି ନିଜକୁ ଲୋକଙ୍କ ସରକାର ବୋଲାଉଥିବା ମୋହନ ସରକାର । ହେଲେ ବି ପଞ୍ଚାୟତ ଉପନିର୍ବାଚନର ବାଜି ଜିତିବା ପାଇଁ ବିଜେପି ତାର ସମସ୍ତ ପ୍ରକାର ଷ୍ଟ୍ରାଟେଜିକୁ ଆପଣାଇଛି ।
ମାତ୍ର ଆଉ ମାସକ ପରେ ପଞ୍ଚାୟତ ଉପନିର୍ବାଚନର ବିଗୁଲ ବାଜିବାକୁ ଯାଉଛି ଆଉ କେଉଁ ରାଜନୈତିକ ଦଳ ଏଥିରେ ବାଜି ମାରୁଛନ୍ତି ଓ ଜନତାଙ୍କ ହୃଦୟ ଜିତିପାରୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।