ନିର୍ବାଚନ ପୂର୍ବରୁ ସାଧାରଣ ଜନତା ଏବଂ ସରକାରୀ କର୍ମଚାରୀଙ୍କ ପାଇଁ ଉପହାରର ପେଡି ଖୋଲି ଦେଇଛନ୍ତି ରାଜ୍ୟ ସରକାର । ମଙ୍ଗଳବାର ସରପଞ୍ଚ, ଜିଲ୍ଲା ସମିତି ସଭ୍ୟଙ୍କ ଭତ୍ତା ବଢାଇଥିବା ବେଳେ ଆଜି ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌର ପରିଷଦ ଓ ୬୮ଟି ବିଜ୍ଞାପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ଦରମା ଓ ଭତ୍ତାରେ ବୃଦ୍ଧି କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ମହାନଗର ନିଗମର ମେୟର ପୂର୍ବରୁ ୮ ହଜାର ଟଙ୍କା ଦରମା ପାଉଥିବା ବେଳେ ଏହାକୁ ସଂଶୋଧନ କରାଯାଇ ମାସିକ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଡେପୁଟି ମେୟରଙ୍କ ଦରମା ମାସିକ ୫ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।ପୌର ପରିଷଦ ଅଧ୍ୟକ୍ଷଙ୍କ ଦରମା ମାସିକ ୧୫ ଶହରୁ ୧୫ ହଜାର ଟଙ୍କାକୁ, ଉପାଧ୍ୟକ୍ଷଙ୍କ ଦରମା ମାସିକ ୧୨ ଶହରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏନ୍.ଏ.ସି. ଅଧ୍ୟକ୍ଷମାନଙ୍କର ମାସିକ ଦରମା ହଜାରେ ଟଙ୍କାରୁ ୧୦ ହଜାର ଟଙ୍କାକୁ ଏବଂ ଉପାଧ୍ୟକ୍ଷଙ୍କ ମାସିକ ଦରମା ୮୦୦ ରୁ ୭ ହଜାର ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

You can share this post!
author