ଆଇନ ମନ୍ତ୍ରୀଙ୍କ ପରେ ଏବେ ଯୋଗାଣ ମନ୍ତ୍ରୀଙ୍କ ପାଳି । ମନ୍ତ୍ରୀଙ୍କ ବୟାନକୁ ନେଇ ଚିନ୍ତାରେ ପଡିଲେ ରାଜ୍ୟବାସୀ । ବାରମ୍ବାର ନୂଆ ମନ୍ତ୍ରୀଙ୍କ ବୟାନ ଏବଂ ପ୍ରତିଶୃତିକୁ ନେଇ ରାଜ୍ୟରେ ଚହଳ ପଡୁଛି । ପୂର୍ବରୁ ଆଇନମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ବଡ ବଡ ବୟାନ ଦେଉଥିଲେ । ସେ ରତ୍ନଭଣ୍ଡାରକୁ ନେଇ ହେଉ , କିମ୍ବା ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗକୁ ନେଇ ହେଉ କିମ୍ବା ମଦ ବନ୍ଦକୁ ନେଇ ହେଉ ଆଇନ ମନ୍ତ୍ରୀ ଗୋଟିଏ ପରେ ଗୋଟିଏ ବୟାନ ଦେଉଥିଲେ । କିନ୍ତୁ କୌଣସି ସମସ୍ୟାର ସମାଧାନ ଏଯାଏଁ ହୋଇପାରିଲାନାହିଁ । କେଉଁ ପ୍ରସଙ୍ଗରେ ତଦନ୍ତ ଅବହେଳା ତ ଆଉ କେଉଁ ପ୍ରସଙ୍ଗକୁ ଆଇନ ମନ୍ତ୍ରୀ ସମ୍ପୂର୍ଣ୍ଣ ଭୁଲି ଯାଇଥିବା କୁହାଯାଉଛି । ଆଉ ଏବେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମଧ୍ୟ ଆଇନମନ୍ତ୍ରୀଙ୍କ ଢାଞ୍ଚାରେ ପଡିଯାଇଥିବା ଚର୍ଚ୍ଚା ହେଉଛି ।
ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଳୁ ପ୍ରସଙ୍ଗ ଉପରେ ବଡ ବଡ ମନ୍ତବ୍ୟ ଦେଉଛନ୍ତି । କେତେବେଳେ ଆଳୁ ସମସ୍ୟାକୁ ନେଇ ପୂର୍ବ ସରକାରଙ୍କୁ ଦାୟୀ କରୁଛନ୍ତି ତ ଆଉ କେତେବେଳେ ଏହା ପଛରେ ନବୀନ-ମମତାଙ୍କ ଭିତ୍ତି ରି ପ୍ଲାନ ଥାଇପାରେ ବୋଲି କହୁଛନ୍ତି । ଆଉ କେତେବେଳେ ଆମେ ମାଗିଖିଆ ନୁହଁ, ଆମେ ପଶ୍ଚିମବଙ୍ଗ ଆଗରେ ହାତ ପତେଇବୁନି ଏବଂ ପଶ୍ଚିମବଙ୍ଗରୁ ଆଉ ଆଳୁ ମଗାଯିବନି ବୋଲି ବଡ ବୟାନ ଦେଇଛନ୍ତି । ଏହା ସହ ଆଳୁ ଦର ବଜାରରେ ଅଧିକ ଥିବା ବେଳେ ମନ୍ତ୍ରୀ ଏହାକୁ ମାନିବାକୁ ନାରାଜ । ପଶ୍ଚିମବଙ୍ଗ ପରିବର୍ତେ ଉତ୍ତରପରଦେଶରୁ ଶହ ଶହ ଆଳୁ ଆସିବା ନେଇ ଦୃଢୋକ୍ତି ଦେଖାଉଛନ୍ତି । ଯାହାକୁ ନେଇ ଏବେ ରାଜ୍ୟବାସୀ ଚିନ୍ତାରେ ପଡିଯାଇଛନ୍ତି । ପଶ୍ଚିମବଙ୍ଗରୁ ଆଳୁ ନଆସିବା କାରଣରୁ ବଜାରରେ ଆଳୁ ଦରରେ ଅହେତୁକ ବୃଦ୍ଧି ଘଟୁଛି ।
ଅନ୍ୟପଟେ ଉତ୍ତରପ୍ରଦେଶ ଆଳୁକୁ ଖାଉଟି ଏତେଟା ପସନ୍ଦ କରୁନାହାନ୍ତି । ଶୀଘ୍ର ପଚିଯିବା କାରଣରୁ ବ୍ୟବସାୟୀମାନେ ମଧ୍ୟ ନାହିଁ ନଥିବା ହଇରାଣ ହେଉଛନ୍ତି । କିନ୍ତୁ ଏତେ ସବୁ ପରେ ବି ଯୋଗାଣ ବିଭାଗ ବେଫିକର । ଯାହାକୁ ନେଇ ଏବେ ବିରୋଧୀ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ।