ଆଉ ମାତ୍ର ପାଞ୍ଚଦିନର ଅପେକ୍ଷା ପ୍ରଥମ ଜନ୍ମଦିନ ପାଳନ କରିବେ ମୋହନ ସରକାର । ହେଲେ ଏହା ପୂର୍ବରୁ ଭାରତୀୟ ଜନତା ପାର୍ଟି ଶିବିରରେ ଗୋଟିଏ ପରେ ଗୋଟିଏ ବିସ୍ପୋରଣ ହେବାରେ ଲାଗିଛି । ସମୀର-ପ୍ରଭାତି କଳି ବିଜେପିର ଅନ୍ତଃକନ୍ଦଳକୁ ପଦାରେ ପକାଇଥିବା ବେଳେ ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କ ଏକ ବୟାନ ବିଜେପିରେ ବିଦ୍ରୋହ ସୃଷ୍ଟି କରିଛି । ଦଳୀୟ କନ୍ଦଳକୁ ଭିତ୍ତିରିଆ ଚାପି ସରକାର ନିଜର ଭଲ କାମର ଚର୍ଚ୍ଚା କରିବାକୁ ଯାଉଛନ୍ତି କିନ୍ତୁ ବିଜେପିର ଏମିତି କିଛି ନେତାଙ୍କ ପାଇଁ ହଟ୍ଟହଟ୍ଟା ହେବାରେ ଲାଗିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିମାପଡାରେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ମୁଖପାତ୍ର ସମୀର ରଞ୍ଜନ ଦାସ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ କଳିକୁ ନେଇ ଉଠୁଛି ପଡୁଛି ନିମାପଡା ।
ଏହାରି ଭିତରେ ଜୟନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି । ବିଜେପି ପ୍ରାର୍ଥୀ ଚୟନରେ ଭୁଲ୍ ହୋଇଥିଲା ବୋଲି କହିଛନ୍ତି ଜୟ ନାରାୟଣ। ସେ କହିଛନ୍ତି ଯେ, ଏକଥା ବାରମ୍ବାର କହିଛି, ହେଲେ କେହି ଶୁଣୁନାହାନ୍ତି। ଯେଉଁଥି ପାଇଁ ୩ଜଣ ସ୍ଵାଧୀନ ପ୍ରାର୍ଥୀ ଜିତିଛନ୍ତି। ସେହିପରି ମନ୍ତ୍ରିମଣ୍ଡଳ ସଂପ୍ରସାରଣ କାହିଁକି ହୋଇପାରୁନି ତାହା ମୁଖ୍ୟମନ୍ତ୍ରୀଙ୍କୁ ଜଣା। ଏ ସମ୍ପର୍କରେ ମୁଖିଆ ଉତ୍ତର ଦେଇପାରିବେ ବୋଲି କହିଛନ୍ତି ଜୟ ନାରାୟଣ। କେବେ ସଭାପତି ଚୟନ ହେବେ ତାହା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜଣା ବୋଲି କହିଛନ୍ତି ଜୟ ନାରାୟଣ। ଜୟନାରାୟଣଙ୍କ ମନ୍ତବ୍ୟରେ ଜବାବ ରଖିଛନ୍ତି ଇରାଶିଷ। ପ୍ରାର୍ଥୀ ଚୟନରେ ଭୁଲ୍ ହୋଇନାହିଁ ବୋଲି କହିଛନ୍ତି ଇରାଶିଷ। ଦଳ ଠିକ ଦିଗରେ ଚାଲିଛି।
ମନ୍ତ୍ରୀ ପଦବୀ ନମିଳିବାରୁ ବାରମ୍ୱାର ଗଣମାଧ୍ୟମ ସାମ୍ନାରେ ଅସନ୍ତୋଷ ଝାଡୁଥିବା ଜୟନାରାୟଣ ମିଶ୍ର ଏମିତି କହିବା ପରେ ବିଜେପିର ଭିତିର ସତ ପଦାରେ ପଡିଛି । ଖୋଦ ଦଳୀୟ ନେତା ନିଜ ଦଳର ଅସଫଳତାକୁ ଲୋକଙ୍କ ସାମ୍ନାକୁ ଆଣୁଛନ୍ତି । ତେବେ ଜୟଙ୍କ ବିସ୍ପୋରଣ ଓ ନିମାପଡାରେ ସମୀର-ପ୍ରଭାତି କଳିକୁ ସାମ୍ନା କରି କିପରି ବର୍ଷେ ପୂର୍ତ୍ତି ଉତ୍ସବ ପାଳନରେ ସଫଳ ହେଉଛନ୍ତି ମୋହନ ସରକାର ତାହା ଦେଖିବାକୁ ଅପେକ୍ଷା ।