
ପଟ୍ଟାମୁଣ୍ଡାଇ, ୭ା୩ (କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ଭେଷଜ ନିୟନ୍ତ୍ରକଙ୍କ ବିଭାଗର ଅଧିକାରୀ ପଟ୍ଟାମୁଣ୍ଡାଇ ଅଞ୍ଚଳ ପାଇଁ ଏକପ୍ରକାର ନୀରବତା ଅବଲମ୍ବନ କରୁଥିବାରୁ ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ବ୍ୟାପକ ଭାବେ ବେଆଇନ ଔଷଧ କାରବାର ବୃଦ୍ଧି ପାଉଛି। ନିମ୍ନମାନର ଔଷଧ ସାଙ୍ଗକୁ ନକଲି ବ୍ରାଣ୍ଡ ଔଷଧ ବଜାରରେ ବିକ୍ରି ଓ ସପ୍ଲାଇ କରାଯାଉଛି। ରୋଗରୁ ଆରୋଗ୍ୟ ଲାଭ ପାଇଁ ମନୁଷ୍ୟ ସେବନ କରୁଥିବା ନକଲି ଓ ନିମ୍ନମାନର ଔଷଧ ଖାଇ ରୋଗ ଭଲ ହେବା ପରିବର୍ତ୍ତେ ନାନାପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଉଛି। ଜିଲା ଭେଷଜ ବିଭାଗ ଅସାଧୁ ବ୍ୟବସାୟୀଙ୍କ ପାଖରେ ବନ୍ଧା ପଡ଼ିଥିବା ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଫଳରେ ରୋଗୀଟି ରୋଗରୁ ମୁକ୍ତି ପାଇବାକୁ ଡାକ୍ତରଙ୍କ ଦ୍ୱାରା ପ୍ରେସ୍ସ୍କ୍ରାଇବ ହୋଇଥିବା ନାମୀଦାମୀ କମ୍ପାନୀର ଆଣ୍ଟିବାୟୋଟିକ, ଜ୍ୱର, ଥଣ୍ଡା, ଡାଇବେଟିସ୍, କିଡ୍ନୀ, ହାର୍ଟ, ରକ୍ତଚାପ ପରି ଔଷଧ ପରିବର୍ତ୍ତେ ନକଲି ଔଷଧ ଯୋଗାଯାଇ ଜୀବନ ସହ ଖେଳ ଖେଳାଯାଉଛି। କଟକ, ଭୁବନେଶ୍ୱର, ସମ୍ବଲପୁର ଆଦି ବିଭିନ୍ନ ସହରରେ ଡ୍ରଗ୍ସ କଣ୍ଟ୍ରୋଲର ପକ୍ଷରୁ ଚଢ଼ାଉ କରାଯାଇ ଦୋକାନରେ ଥିବା ଔଷଧ ଯାଞ୍ଚ କରାଯାଉଛି। ଏଭଳି ବେଆଇନ କାରବାର ପଛରେ ବ୍ୟାପକ ଅର୍ଥ ଲଗାଯାଇଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲା ଭେଷଜ ନିରୀକ୍ଷକ ପ୍ରଦୀପ ସାହୁଙ୍କୁ ପଚାରିବାରେ କଟକ, କେନ୍ଦ୍ରାପଡ଼ା ୨ଟି ଜିଲା ଦାୟିତ୍ୱରେ ଅଛି। ଯାଞ୍ଚ ଚାଲିଛି ଆଗକୁ ତ୍ୱରାନ୍ବିତ କରାଯିବ ବୋଲି ସେ କହିଛନ୍ତି।