ଆଗକୁ ଗ୍ରୀଷ୍ମଋତୁ । ଅସହ୍ୟ ଗରମ ହେବାର ସମ୍ଭାବନା ରହିଛି । ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଲୋକେ ପୋଡ଼ୁ ଚାଷ ଓ ମହୁଲ ସଂଗ୍ରହ କରିବା ପାଇଁ ଜଙ୍ଗଲରେ ନିଆଁ ଲଗାଇଥାନ୍ତି। ଜଙ୍ଗଲରେ ନିଆଁ ଲଗାଇଲେ ସାଧାରଣ ଜନତା କିଭଳି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ଜଙ୍ଗଲ ନଷ୍ଟ ହେବା ଦ୍ୱାରା ଆମର କଣ କ୍ଷତି ଘଟେ ସେ ସମ୍ପର୍କରେ ଲୋକଙ୍କୁ ସଚ଼େତନ କରିବା ପାଇଁ ସ୍ଥାନୀୟ ବନ ବିଭାଗ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଥିଲା। ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀପ୍ରସାଦ ବିଷୋୟୀଙ୍କ ନେତୃତ୍ଵରେ ମୋହନା ବନପାଳ ଦେବାଶିଷ୍ ଶତପଥୀ,ନଳାଘାଟ ବନପାଳ ଲକ୍ଷ୍ମୀକାନ୍ତ ପାତ୍ର,ପାଣିଗଣ୍ଡା ବନପାଳ ରମାକାନ୍ତ ରଇତ ଓ ଜଙ୍ଗଲ ସୁରକ୍ଷା ବାହିନୀ କର୍ମଚାରୀ ମିଳିତ ଭାବେ ୨୫ରୁ ଉର୍ଦ୍ଧ୍ଵ ବାଇକ ଶୋଭାଯାତ୍ରାରେ ବାହାରି ସଚେତନତା ମୂଳକ ବାର୍ତ୍ତା ଦେଇଥିଲେ | ହାତରେ ଫ୍ଲାକାର୍ଡ଼ ଧରି ସକାଳ ୯ଟାରେ ମୋହନାରୁ ବାହାରିଥିଲେ। ତାପରେ ଡ଼େଙ୍ଗାସଖାଲ,ଗୁଲୁବା,ବିରିକୋଟ, ଖାରିଗୁଡ଼ା, ସିନ୍ଧିବା ଆଦି ପଞ୍ଚାୟତର ଦୁର୍ଗମ ଗ୍ରାମ ଗୁଡ଼ିକୁ ଯାଇ ଲୋକଙ୍କୁ ସଚେତନ କରାଇଥିଲେ। ବନବିଭାଗର ଏଭଳି ଅଭିନବ ପ୍ରୟାସକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି । ଆଗକୁ ସ୍ଥାନୀୟ ବ୍ଲକର ସମସ୍ତ ପଞ୍ଚାୟତରେ ଏଭଳି ସଚେତନତା ମୂଳକ ପ୍ରୟାସ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
