ନୂଆ ରୂପରେ ଆସିଲେ ବାହୁବଳୀ । ନୂଆ ଦାୟିତ୍ୱ ଦେଲେ କଂଗ୍ରେସ ମୁଖିଆ । ବାହୁବଳୀଙ୍କ ରଣହୁଙ୍କାର କମ୍ପିବ ମୋହନଙ୍କ ଗଡ । ହଁ ଆଜ୍ଞା କଂଗ୍ରେସ ଦଳର ହେଲା ପୁର୍ନବିନ୍ୟାସ, ନୂଆ ଟିମ ଗଢିଲେ ପିସିସି ସଭାପତି ଭକ୍ତ ଦାସ । ଭକ୍ତଙ୍କ ଟିମର କଂଗ୍ରେସର ଛାମୁଆ ସଙ୍ଗଠନ । ଶାସକ ଦଳକୁ ଟକ୍କର ଦେବାକୁ କଂଗ୍ରେସ ଆରମ୍ଭ କଲା ନୂଆ ଅଭିଯାନ । ଗତ ସାଧାରଣ ନିର୍ବାଚନ ପରେ ପରେ ସ୍ଥାଣୁ ପାଲଟିଥିବା କଂଗ୍ରେସ ଏବେ ବେଶ ସକ୍ରିୟ । ବିଧାନସଭାରେ ହଲ୍ଲାବୋଲ୍ଲା କରି ଶାସକ ଦଳକୁ ଘାଇଲା କରୁଥିଲେ । ଭିନ୍ନ ଭିନ୍ନ ଅନ୍ଦାଜରେ ବିଧାନସଭାରେ ନଜର ଆସୁଥିଲା କଂଗ୍ରେସ । ଆଉ ଏବେ ପିସିସି ସଭାପତି ଭକ୍ତ ଦାସ ଗଢିଛନ୍ତି ନୂଆ ଟିମ । ଫେବୃୟାରୀ ମାସରୁ ଦାୟିତ୍ୱ ନେଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଭକ୍ତ ନିଜ ଟିମ ଗଠନ କରିନଥିଲେ । ତେବେ ଶନିବାର ଦିନ ଭକ୍ତ ନିଜର ଟିମ ଗଠନ କରିଛନ୍ତି । ପିସିସି ଉପସଭାପତି,ସମ୍ପାଦକ ସାଧାରଣ ସମ୍ପାଦକଙ୍କର ତାଲିକା ଏଆଇସିସି ଘୋଷଣା କରିଛି । ଉପସଭାପତି ତାଲିକାରେ କଂଗ୍ରେସରେ ସାତଜଣ ପୁରୁଖା ନେତାଙ୍କୁ ଦାୟିତ୍ୱ ମିଳିଛି ।
ବାହୁବଳୀ ନେତା ରମେଶ ଜେନାଙ୍କୁ ଉପସଭାପତି ଦାୟିତ୍ୱ ଦେଇଛି ଏଆଇସିସି । କଂଗ୍ରେସର ଟାମୁଆ ନେତା ସାନଖେମୁଣ୍ଡି ମାଟିର ପୁଅ ରମେଶ ଜେନା ଗତ ନିର୍ବାଚନରେ ମୋଦି ଲହରକୁ ଭେଦ କରି ନିଜ ଗଡରେ ହାତକୁ ବିଜୟ କରିଥିଲେ । ଆଉ ଏବେ ପଦ୍ମ ଦଳକୁ ଟକ୍କର ଦେବା ପାଇଁ ଗଞ୍ଜାମ ଟାଇଗରଙ୍କୁ ମିଳିଛି ନୂଆ ଦାୟିତ୍ୱ । କଂଗ୍ରେସଲ ରାଲି ହେଉ କି ବିଧାନସଭାରେ ହଲ୍ଲାବଲ୍ଲା ସବୁଠି ବାହୁବଳୀଙ୍କୁ ଖୋଜାଯାଏ । ଭକ୍ତଙ୍କ ସାତଜଣିଆ ଉପସଭାପତି ଟିମରେ ଅଛନ୍ତି ବାହୁବଳୀ ନେତା ରମେଶ ଜେନା ।
କେବଳ ନିଜ ନିର୍ବାଚନ ମଣ୍ଡଳୀ ସାନଖେମୁଣ୍ଡି ନୁହେଁ ବରଂ ସମ୍ପୂର୍ଣ୍ଣ ଗଞ୍ଜାମ ଗଡରେ ରହିଛି ବାହୁବଳୀ ନେତା ରମେଶ ଜେନାଙ୍କ ଦବଦବା । ନିକଟରେ ହିଞ୍ଜିଳି ଓ ବ୍ରହ୍ମପୁରରେ ମଧ୍ୟ ରମେଶ ଜେନାଙ୍କୁ କିଛି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ଗଞ୍ଜାମରେ ଉଭୟ ବିଜେଡି ଓ ବିଜେପିର ଦୁଇ ଟାଣୁଆ ନେତା ରହିବା ସତ୍ତ୍ୱେ ଗଞ୍ଜାମ ବାସୀ ସାନଖେମୁଣ୍ଡିର ସୁନାପୁଅ ରମେଶ ଜେନାଙ୍କୁ ଲୋଡିଥିଲେ । ଏପଟେ ବିଜେପି ବର୍ଷେ ପୂର୍ତ୍ତି ଉତ୍ସବ ପାଳନ ପାଇଁ ନିଜର ଜୋରଦାର ପ୍ରସ୍ତୁତି ଆରମ୍ଭ କରିସାରିଛି ଆଉ ସେପଟେ ନିଜ ସଙ୍ଗଠନକୁ ମଜଭୁତ କରି ସରକାରଙ୍କ ବିରୁଦ୍ଧରେ ବାହାରିଲାଣି କଂଗ୍ରେସ । ତେବେ ଦେଖିବାକୁ ବାକି ରହିଲା ପିସିସି ସଭାପତି ଦେଇଥିବା ନୂଆ ଦାୟିତ୍ୱରେ ରାଜ୍ୟ ରାଜନୀତିରେ କି କମ୍ପମାନ କରୁଛନ୍ତି କଂଗ୍ରେସ ବିଧାୟକ ରମେଶ ଜେନା ।