ଆରମ୍ଭ ହେଲା ନବୀନଙ୍କ ସଜବାଜ
ମଇଦାନରେ ବିଜେଡିର ନୂଆ ଟିମ୍
ମିଶିଗଲେ ବରିଷ୍ଠ ଓ ଯୁବ ଆଉ କହିପାରିବେନି ମୋହନ
ନବୀନ ନୁହେଁ ଶାସକ ଦଳକୁ ଘାଇଲା କରିବ ବିଜେଡିର ନୂଆ ଟିମ
କେବେ ନୂଆ ଟିମ ଗଢିବେ ନବୀନ ? କାହାକୁ ଦେବେ ଗୁରୁଦାୟିତ୍ୱ ? ଏ ସବୁ ପ୍ରଶ୍ନରେ ଏବେ ପୂର୍ଣ୍ଣଚ୍ଛେଦ ପଡିସାରିଛି । ରାତିଅଧିଆ ନବୀନ ଗଢିଛନ୍ତି ନୂଆ ଟିମ । ଦାୟିତ୍ୱ ବାଣ୍ଟିବା ସହ ନିଜ ଦଳକୁ ସୁଧାରିବା ପାଇଁ ନବୀନ ଆରମ୍ଭ କରିଛନ୍ତି ନୂଆ ରଣନୀତି । ନିର୍ବାଚନର ପରାଜୟ ପରେ ପ୍ରଥମ ଥର ପାଇଁ ବିଜେଡି ନୂଆ ଟିମ ଗଠନ କରିଛି । ଛାମୁଆ ନେତାଙ୍କୁ ଦାୟିତ୍ୱ ବଣ୍ଟାଯାଇଛି । ହେଲେ ସବୁଠାରୁ ଗୁରତ୍ୱପୂର୍ଣ୍ଣ କଥା ହେଉଛି ଚର୍ଚ୍ଚାରେ ଥିବା ନେତାଙ୍କ ନାଁରେ ବାଜି ପାରିନି ମୋହର । ସୂଚନାଅନୁଯାୟୀ ଗତ ଏପ୍ରିଲ 19 ତାରିଖରେ ନବମ ଥର ପାଇଁ ବିଜେଡି ସଭାପତି ଭାବେ ଦାୟିତ୍ୱ ନେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଏହାର ଠିକ୍ କିଛିଦିନ ପରେ ନବୀନ ଏବେ ନିଜର ନୂଆ ଟିମ ଘୋଷଣା କରିଛନ୍ତି ।
ନବୀନଙ୍କ ନୂଆ ଟିମରେ ପ୍ରସନ୍ନ ଆଚାର୍ଯ୍ୟ,ଅରୁଣ ସାହୁ,ଅତନୁ ସବ୍ୟସାଚ୍ଚୀ ନାୟକ,ପ୍ରମିଳା ମଲ୍ଲିକ ଓ ଦେବୀ ମିଶ୍ରଙ୍କ ପରି ବରିଷ୍ଠ ନେତାଙ୍କୁ ଦାୟିତ୍ୱ ମିଳିବ ବୋଲି ଚର୍ଚ୍ଚା ହେଉଥିଲା । ଆଉ ତାହା ମଧ୍ୟ ହେଲା । ଦେବୀ ମିଶ୍ରଙ୍କ ଛାଡି ଅନ୍ୟ ନେତାଙ୍କୁ ନବୀନ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି । ଯୁବ ଓ ବରିଷ୍ଠଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଯାଇ ବିଭିନ୍ନ କମିଟି ଓ ସାମ୍ମୁଖ୍ୟରେ ସମସ୍ତ ନେତାଙ୍କୁ ଏକପ୍ରକାର ଥଇଥାନ କଲାପରି ଦାୟିତ୍ୱ ବାଣ୍ଟିଛନ୍ତି ନବୀନ । 14 ଜଣଙ୍କୁ ଉପସଭାପତି ଭାବେ ନିଯୁକ୍ତ କରିଛନ୍ତି ତ । ଅରୁଣ ସାହୁ,ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ନେତାଙ୍କ ପ୍ରଣ୍ଟାଲ ୱିଙ୍ଗରେ ରଖିଛନ୍ତି ନବୀନ ।
ଏ ସବୁ ଭିତରେ ନବୀନଙ୍କ ଟିମକୁ ନେଇ ରାଜ୍ୟ ରାଜନୀତିର ଚର୍ଚ୍ଚା ବଢିଛି । ନିର୍ବାଚନର ପରାଜୟ ପାଇଁ ଯେଉଁ ନେତାଙ୍କୁ ଦାୟୀ କରାଯାଉଥିଲା ଯେଉଁ ନେତା ବିଜେଡି ବିରୋଧରେ ବୟାନବାଜି କରୁଥିଲେ ସେମାନଙ୍କ ଗୋଚ୍ଛି କାଟିଛନ୍ତି ବିଜେଡି ସୁପ୍ରିମୋ । ନା କୌଣସି ଦାୟିତ୍ୱ ଦିଆଯାଇଛି ନା ପଦପଦବୀ ମିଳିଛି ।
ତେବେ ନବୀନଙ୍କ ଟିମକୁ ନେଇ ଶାସକ ଶିବିରରେ କମ୍ପନ ସୃଷ୍ଟି ହେବା ଆରମ୍ଭ ହୋଇଯାଇଛି । ଶାସକ ଦଳର ଗୋଷ୍ଠୀକନ୍ଦଳ ଓ ରାଜ୍ୟ ସଭାପତି ଚୟନରେ ବିଳମ୍ୱ ପ୍ରକ୍ରିୟାକୁ ତ୍ୱରାନିତ୍ୱ କରାଇବା ପାଇଁ ଓଡିଶା ଧାଇଁବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା । ଏପଟେ ନବୀନ ନିଜର ଟିମ ଗଠ କରିସାରିଥିବା ବେଳେ ମୋହନଙ୍କ ଟିମ ପଛରେ ପଡିଯାଇଚି । ତେବେ ଦେଖିବାକୁ ବାକି ରହିଲା କେବେ ନବୀନଙ୍କ ସହ ତାଳଦେଇ ଚାଲିପାରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।