ବିଜେଡି ଶିବିରରେ ବଡ ହଲଚଲ । ଦଳର ନବକଳେବର ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ହଁ ଆଜ୍ଞା, ବିଜେପି ପରେ ଏବେ ବିଜେଡିର ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନିର୍ବାଚନ ପରେ ଦଳର ସମସ୍ତ ପୁରୁଣା କମିଟି ସଭାପତି ଭଙ୍ଗ କରିଥିଲେ । କିନ୍ତୁ ଏବେ ପୁଣି ଥରେ ଦଳର ନେତାଙ୍କୁ ଦାୟିତ୍ୱ ଦେବା ପାଇଁ ଦଳର ସଭାପତି ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏହି ସମସ୍ତ ଦାୟିତ୍ୱ ଦଳର ବରିଷ୍ଠ ନେତା ତଥା ବିରୋଧୀ ଦଳର ଉପ ମୁଖ୍ୟସଚେତକ ପ୍ରତାପ କେଶରୀ ଦେବଙ୍କୁ ଦିଆଯାଇଥିବା ସୂଚନା ମିଳିଛି । ବିଜେଡିର ସାଙ୍ଗଠନିକ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି ପ୍ରତାପ । ଆଗାମୀ ଦିନରେ ସାରା ରାଜ୍ୟରେ ନିର୍ବାଚନ ପରିଚାଳନା ପାଇଁ ପର୍ଯ୍ୟବେକ୍ଷକ ଓ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବା ନେଇ ସୂଚନା ମିଳିଛି । ଏହା ସହ ଜିଲ୍ଲାସ୍ତରୀୟ ନିର୍ବାଚନ ଅଧିକାରୀ ମଧ୍ୟ ନିଯୁକ୍ତ ହେବେ । ଏବଂ ଏହି ପ୍ରକ୍ରିୟା ୧୧ରୁ ୧୨ ସପ୍ତାହ ଚାଲିବା ନେଇ ଦଳର ବରିଷ୍ଠ ନେତା ସୂଚନା ଦେଇଛନ୍ତି ।
ତେବେ, ନିର୍ବାଚନରେ ହାରିବା ପରେ ପୂର୍ବରୁ ଦଳର ସାଙ୍ଗଠନିକ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଉଥିବା ହେଭିୱେଟ ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ସମ୍ପାଦକ ପଦରୁ ହଟିଥିଲେ । ଆଉ ବବିଙ୍କ ପରେ ସେହି ସ୍ଥାନ କିଏ ନେବେ ସେନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଥିଲା । ପୁଣି ଥରେ ନବୀନ ଦଳର ଦାୟିତ୍ୱ ଜଣଙ୍କ ଉପରେ ନ୍ୟସ୍ତ କରିବେ ନା ଦଳର ବରିଷ୍ଠ ନେତାଙ୍କ ପରାମର୍ଶରେ ସମ୍ପାଦକ ନିଯୁକ୍ତ କରିବେ ସେନେଇ ପ୍ରଶ୍ନ ଉଠିଥିଲା । କିନ୍ତୁ ଏ ସମ୍ପର୍କରେ କିଛି ବି ନିଷ୍ପତ୍ତି ନିଆଯାଇନଥିଲା । କିନ୍ତୁ ଏବେ ଦଳର ଉନ୍ନତି ପାଇଁ ଏବଂ ଦଳକୁ ମଜବୁତ କରିବା ପାଇଁ ନବୀନ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆଉ ଏହି ନିର୍ବାଚନରେ ବବିଙ୍କୁ କେଉଁ ପଦବୀ ମିଳିବ ଏବଂ ବବିଙ୍କ ସ୍ଥାନରେ ସମ୍ପାଦକ ପଦ କିଏ ତୁଲାଇବ ତାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି ।
ଅନ୍ୟପଟେ, ଏହି ନିର୍ବାଚନରେ ଅନେକ ନୂଆ ନୂଆ ନେତାଙ୍କୁ ଦାୟିତ୍ୱ ମିଳିବା ନେଇ ଆଶଙ୍କା କରାଯାଉଛି । କାରଣ ନିର୍ବାଚନରେ ଦଳ ହାରିବାର କାରଣ ଅନେକ ନୂଆ ନେତାଙ୍କୁ ଭରଷା କରିବା ଏବଂ କିଛି ଜଣଙ୍କୁ ଦଳରେ ଅଗ୍ରାଧିକାର ଦେବାକୁ ସାଧାରଣରେ ଦର୍ଶାଯାଉଥିଲା । ଯାହାକୁ ଦୃଷ୍ଟିରେ ରଖି ନବୀନ ବିରୋଧୀ ଆସନରେ ବସିବା ପରଠାରୁ ଦଳର ବରିଷ୍ଠ ନେତାଙ୍କୁ ଆଗକୁ ଆଣିବା ସହ ସେମାନଙ୍କ ଉପରେ ଦଳର ଦାୟିତ୍ୱ ଦେଉଥିବା ନଜର ଆସୁଛନ୍ତି । ତେଣୁ ସାଙ୍ଗଠନିକ ନିର୍ବାଚନରେ ମଧ୍ୟ ଅନେକ ନୂଆ ଚେହେରା ଏବଂ ଅଭିଜ୍ଞ ନେତାଙ୍କୁ ସୁଯୋଗ ମିଳିବା ନେଇ ଆଶଙ୍କା କରାଯାଉଛି । ତେବେ ଦେଖାଯାଉ କେଉଁ କେଉଁ ନେତାଙ୍କୁ ସୁଯୋଗ ମିଳୁଛି ଏବଂ ଦଳ କିପରି ନିର୍ବିବାଦୀୟ ନେତାଙ୍କୁ ନେଇ ଆଗକୁ ବଢୁଛି ତାହା ଦେଖିବାକୁ ଅପେକ୍ଷା ।