ବିଜେପିକୁ ଘାରିଛି ଗେରୁଆ ନିଶା । କାନ୍ଥ ବାଡ ପରେ ଏବେ ରାଜ୍ୟରେ ବସ ବି ଗେରୁଆ ରଙ୍ଗରେ ପରିଣତ ହୋଇଗଲାଣି । ପ୍ରଥମେ ଲକ୍ଷ୍ମୀ ବସ ଆଉ ଏବେ ପ୍ରବାସୀଙ୍କ ପାଇଁ ଓଡିଶା ଆସିଥିବା ନୂଆ ଡବଲ ଡେକର ବସ ବି ଗେରୁଆ ରଙ୍ଗର ହୋଇଥିବା ଦେଖିବାକୁ ମିଳିଛି । ଆଉ ଏହି ବସରେ ବି ବିଜେପି ନିଜ ଛାପ ଛାଡିବାକୁ ପଛଘୁଞ୍ଚା ଦେଇନି । ତେବେ ଏହି ଡବଲ ଡେକର ବସରେ ଓଡିଶାର କୀର୍ତୀମାନ ସ୍ଥାନ ପାଇବା ସହ ଶ୍ରୀମନ୍ଦିରର ଚିତ୍ର ମଧ୍ୟ ସ୍ଥାନ ପାଇଛି । ବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଫଟୋ ବି ରହିଛି । ବସର ତଳ ଡେକରରେ ଶ୍ରୀମନ୍ଦିରର ଫଟୋ ରହିଥିବା ବେଳେ ଉପର ଡେକରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଛି । ଏବଂ ଏଥିରୁ ବିଜେପି ଶ୍ରୀମନ୍ଦିର ଠାରୁ ମୁଖ୍ୟମନ୍ତ୍ରୀଙ୍କୁ ବେଶି ଗୁରୁତ୍ୱ ଦେଉଥିବା ଚର୍ଚ୍ଚା ଚାଲିଛି ।
ତେବେ ଜାନୁଆରୀ ମାସରେ ପ୍ରବାସୀ ସମ୍ମିଳନୀ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରବାସୀ ସମ୍ମିଳନୀରେ ଦେଶ ବିଦେଶରୁ ଅନେକ ହାଇପ୍ରୋଫାଇଲ ବ୍ୟକ୍ତିତ୍ୱ ସାମିଲ ହେବାର ସୂଚନା ରହିଛି । ଏବଂ ଏଥିପାଇଁ ଓଡିଶାକୁ ପ୍ରଥମଥର ପାଇଁ ଡବଲ ଡେକର ବସ୍ ଆସିଛି । ଏବଂ ଯେପରି ଏହି ବସରେ ଓଡିଶାର କୀର୍ତିମାନ ଝଲସିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । କିନ୍ତୁ ଏଥିରେ ଶ୍ରୀମନ୍ଦିରର ରଙ୍ଗ, ସ୍ଥାନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।