ରାଜନୀତିର ଚର୍ଚ୍ଚିତ ଚେହେରା ସୁର ରାଉତରାୟ । ୨୪ ନିର୍ବାଚନରେ ଶାସକ ଦଳକୁ ହଟାଇବା ପାଇଁ ଦୁଇ ଜାତୀୟ ଦଳ ରଣନୀତି ପ୍ରସ୍ତୁତ କରିଥିବା ବେଳେ ଏଥର ନିର୍ବାଚନରେ ସୁରଙ୍କ ଦୁଇ ପୁଅ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ସ୍ପଷ୍ଟ ହୋଇଥିଲା । ନିର୍ବାଚନୀ ରଣାଙ୍ଗନୀରେ ନୂଆ କରି ପାଦ ଥାପି ଥିବା ସୁରଙ୍କ ଦୁଇ ପୁଅ ନିଜର ଦବଦବା ଦେଖାଉଛନ୍ତି । ବଡ ପୁଅ ସିଦ୍ଦାର୍ଥ ରାଉତରାୟ କଂଗ୍ରେସ ଟିକେଟରୁ ନିମାପଡା ପ୍ରାର୍ଥୀ ହେବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଥିବା ବେଳେ ସାନ ପୁଅ କେଉଁ ଦଳରୁ ଲଢିବେ ବୋଲି ଦୀର୍ଘ ଦିନ ହେଲା ଚର୍ଚ୍ଚା ହେଉଛି । ତେବେ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରୁ ମୈଦାନକୁ ଓହ୍ଲାଇବେ ନାହିଁ ବୋଲି ସିଧା ସିଧା ମନା କରିଦେଇଥିଲେ । ଏବେ ମନ୍ମଥ ବିଜେପିରୁ ନିର୍ବାଚନ ଲଢିବେ ବୋଲି ଏକ ପ୍ରକାର ହିଣ୍ଟ ଦେଇଛନ୍ତି ।
ପୂବରୁ ମନ୍ମଥ ୫ଟି ଏବଂ ବିଜେଡିର ଅନେକ କାର୍ଯ୍ୟକୁ ପ୍ରଶଂସା କରିଥିବା ବେଳେ ଏବେ ବିଜେଡିର ମୁଖ୍ୟ ବିରୋଧୀ ବିଜେପି ସପକ୍ଷରେ କଥା କହୁଥିବାର ଦେଖିବାକୁ ମିଳିଛି । ମନ୍ମଥଙ୍କ କହିବା କଥା ତାଙ୍କୁ ଉଭୟ ଦଳରୁ ଅଫର ଅଛି । ସେ ବିଜେଡି ବିଜେପି ଉଭୟଙ୍କ ସହ କଥା ହେଉଛନ୍ତି । ତେବେ ନିକଟରେ ଶେଷ ହୋଇଥିବା ୩ଟି ରାଜ୍ୟର ବିଧାନସଭା ନିବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିବା ବେଳେ ଏହାକୁ ନେଇ ରାଜ୍ୟ ବିଜେପି ବେଶ୍ ଉତ୍ସାହିତ ଅଛି । ରାଜ୍ୟରେ ଏଥର ବି ବିଜେଡି ଅତି ସହଜରେ ଜିତିବ ବୋଲି ଯେଉଁ ଆଶା କରିଥିଲା ତାହା ଏଥର ହବନି ବୋଲି କହି ବିଜେପିରୁ ଲଢିବେ ବୋଲି ଏକ ପ୍ରକାର ହିଣ୍ଟ ଦେଇଛନ୍ତି ମନ୍ମଥ । ତେବେ ସେ କେଉଁ ଦଳରୁ ଲଢିବେ ଆଉ କିଛି ଦିନ ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।
ସେ ଅନ୍ୟ ଦଳରୁ ନିର୍ବାଚନ ଲଢିବେ ନା ନିବାଚନରୁ ସନ୍ୟାସ ନେବେ ସେ ସମ୍ପର୍କରେ ବାପା ସୁର ରାଉତରାୟ ଘୋଷଣା କରିବେ ବୋଲି ସେ କହିଛନ୍ତି । ତେବେ ସୁରଙ୍କ ଦୁଇ ପୁଅ କଂଗ୍ରେସରୁ ଲଢିବେ ବୋଲି ଯେଉଁ ଆଶା ରଖିଥିଲେ ତାକୁ ସାନ ପୁଅ ମନ୍ମଥ ଚୁରମାର କରିଦେଇଛନ୍ତି । ଯାହାକୁ ନେଇ ଆଗାମୀ ଦିନରେ ରାଉତରାୟ ପରିବାରରେ ମତାନ୍ତର ଦେଖାଦେଇପାରେ ବୋଲି ଚର୍ଚ୍ଚା ହେଉଛି । ଦୀର୍ଘ ଦିନରୁ ରାଉତରାୟ ପରିବାର କଂଗ୍ରେସ ସହ ଜଡିତ ଥିବା ବେଳେ ମନ୍ମଥଙ୍କ ଏଭଳି ନିଷ୍ପତ୍ତି ତାଙ୍କ ପରିବାର ଉପରେ କଣ ପ୍ରଭାବ ପକାଇବ ତାହା ଦେଖିବାକୁ ବାକି ରହିଲା ।