ବିଜେପିରେ କାହିଁକି ଏତେ ଚୁପ୍ ଆମଦାନୀ ନେତା ? କାହାକୁ ଡରୁଛନ୍ତି ନା ନିଜେ ନିଜେ ସାଇଡ୍ ହେଉଛନ୍ତି ? ଗତ ନିର୍ବାଚନରେ ଆମଦାନୀ ନେତାଙ୍କ ପାଇଁ ବିଜେପି ଜିତିଥିବା ଏବେ ବି ଅନେକ ବିଶ୍ୱାସ କରନ୍ତି । ବିଜେଡିରେ ନିଜର ଏକ ପରିଚୟ ସୃଷ୍ଟି କରିଥିବା ଅନେକ ନେତା ଏବେ ବିଜେପି ଶିବିରରେ । ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କଠାରୁ ଆରମ୍ଭ କରି ସାଂସଦ ପ୍ରଦୀପ ପାଣିଗ୍ରାହୀ, ସିଦ୍ଧାନ୍ତ ମହାପାତ୍ର, ସମୀର ଦାସଙ୍କ ପର୍ଯ୍ୟନ୍ତ ସମସ୍ତ ନେତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି । କିନ୍ତୁ ବିଜେପିରେ ଏହି ପରିଚୟ ଲୁଚି ଯାଉଥିବା ଚର୍ଚ୍ଚା ହେଉଛି । କାହିଁକି ନା ବିଜେପି ଏମାନଙ୍କୁ ଏତେଟା ଫୋକସ ଦେଉନଥିବା ଏବଂ ଏମାନଙ୍କୁ ପ୍ରଚ୍ଛଦପଟରେ ରଖୁଥିବା କୁହାଯାଉଛି । କୌଣସି ଦଳୀୟ କାର୍ଯ୍ୟକ୍ରମରେ ଏମାନଙ୍କ ଏତେଟା ସକ୍ରିୟତା ନଥିବାରୁ ଏବଂ ବିରୋଧୀଙ୍କୁ କଡା ଜବାବ ଦେଉନଥିବାରୁ ଏଭଳି ଆଶଙ୍କା କରାଯାଉଛି ।
ଅନ୍ୟପଟେ କିନ୍ତୁ ବିଜେଡି ଶିବିରରେ ଓଲଟା ଚିତ୍ର ଦେଖିବାକୁ ମିଳୁଛି । ବିଜେପି କିମ୍ବା ଅନ୍ୟ ଦଳରୁ ବିଜେଡିକୁ ଆସିଥିବା ନେତାଙ୍କୁ ବିଜେଡି ସଭାପତି ବଡ ବଡ ଦାୟିତ୍ୱ ଦେଉଛନ୍ତି । ଲେଖାଶ୍ରୀ ସାମନ୍ତସିଂହାରଙ୍କ ଠାରୁ ଆରମ୍ଭ କରି ଭୃଗୁ ବକ୍ସିପାତ୍ର, ବାପି ସର୍ଖେଲ, ଇରାନୀ ରାୟଙ୍କ ପର୍ଯ୍ୟନ୍ତ ସମସ୍ତ ଆମଦାନୀ ନେତାଙ୍କୁ ନବୀନ ଦଳର ଆଗଧାଡିର ନେତାଙ୍କ ମଧ୍ୟରେ ସାମିଲ କରିବା ସହ ସେମାନଙ୍କୁ ଗୁରୁଦାୟିତ୍ୱ ଦେଉଛନ୍ତି । କିନ୍ତୁ ବିଜେପି ଆମଦାନୀ ନେତାଙ୍କୁ କୋଣଠେସା କରିଥିବା ଏବଂ ସେମାନଙ୍କୁ ଦଳରେ ପ୍ରାଧାନ ଦେଉନଥିବା ଦେଖିବାକୁ ମିଳୁଛି ।
ତେବେ ଆମଦାନୀ ନେତାଙ୍କ ମଧ୍ୟରେ ପ୍ରଶାନ୍ତ ଜଗଦ୍ଦେବ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କୁ ନିର୍ବାଚନ ପୂର୍ବରୁ କୁହାଳିଆ ନେତା କୁହାଯାଉଥିଲା । କିନ୍ତୁ ଏବେ ଏମାନେ ନୀରବା ଦ୍ରଷ୍ଟା । ଏପରିକି ଦିଲ୍ଲୀ ନେତାଙ୍କ ଗୁଡବୁକରେ ଏମାନେ ରହିଥିବା ସେଭଳି ମନେ ହେଉନି । ଅନ୍ୟପଟେ ସମୀର ଦାସ, ଅରିନ୍ଦମ ରାୟ ମଧ୍ୟ କ୍ଷମତା ପାଇଁ ବିଜେପି ଶିବିରକୁ ଆସିଥିଲେ । କିନ୍ତୁ ସରକାରକୁ ୬ ମାସ ବିତିବା ପରେ ମଧ୍ୟ ଏଯାଏଁ ଏମାନଙ୍କୁ ଥଇଥାନ କରାଯାଇନାହିଁ । ତେଣୁ ଦଳରେ ଅଣଦେଖା ଏବଂ କୋଣଠେସା ରହିବା କାରଣରୁ ଏମାନେ ବିଜେଡି ଶିବିରରୁ ବିଜେପି ଶିବିରକୁ ଆସିଛନ୍ତି । ଯଦି ବିଜେପି ଶିବିରରେ ସମାନ ପରିସ୍ଥିତି ରୁହେ ତେବେ ନେତାମାନେ ପୁଣି ବିଜେଡି ଆଡକୁ ଢଳିବାକୁ ବେଶି ସମୟ ଲାଗିବନି ବୋଲି ସେ ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।