ନିର୍ବାଚନ ପରେ ଓଡିଶା ପରି ଦିଲ୍ଲୀରେ ହେବ ବି ବଡ ପରିବର୍ତନ? ବିରୋଧୀ ଭାବେ ବିଜେପିର ରାସ୍ତା ରୋକ କରିପାରିବ ତ ଆପ୍ ? ଏଭଳି କିଛି ପ୍ରଶ୍ନ ଏବେ ଦିଲ୍ଲୀ ରାଜନୀତିକୁ ନେଇ ସୃଷ୍ଟି ହୋଇଛି । କାରଣ ଓଡିଶା ପରି ଦିଲ୍ଲୀର ରାଜନୈତିକ ପାଣିପାଗ ବଦଳିଯାଇଛି । ଦୀର୍ଘ ବର୍ଷ ଧରି ଶାସନ ଗାଦିରେ ବସିଥିବା ଆମ ଆଦମୀ ପାର୍ଟୀ ଏବେ ବିରୋଧୀ ସାଜିଛି । ଏବଂ ବିଜେପି ୨୭ ବର୍ଷର ବନବାସ ପରେ ଦିଲ୍ଲୀରେ ସରକାର ଗଢିଛି । ଫଳରେ ଓଡିଶା ପରି ଦିଲ୍ଲୀ ମଧ୍ୟ ସମାନ ପରିସ୍ଥିତିର ସାମ୍ନା କରିଥିବା ଚର୍ଚ୍ଚା ହେଉଛି । କିନ୍ତୁ ଓଡିଶାରେ ବିଜେପି ସରକାର କରିବା ପରେ ମଧ୍ୟ ବିରୋଧୀ ବିଜେଡିର କ୍ରେଜ ଅଧିକ ରହିଛି । ଶାସକ ଦଳ ଅପେକ୍ଷା ବିରୋଧୀ ଦଳକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ଏପରିକି ବିରୋଧୀଙ୍କ ସ୍ୱରରେ ଶାସକ ଦଳର ନେତା ଟିକେ ଫିକା ପଡୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ସାଧାରଣ ଲୋକେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ କମ୍ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବେଶି ଖୋଜୁଛନ୍ତି । ଯାହା ଓଡିଶାର ରାଜନୀତିର ପାଣିପାଗକୁ ଆହୁରି ସରଗରମ କରିବା ସହ ଶାସକ ଦଳ ବିରୁଦ୍ଧରେ ଗୋଟିଏ ଶସକ୍ତ ବିରୋଧୀ ଭାବେ ବିଜେଡି ଛିଡା ହୋଇଥିବା କୁହାଯାଉଛି । କିନ୍ତୁ ଦିଲ୍ଲୀରେ ଏଭଳି ପରିସ୍ଥିତି ଆପ୍ ସୃଷ୍ଟି କରିପାରିବ ନା ନାହିଁ ସେନେଇ ଦ୍ୱନ୍ଦ୍ୱ ମଧ୍ୟ ଉପୁଜିଛି । କାରଣ ବିଭିନ୍ନ ମହଲରେ ଚର୍ଚ୍ଚା ଅନୁସାରେ ହାରିବା ପରେ ଆମ ଆଦମୀ ପାର୍ଟୀ ଦୁର୍ବଳ ହେବାରେ ଲାଗିଛି । ତେଣୁ ଦିଲ୍ଲୀରେ ଆପ ପ୍ରମୁଖ ବିରୋଧୀ ଭାବେ ଉଭା ହେବା କଷ୍ଟକର ହୋଇପାରେ ବୋଲି ସେ ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।