ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସମସ୍ତ ନେତାଙ୍କୁ କର୍ଣ୍ଣମନ୍ତ୍ର ଦେଲେ ମୋଦି । ହେଲେ ଶୁଣିପାରିଲେନି ସମୀର ଦାସ । ୩ ଦିନିଆ ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସୁ ଆସୁ ଆକ୍ସନ ମୋଡକୁ ଆସିଥିଲେ । ଏକ ଜନସଭାକୁ ସମ୍ବୋଧନ କରି ବିଜେପି ପାର୍ଟୀ ଅଫିସକୁ ଯାଇ ସେଠାରେ ହିସାବ ନିକାସ ଆରମ୍ଭ କରିଥିଲେ । ପ୍ରାୟ ଦୁଇ ଘଣ୍ଟା ବିଜେପି ପାର୍ଟୀ ଅଫିସରେ ରହିବା ସହିତ ବିଧାୟକ, ସାଂସଦ ଏବଂ ପଦାଧୀକାରୀମାନଙ୍କୁ ସିକ୍ରେଟ ମନ୍ତ୍ର ଦେଇଥିଲେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ରାଜ୍ୟ ସରାକରଙ୍କ ୬ ମାସର ରିପୋର୍ଟ କାର୍ଡ ନେବା ସହ ସାଂସଦ ଏବଂ ବିଧାୟକମାନଙ୍କ କାମର ହିସାବ ମଧ୍ୟ ନେଇଥିଲେ । ଏହା ସହ ଆଗକୁ ଆସୁଥିବା ପଞ୍ଚାୟତ ନିବାଚନ ପାଇଁ ମୋଦି ଦଳର ରଣନୀତି କିପରି ହେବା ଆବଶ୍ୟକ ସେନେଇ ମଧ୍ୟ ନେତାଙ୍କ କାନରେ ମନ୍ତ୍ର ଫୁଙ୍କିଥିବା କୁହାଯାଉଛି । ଏପରିକି ରାଜନୈତିକ ଆଲୋଚନା ସହ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ମୋଦି ଆଲୋଚନା କରିବା ସହ ଦଳୀୟ ନେତାଙ୍କ ସହ ମିଶି ରାତ୍ରି ଭୋଜନ ମଧ୍ୟ କରିଥିଲେ । ଏବଂ ଏହା ପରେ ରାଜଭବନ ଅଭିମୁଖେ ରାତ୍ରି ଯାପନ ନିମନ୍ତେ ବାହାରିଥିଲେ । କିନ୍ତୁ ଏତେ ସବୁ କାର୍ଯ୍ୟକ୍ରମ ଭିତରେ ହଜି ଯାଇଥିଲେ ସମୀର ଦାସ । କାରଣ ଯେଉଁ ବୈଠକରେ ପ୍ରଧାନମନ୍ତ୍ରୀ ଦଳର ଉନ୍ନତି ସମ୍ପର୍କୀତ ଆଲୋଚନା କରୁଥିଲେ ସେଠାରେ ସମୀର ଦାସ ଅନୁପସ୍ଥିତ ଥିବା ଚର୍ଚ୍ଚା ହେଉଛି । କେବଳ ଦଳରେ କିଛି ଦାୟିତ୍ୱ ନିର୍ବାହ କରୁଥିବା ନେତାମାନେ ହିଁ ଉପସ୍ଥିତ ରହିଥିବା ଜଣାପଡିଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ଏବଂ ଆଲୋଚନା କରିବାର ଫଟୋ ଏବଂ ଭିଡିଓ ସମସ୍ତ ବିଜେପି ନେତାମାନେ ନିଜ ନିଜ ସୋସିଆଲ ମିଡିଆରେ ସେୟାର କରିବା ସହିତ ବୈଠକରେ କଣ ଆଲୋଚନା ହେଲା ସେ ସମ୍ପର୍କରେ ସମ୍ୟକ ଧାରଣା ଦେଇଛନ୍ତି । କିନ୍ତୁ ସମୀର ନିଜ ସୋସିଆଲ ମିଡିଆରେ ଏ ସବୁ କିଛି ବି ସେୟାର କରିନାହାନ୍ତି । ଯାହା ସମୀରଙ୍କୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାକୁ ଖୋରାକ ଯୋଗାଉଥିବା କୁହାଯାଉଛି । ଅନ୍ୟପଟେ ସମୀର ଦାସଙ୍କୁ ନିର୍ବାଚନ ପରଠାରୁ ଦଳରେ କିଛି ଦାୟିତ୍ୱ ମିଳିବା ନେଇ ଆଲୋଚନା ଲାଗି ରହିଛି । କିନ୍ତୁ ଏଯାଏ ତାଙ୍କୁ ଦଳ କୌଣସି ପଦ ପଦବୀରେ ସ୍ଥାନିତ କରିନି । ତେବେ ସମୀରଙ୍କୁ କେବେ ଦଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳୁଛି ଏବଂ ସମୀର ଦଳର ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହୁଛନ୍ତି ତା ଉପରେ ରହିଛି ସମସ୍ତଙ୍କ ନଜର ।

You can share this post!
author