ଡବଲ ଇଞ୍ଜିନ ସରକାରରେ ଆଇନ ସମସ୍ତଙ୍କ ପାଇଁ ଏକ୍ । ଦୋଷୀ ଯେତେ ଶକ୍ତିଶାଳୀ ଏବଂ ସାମର୍ଥ୍ୟବାନ୍ ହୋଇଥିଲେ ମଧ୍ୟ ଆଇନରୁ ଉର୍ଦ୍ଧ୍ୱରେ କେହି ନୁହେଁ । ବିଜେଡି ସରକାରରେ ଦୋଷୀଙ୍କୁ ଘୋଡାଯାଉଥିଲା କିନ୍ତୁ ବିଜେପି ସରକାରରେ ଆଇନରୁ ଉର୍ଦ୍ଧ୍ୱରେ କେହି ନାହାନ୍ତି ବୋଲି ବିଧାନସଭାରେ ବଡ ବୟାନ ଦେଇଥିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । କିନ୍ତୁ ବାସ୍ତବରେ ବିଜେପିର ଆଇନ ବ୍ୟବସ୍ଥା କେମିତି ତାହା କାହାକୁ ଅଛପା ନାହିଁ ।
ସାଧାରଣ ଲୋକ ତ ଦୂରର କଥା ଖୋଦ ଶାସକ ଦଳର ବିଧାୟକ ବାରମ୍ବାର ଆଇନକୁ ହାତକୁ ନେଉଥିବା ବେଳେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ରାଜ୍ୟ ସଙ୍ଗୀତକୁ ବାରମ୍ବାର ଅପମାନ ଦେବା. ସାମ୍ବାଦିକ ସମ୍ମିଳନୀରେ ଅସଭ୍ୟ ଭାଷା ପ୍ରୟୋଗ କରିବା, ବିଧାନସଭାରେ ହାତାହାତି ପରିସ୍ଥିତି ସୃଷ୍ଟି କରିବା, ଏପରିକି ପୋଲିସଙ୍କ ଉପରକୁ ହାତ ଉଠାଇ ଥାନା ଜାଳିଦେବାକୁ ଖୋଲାଖୋଲି ଧମକ ଦେବା ସତ୍ୱେ ହାତ ବାନ୍ଧି ବସିଛନ୍ତି ମୋହନ ସରକାର । ନା ବିଧାୟକଙ୍କୁ ତାଗିଦ କରାଯାଉଛି ନା ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଏପରିକି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମଧ୍ୟ କୌଣସି ବୟାନ ଦେଉନାହାନ୍ତି । ଯାହା ବିଜେପିର ଦୋ ମୁହାଁ ନୀତିକୁ ପଦାରେ ପକାଉଛି ।
ତେବେ କେବଳ ବିଧାୟକ ଜୟନାରାୟଣ ମିଶ୍ର ନୁହଁନ୍ତି, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ବିଧାନସଭା ଭଳି ପବିତ୍ର ଗୃହରେ ଅସଭ୍ୟ ଭାଷା ପ୍ରୟୋଗ କରିଥିଲେ । ତା ବିରୋଧରେ ମଧ୍ୟ କାଯ୍ୟାନୁଷ୍ଠାନ ଜିରୋ । ଏହା ସହ କିଛି ଦିନ ପୂର୍ବରୁ ବିଜେପି ନେତା ଠାକୁର ରଞ୍ଜିତ ଦାସ ପୋଲିସ ଷ୍ଟେସନରେ ହଙ୍ଗାମା କରୁଥିବା ଏବଂ ପୋଲିସଙ୍କୁ ହାକିମ୍ ଦେଖାଉଥିବା ନଜର ଆସିଥିଲେ । ଏବଂ ନିଜ ପାୱାରର ଭୁଲ୍ ବ୍ୟବହାର କରୁଥିଲେ । ଏବଂ ଏହି ପ୍ରସଙ୍ଗରେ ମଧ୍ୟ ମୋହନ ସରକାର ନୀରବତା ଅବଲମ୍ବନ କରିଥିଲେ । କିନ୍ତୁ ଏତେ ସବୁ ପରେ ବି ରାଜ୍ୟରେ ଡବଲ ଇଞ୍ଜିନ ସରକାରର ଆଇନ ବ୍ୟବସ୍ଥାକୁ ନେଇ ବିଜେପି ନେତାମାନେ ମିଛ ପ୍ରଚାର ପ୍ରସାର କରିବାରେ ଆଦୌ ହେଳା କରୁନାହାନ୍ତି । ତେବେ ଦେଖାଯାଉ ସୂର୍ଯ୍ୟବଂଶୀଙ୍କ ଏହି ବୟାନକୁ ନେଇ ରାଜ୍ୟ ରାଜନୀତିରେ କେଉଁ କମ୍ପନ ହେଉଛି ଏବଂ ଯୁବନେତା ଭାବରେ ସୂର୍ଯ୍ୟବଂଶୀଙ୍କର ଯେଉଁ ଲୋକପ୍ରିୟତା ରହିଛି ତା ଉପରେ କିପରି ପ୍ରଭାବ ପକାଉଛି ତାହା ଦେଖିବାକୁ ଅପେକ୍ଷା ।