ପ୍ରଥମ ଅଧିବେଶନରେ ଆସୁନଥିଲେ ଦ୍ୱିତୀୟ ଅଧିବେଶନରେ ପ୍ରତିଦିନ ଆସୁଛନ୍ତି । ଘଣ୍ଟା ଘଣ୍ଟା ଧରି ବିଧାନସଭାରେ ବସୁଛନ୍ତି, ବିଧାୟକମାନେ ପ୍ରଶ୍ନ କରୁଛନ୍ତି ସବୁ ଶୁଣୁଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ନଭେମ୍ୱର 26ରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ନବୀନ ପଟ୍ଟନାୟକ ନିଇତି ବିଧାନସଭା ଆସିବା ଚର୍ଚ୍ଚା ବଢାଇଛି । ମୁଖ୍ୟମନ୍ତ୍ରୀ ଥିବା ବେଳେ ସବୁଦିନ ଆସୁନଥିଲେ କିନ୍ତୁ ବିରୋଧିରେ ବସିବା ପରେ ଆସୁଛନ୍ତି । ନିଜ ଦଳକୁ ସଙ୍ଗଠିତ ରଖିବାକୁ ନବୀନ ଏପରି ରଣନୀତି କରୁଛନ୍ତି । ହଁ ଆଜ୍ଞା ବିଧାନସଭା କରିଡୋରରେ ନବୀନଙ୍କୁ ନେଇ ଏହି ଚର୍ଚ୍ଚା ଏବେ ଜୋର ଧରିଛି ।
ବିରୋଧି ଦଳ ନେତା ଭାବେ ବିଧାନସଭାରେ ନବୀନଙ୍କ ଉପସ୍ଥିତି ବେଶ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ସରକାରରୁ ହଟିବା ପରେ ଚେତିଛନ୍ତି ନବୀନ ଏବଂ ପ୍ରତିଦିନ ବିଧାନସଭା ଧାଉଁଛନ୍ତି । ନିଜେ କୌଣସି ପ୍ରଶ୍ନରେ ଭାଗ ନେଉନାହାନ୍ତି ବରଂ ନିଜ ଦଳର ବିଧାୟକ ମାନେ ତାଙ୍କ ଅଞ୍ଚଳର ସମସ୍ୟା ନେଇ କଣ କହୁଛନ୍ତି ସେ ବିଷୟରେ ଧ୍ୟାନ ଦେଉଛନ୍ତି ।
ଦଳ ଧୀରେ ଧୀରେ ଭୁଶୁଡିବାକୁ ଲାଗିଥିବା ବେଳେ ବିଧାନସଭା ଆସି ଦଳୀୟ ନେତାଙ୍କୁ ଆଶ୍ୱସନା ଦେଉଛନ୍ତି ନବୀନ । ବର୍ତ୍ତମାନ ସମୟରେ ନବୀନଙ୍କ ଏପରି ପ୍ରତିଦିନ ବିଧାନସଭା ଗସ୍ତକୁ ନେଇ ଶାସକ ଦଳ ଏହାକୁ କଟାକ୍ଷ କରିଛି । ମୁଖ୍ୟମନ୍ତ୍ରୀ ଥିବା ସମୟରେ ଦିନକ ପାଇଁ ବିଧାନସଭା ଆସୁନଥିଲେ କିନ୍ତୁ ଏବେ ନିଇତି ଧାଉଁଛନ୍ତି । ଦଳ ଧୀରେ ଧୀରେ ଭୁଶୁଡିବାକୁ ଲାଗିଥିବା ବେଳେ ବିଜେଡି ମୁଖିଆ ନିଜ ଦଳର ସଙ୍ଗଠନକୁ ଠିକ କରିବା ପାଇଁ ନୂଆ ନୂଆ ରଣନୀତି ପ୍ରସ୍ତୁତ କରି ମଇଦାନକୁ ଓହ୍ଲାଉଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ବିଧାନସଭାରେ ଖୁବ କମ ସମୟ ଉପସ୍ଥିତ ରହିବା ନେଇ ବିରୋଧି ମଧ୍ୟ ପ୍ରଶ୍ନ ଉଠାଇଛି ।
ଚଳିତ ନିର୍ବାଚନରେ ପରାଜୟ ପରେ ବିଜେଡିରେ ଗୋଷ୍ଠୀ କନ୍ଦଳ ବଢୁଥିବା ବେଳେ ପଞ୍ଚାୟତ କର୍ମୀଙ୍କ ଠାରୁ ସାଂସଦଙ୍କ ପର୍ଯ୍ୟନ୍ତ ଦଳ ଛାଡୁଛନ୍ତି । ତେଣୁ ନିଜ ଦଳକୁ ମଜଭୁତ କରି କିଛି ବାର୍ତ୍ତା ଦେବା ପାଇଁ ସବୁଦିନ ବିଧାନସଭା ଆସୁଥିବା କଥା କୁହାଯାଉଛି ।