ମାହାଙ୍ଗାରେ ଶୀର୍ଷ ଛୁଇଁଛି ରାଜନୈତିକ ବିବାଦ । ହାତାହାତି ହୋଇଛନ୍ତି ବିଜେଡି-ବିଜେପି । କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ଉନ୍ନୟନ ମୂଳକ କାର୍ଯ୍ୟ ଠପ୍ ହେବାକୁ ନେଇ ରାଜନୈତିକ ବିବାଦ ଉଗ୍ରରୂପ ନେଇଛି । ମାହାଙ୍ଗା ବ୍ଲକର ସମସ୍ତ ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ ଠପ୍ ରହିବା ସହ ବକେୟା କାମର ବିଲ୍ ବ୍ଲକ ପ୍ରଶାସନ ପୈଠ କରୁନଥିବା ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ ଅଭିଯୋଗ ଆଣିଥିଲେ । ଏପରିକି ୩୭ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଙ୍କୁ ନେଇ ମାହାଙ୍ଗା ବ୍ଲକ ପରିସରରେ ଧାରଣା ଦେଇଥିଲେ । କିନ୍ତୁ ଗୁରୁବାର ସ୍ଥାନୀୟ ବିଜେପି ବିଧାୟକଙ୍କ ସମର୍ଥକ କୁହାଯାଉଥିବା କିଛି ବ୍ୟକ୍ତି ଧାରଣା ସ୍ଥଳରେ ପହଁଞ୍ଚିବା ସହ ସେମାନଙ୍କ ୁ ଅଶାଳୀନ ଭାଷାରେ ଗାଳି ଗୁଲଜ କରି ଜନପ୍ରତିନିଧିମାନଙ୍କୁ ଚେୟାର ଫିଙ୍ଗିଥିଲେ । ଏବଂ ଏଥିରେ ଅନେକ ଆହତ ହୋଇଥିଲେ । ଯାହାକୁ ସହ୍ୟ କରିନାହାନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପି ସମର୍ଥିତ କର୍ମୀମାନେ ଧାରଣାରତ କର୍ମୀଙ୍କୁ ଚେୟାର ଫିଙ୍ଗିଥିବାରୁ ଏବଂ ଆକ୍ରମଣରେ ଧାରଣାରତ କର୍ମୀମାନେ ଆହତ ହୋଇଥିବାରୁ ନବୀନ ଏହାକୁ ସହ୍ୟ କରିପାରିନାହାନ୍ତି । ଏବଂ ଏହାକୁ ନିନ୍ଦା କରିବା ସହିତ ଦଳର ଫ୍ୟାକ୍ଟ ଫାଇଣ୍ଡିଂ ଟିମକୁ ଘଟଣା ସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିବାକୁ ନିଦ୍ଦେଶ ଦେଇଥିବା ଜଣାପଡିଛି ।
ଅନ୍ୟପଟେ ଏହାକୁ ନେଇ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ଆଇନର ପାଠ ପଢାଇବା ସହ ସ୍ଥିତି ସମୀକ୍ଷା ନେଇ ଯାଇଥିବା ବିଜେଡି ନେତା ଏବଂ ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି । ଏବଂ ସେମାନଙ୍କ ନାଁରେ ଓଲଟା ଅଭିଯୋଗ ଆଣିଛନ୍ତି ।
ତେବେ ନୂଆ ସରକାର ଗଠନ ହେବା ପରଠାରୁ ବିଭିନ୍ନ ଅଞ୍ଚଳରେ ଉନ୍ନତି ମୂଳକ କାର୍ଯ୍ୟ ବନ୍ଦ ରହିଥିବା ବେଳେ ମାହାଙ୍ଗାରେ ମଧ୍ୟ ସମାନ ସ୍ଥିତି ଥିବା ଜନପ୍ରତିନିଧିମାନେ ଅଭିଯୋଗ ଆଣୁଛନ୍ତିା ଏପରିକି ଅନ୍ୟ ନିବାଚନ ମଣ୍ଡଳୀରେ ସମାନ ପରିସ୍ଥିତି ଥିବା ଖୋଦ ବିଜେପି ବିଧାୟକ ଅଭିଯୋଗ ଆଣୁଥିବା ନଜର ଆସିଛନ୍ତି । କିନ୍ତୁ ଏଠାରେ ବିଜେପି ସମର୍ଥିତ ବିଧାୟକ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଭିନ୍ନ ଯୁକ୍ତି ବାଢୁଛନ୍ତି । ଆଉ ଏହାକୁ ନେଇ ଏବେ ନୂଆ ରାଜନୈତିକ ଝଡ ସୃଷ୍ଟି ହୋଇଛି ।