ଜାତୀୟ ରାଜନୀତିରେ ନବୀନଙ୍କ ଦବଦବା । ସୁଲତାଙ୍କ ପରେ ଚର୍ଚ୍ଚା ବଢାଇଲେ ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ । ହଁ ଆଜ୍ଞା ଦୀର୍ଘ 24 ବର୍ଷ ହୋଇଯିବ ରାଜନୀତିର ବାଦଶାହା ବୋଲାଉଥିବା ବିଜୁ ଜନତା ଦଳ ଓ ବିଜେଡି ସୁପ୍ରିମୋଙ୍କୁ ନେଇ ସବୁଠି ଚର୍ଚ୍ଚା । ଲୋକସଭାରେ ଶୂନ ହୋଇଥିବା ବିଜେଡି ରାଜ୍ୟସଭାରେ ନିଜର ପାୱାର ଦେଖାଉଛି । ନବୀନଙ୍କ କର୍ଣ୍ଣମନ୍ତ୍ରକୁ ଠିକ କାମରେ ଲାଗଉଛନ୍ତି ବିଜେଡିର ସାତ ସାଂସଦ ।
ଭୁବନେଶ୍ୱର ଏମସ ପରିଚାଳନା ସଦସ୍ୟ ନିର୍ବାଚନ ପାଇଁ ରାଜ୍ୟସଭାରେ ହୋଇଥିଲା ଭୋଟିଂ । ଏହି ନିର୍ବାଚନ ପାଇଁ ବିଜେପିରୁ ମମତା ମହନ୍ତ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ଶୁଭାଶିଷ ଖୁଣ୍ଟିଆ । ଭୋଟିଂରେ ଭୋଟ ଦେଇଥିଲେ ମୋଟ 183 ଜଣ ସଦସ୍ୟ । ଏହି ଭୋଟିଂ ରେ ମମତା ମହନ୍ତଙ୍କୁ 114 ଖଣ୍ଡ ଭୋଟ ମିଳିଥିବା ବେଳେ ଶୁଭାଶିଷଙ୍କୁ ମିଳିଛି 69 ଖଣ୍ଡ ଭୋଟ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ରାଜ୍ୟସଭାରେ ବିଜେଡିର ମାତ୍ର ସାତ ଜଣ ସାଂସଦ ରହିଥିବା ବେଳେ ବିଜେଡିକୁ 69 ଖଣ୍ଡ ଭୋଟ ମିଳିବା ବିଜେଡିର ଶକ୍ତିକୁ ନେଇ ରାଜ୍ୟସଭାର ଚର୍ଚ୍ଚା ବଢାଇଛି ।
ନବୀନଙ୍କ ନେତୃତ୍ୱକୁ ନେଇ ଦେଶର ଯେଉଁ ସୀକୃତି ମିଳିଛି ତାହା ବିଜେପିକୁ ଏକପ୍ରକାର ଝଟକା ଦେଇଛି । ଲୋକସଭା ନହେଲା ନାହିଁ ରାଜ୍ୟସଭାରେ ବିଜେଡି ସାଂସଦଙ୍କ ଗର୍ଜନ ବିଜେପି ନେତାଙ୍କ ମୁହଁରେ ତୁଣ୍ଡି ବାନ୍ଧିଥିଲା । ନିକଟରେ ରାଜ୍ୟସଭା ଅଧକ୍ଷ ଜଗଦୀପ ଧନଖଡଙ୍କ ନାଁରେ ଇଣ୍ଡିଆମେଣ୍ଟ ଆଣିଥିବା ଅନାସ୍ତା ପ୍ରସ୍ତାବକୁ ବିଜେଡି ସମର୍ଥନ ନ କରିବା ଏବଂ ରାଜ୍ୟସଭା ଅଧକ୍ଷଙ୍କୁ ଯାଇ ବିଜେଡିର ସାଂସଦମାନେ ଭେଟ କରିବା ପଛରେ ନବୀନଙ୍କ ଯେଉଁ ରଣନୀତି ରହିଥିଲା ତାହା ସକସେସ ହେବା ପରେ ଏବେ ପୁଣି ନିର୍ବାଚନରେ ବିଜେଡିକୁ ଅଧାରୁ ଅଧିକ ଭୋଟ ଚର୍ଚ୍ଚା ବଢାଇଛି । କେବଳ ଓଡିଶା ନୁହେଁ ବରଂ ଦିଲ୍ଲୀ ରାଜନୀତିରେ ନବୀନଙ୍କ ଚମକ ଶାସକ ଦଳ ପାଇଁ ଏବେ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।