ଚାଲିଛି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ପ୍ରଶ୍ନ ଉତ୍ତରରେ ଉଠୁଛି ପଡୁଛି ବିଧାନସଭା ଗୃହ । ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ପ୍ରସଙ୍ଗ ସବୁ ରେଡି କରିବା ସହ ଗୃହରେ ହଙ୍ଗାମା କରୁଛନ୍ତି । ଏପରିକି ଗୃହ ସୁରୁଖୁରୁରେ ମଧ୍ୟ ଚାଲିପାରୁନି । ୯ ମାସର ସରକାରରେ ରାଜ୍ୟର ସ୍ଥିତି ବିଗିଡୁଥିବା ଅଭିଯୋଗ ଆଣିବା ସହ କାହିଁକି ସରକାର ଚୁ୍ପ ରହୁଛନ୍ତି, ଏବଂ ବିଜେପିର ଉଦ୍ଦେଶ୍ୟ କଣ ରହିଛି ସେନେଇ ବିରୋଧୀ ପ୍ରଶ୍ନ ଉପରେ ପ୍ରଶ୍ନ କରୁଛନ୍ତି । ଆଉ ବିରୋଧୀଙ୍କ ଏହି ଭଳି ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିଜେପିର ଦୁଇ ମନ୍ତ୍ରୀ ଭିନ୍ନ ଭିନ୍ନ ଉତ୍ତର ଦେଇଥିବା ଦେଖିବାକୁ ମିଳିଛି । ଆଉ ଏଥିରୁ ମନ୍ତ୍ରୀଙ୍କ କଥାରେ ତାଳମେଳ ନଥିବା ପୁଣି ଥରେ ସ୍ପଷ୍ଟ ପ୍ରମାଣିତ ହୋଇଛି ।
ତେବେ ବିଧାନସଭାରେ ପ୍ରଶ୍ନ ଉତ୍ତରକାଲ ଚାଲିଥିବା ବେଳେ ଧାନ କିଣାକୁ ନେଇ ବିରୋଧୀ ପ୍ରଶ୍ନ କରିଥିଲେ । ଏବେ ବି ଧାନକିଣାରେ ଅବ୍ୟବସ୍ଥା ଥିବା ଏବଂ ଠିକ୍ ରୂପେ ଧାନ କିଣା ହେଉନଥିବା ଅଭିଯୋଗ ଆସୁଥିବାରୁ ଏହି ପ୍ରସଙ୍ଗକୁ ବିଧାନସଭା ଗୃହରେ ଉଠାଇଥିଲେ ବିରୋଧୀ ଦଳ । ତେବେ ବିଧାନସଭାରୁ ନିଲମ୍ବିତ ହେବା ପୂର୍ବରୁ କଂଗ୍ରେସ ବିଧାୟକ ତାରା ବାହିନୀ ପତି ରାଜ୍ୟ ସମବାୟ ମନ୍ତ୍ରୀଙ୍କୁ ଚଳିତ ବର୍ଷ ରାଜ୍ୟ ସରକାର ଖରିଫ ଏବଂ ରବି ଋତୁରେ କେତେ ପରିମାଣରେ ଧାନ ସଂଗ୍ରହ କରିବାର ଲକ୍ଷ୍ୟ ରଖିଛନ୍ତି ସେନେଇ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ ଯେ. ୨୦୨୪-୨୫ ଖରିଫ ଋତୁରେ ରାଜ୍ୟରେ ୭୭ ଲକ୍ଷ ମେଟ୍ରିକ ଟନ ଏବଂ ରବି ଋତୁରେ ୧୪ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ପାଇଂ ସରକାର ଲକ୍ଷ ଧାର୍ଯ୍ୟ କରିଛନ୍ତି ।
ସେହିପରି ବିଜେଡି ବିଧାୟକ ଗଣେଶ୍ୱର ବେହେରା ଚଳିତ ଖରିଫ ଧାନ ସଂଗ୍ରହ ଲକ୍ଷ ଧାଯ୍ୟ ମଧ୍ୟରୁ ବର୍ତମାନ ସୁଦ୍ଧା କେତେ ଧାନ ସଂଗ୍ରହ ହେଲାଣି ସେନେଇ ପ୍ରଶ୍ନ କରିଥିବା ବେଳେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସମବାୟ ମନ୍ତ୍ରୀଙ୍କ ଉତ୍ତର ତୁଳନାରେ ଭିନ୍ନ ଉତ୍ତର ଦେଇଥିବା ଦେଖିବାକୁ ମିଳିଛି । ଚଳିତ ଖରିଫ ଧାନ ସଂଗ୍ରହ ପାଇଁ ଅଦ୍ୟାବଧି ୭୪.୨୭ ଲକ୍ଷ ମେଟ୍ରିକ ଟନ ଧାର୍ଯ୍ୟ ହୋଇଥିବା ଏବଂ ୬୯ ଲକ୍ଷ ରୁ ଉର୍ଦ୍ଧ୍ୱ ଧାନ ସଂଗୃହୀତ ହୋଇଥିବା ତଥ୍ୟ ରଖିଥିଲେ । ଆଉ ଏଥିରୁ ଦୁଇ ମନ୍ତ୍ରୀଙ୍କ ତଥ୍ୟରେ ତାଳମେଳ ନଥିବା ସ୍ପଷ୍ଟ ପ୍ରମାଣିତ ହୋଇଛିା ଆଉ ଏଥିରୁ ୯ ମାସ ସରକାରରେ ବି ମନ୍ତ୍ରୀ ନିଜ ଦାୟିତ୍ୱ ଠିକ ସେ ତୁଲାଉନଥିବା ସାଧାରଣରେ ଆଲୋଚନା ହେଉଛି । ତେବେ ଦେଖାଯାଉ ମନ୍ତ୍ରୀଙ୍କ ଏହି ଭୁଲ ତଥ୍ୟ ମୋହନଙ୍କ ପାଇଁ କେଉଁ ନୂଆ ବିବାଦ ସୃଷ୍ଟି କରୁଛି ଏବଂ ଏହାର ସାମ୍ନା ବିଜେପି କିପରି କରୁଛି ତାହା ଦେଖିବାକୁ ଅପେକ୍ଷା ।