କଂଗ୍ରେସର ଗଡ କୁହାଯାଉଥିବା ଖୋର୍ଦ୍ଧା ଜିଲ୍ଲାର ଅନ୍ୟତମ ନିର୍ବାଚନ ମଣ୍ଡଳୀ ହେଉଛି ବେଗୁନିଆ ନିର୍ବାଚନ ମଣ୍ଡଳୀ । ଏବେ ଏହା ବିଜେଡି ଅକ୍ତିଆରରେ । ଚଳିତ ନିର୍ବାଚନରେ କିଏ ସାଜିବ ବେଗୁନିଆର ବାଜିଗର । ତାହାକୁ ନେଇ ଅଙ୍କ କଶୁଛନ୍ତି ତିନି ଦଳର ପ୍ରାର୍ଥୀମାନେ । ବିଗତ ନିର୍ବାଚନ ଗୁଡିକରେ ବିଜୁ ଜନତା ଦଳ ଏହି ଆସନକୁ ଅକ୍ତିଆର କରିଥିଲା । 24 ମହାସମରରେ ମଧ୍ୟ ବିଜେଡି ନିଜର ବିଜୟଧାରାକୁ ବଜାୟ ରଖିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି । ହ୍ୟାଟ୍ରିକ ପାଇଁ ବିଜୁ ଜନତା ଦଳ ପ୍ରଦୀପ ସାହୁଙ୍କୁ ପ୍ରାର୍ଥୀ କରାଇଛି । କଂଗ୍ରେସ ଛାଡି ବିଜେଡିରେ ମିଶିବା ପରେ ଟିକେଟ ହାତେଇଛନ୍ତି ପ୍ରଦୀପ ସାହୁ । ସେପଟେ ସୁପ୍ତ ହୋଇ ପଡିରହିଥିବା କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ । ଅନ୍ୟପଟେ ଭାରତୀୟ ଜନତା ପାର୍ଟି ମଧ୍ୟ ଏହି ଗଡକୁ ହାତେଇବା ପାଇଁ ଜୋରଦାର ପ୍ରୟାସ କରୁଛି । ଅପରାଜିତା ଷଡଙ୍ଗୀଙ୍କ ଅନୁଗତ ଥିବା ପ୍ରକାଶ ରଣବିଜୁଳିଙ୍କୁ ବିଜେପି ଏହି ଆସନରୁ ମଇଦାନକୁ ଓହ୍ଲାଇଛି । ତେବେ ବେଗୁନିଆ ଗଡକୁ ହାତେଇବା ପାଇଁ ତିନି ରାଜନୈତିକ ଦଳମାନେ ସେମାନଙ୍କର ଭିନ୍ନ ଭିନ୍ ଷ୍ଟ୍ରାଟେଜି ଆପଣାଉଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଉଛନ୍ତି ଦଳର ହେଭିୱେଟ ନେତାମାନେ । ଶାସକ ଦଳକୁ ଧରାଶାୟୀ କରି ବିଜେପି କଂଗ୍ରେସ ନିଜ ନିଜର ବିଜୟର ଧ୍ୱଜା ଉଡାଇବା ପାଇଁ ପ୍ରାର୍ଥୀମାନେ ଅଣ୍ଟା ଭିଡିଲେଣି । ପ୍ରଦୀପ ସାହୁ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ପାଥେୟ କରି ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ଏବଂ ପ୍ରକାଶ ରଣବିଜୁଳି ମଧ୍ୟ ସାଂସଦ ମ୍ୟାଡାମଙ୍କ ସହିତ ପ୍ରଚାର ମଇଦାନରେ ଅନ୍ୟପଟେ କଂଗ୍ରେସ ନିଜ ଗଡକୁ ପୁଣିଥରେ ହାତେଇବା ପାଇଁ ପୁରା ଫର୍ମରେ । ତେବେ ବିଜେଡି ଗଡକୁ ଭେଦ କରି ସେଠାରେ ପଦ୍ମ ଫୁଟିବ କି ହାତ ଉଠିବ ତାହା ଦେଖିବାକୁ ଅପେକ୍ଷା ।

You can share this post!
author