ଭକ୍ତ-ନବୀନଙ୍କ ନୂଆ ଟିମ୍‌

ଭକ୍ତ-ନବୀନଙ୍କ ନୂଆ ଟିମ୍‌

ବିରୋଧୀ ଆସନରେ ବସି ନୂଆ ଟିମ୍ ଗଠନ କରୁଛନ୍ତି ବିଜେଡି-କଂଗ୍ରେସ । କିନ୍ତୁ ଏପଟେ ଟିମ୍ ତ ଦୂରର କଥା ମୁଖ୍ୟମନ୍ତ୍ରୀଙ୍କୁ କେହି ଖାତିର କରୁନଥିବା ନିଜେ ମୁଖ୍ୟମନ୍ତ୍ରୀ ପରୋକ୍ଷରେ ଦର୍ଶାଉଛନ୍ତି । ହଁ ଆଜ୍ଞା, ପ୍ରାୟ ୧୧ ମାସ ପରେ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ବିଜେଡି ଏବଂ କଂଗ୍ରେସ ନିଜ ନିଜର ନୂଆ ଟିମ୍ ଗଠନ କରିଛନ୍ତି । ପ୍ରଥମେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ନବକଳେବର କରିବା ସହ ଦଳୀୟ ନେତାଙ୍କ ମଧ୍ୟରୁ କିଛି ଜଣଙ୍କୁ ନିଜ ଟିମରେ ସାମିଲ କରିଛନ୍ତି । ଦଳ କିପରି ଆହୁରି ସଙ୍ଗଠିତ ହେବ ତାକୁ ଦୃଷ୍ଟିରେ ରଖି ଦଳର ବରିଷ୍ଠଙ୍କୁ ଅଗ୍ରାଧିକାର ଦେବା ସହ ନୂଆ ନୂଆ ଦାୟିତ୍ୱ ଦେଇଛନ୍ତି । ଏପରିକି ନୂଆ ଟିମ ସହିତ ନବୀନ ବୈଠକ କରି କାମ କରିବା ଆରମ୍ଭ ବି କରିସାରିଲେଣି ।

ସେହିପରି ରାଜ୍ୟ କଂଗ୍ରେସ ମଧ୍ୟ ନୂଆ ପିସିସି ସଭାପତିଙ୍କ ନେତୃତ୍ୱରେ ନିଜର ଅଣ୍ଟା ସିଧା କରିବା ଆରମ୍ଭ କଲାଣି । ପିସିସି ସଭାପତି ହେବାର ପ୍ରାୟ ୬ ମାସ ପରେ ନିଜର ନୂଆ ଟିମ୍ ଗଠନ କରିଛନ୍ତି ଭକ୍ତ ଦାସ । ୭ ଉପ ସଭାପତି, ୧୨ ଜଣ ସଂପାଦକ ଓ ୧୦ ସାଧାରଣ ସଂପାଦକଙ୍କୁ ନେଇ ଛାମୁଆ ସଂଗଠନ ପ୍ରସ୍ତୁତ କରିଛନ୍ତି ଭକ୍ତ । ଯେଉଁଥିରେ ବରିଷ୍ଠ, ଅଭିଜ୍ଞ, ଯୁବ, ଛାତ୍ର ଓ ମହିଳାଙ୍କୁ ସାମିଲ କରାଯାଇଛି । ପୂର୍ବ-ପଶ୍ଚିମ, ଉତ୍ତର-ଦକ୍ଷିଣ ସବୁ ଅଞ୍ଚଳରୁ ନେତାଙ୍କୁ ତାଙ୍କ ଟିମରେ ନେଇଛନ୍ତି ଭକ୍ତ । ଯାହାକୁ ନେଇ ଟିମରେ ସ୍ଥାନ ପାଇଥିବା ସଦସ୍ୟ ବେଶ୍ ଉତ୍ସାହିତ ଅଛନ୍ତି।

କିନ୍ତୁ ଅନ୍ୟପଟେ ବର୍ଷେ ହେବ ଶାସକ ଦଳରେ ରହି ସରକାର ଚଳାଇବା ପରେ ବି ବିଜେପିର କ୍ଷମତା ବଣ୍ଟଣ୍ଟା ପ୍ରକ୍ରିୟା ଶେଷ ହେଉନି । ଅଧା ଗଢା ମନ୍ତ୍ରୀ ମଣ୍ଡଳ ସହ ବୋର୍ଡ ନିଗମ ନିଯୁକ୍ତିରେ ବି କେଁ ରହିଛି । ଯାହାକୁ ନେଇ ଦଳୀୟ କନ୍ଦଳ ବଢିବାରେ ଲାଗିଛି । କେବଳ ଏତିକି ନୁହେଁ ଖୋଦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ଅଧିକାରୀ ଖାତିର କରୁନଥିବା ନିଜେ ମୁଖ୍ୟମନ୍ତ୍ରୀ କହୁଛନ୍ତି । ଯାହା ବିଜେପିର ଅପାରଗତାକୁ ଦର୍ଶାଉଛି । କିନ୍ତୁ ବିଜେପି ନେତା ସବୁ ଜାଣି ବି ନଜାଣିଲା ପରି ବ୍ୟବହାର କରୁଛନ୍ତି । ତେବେ ଦେଖାଯାଉ ନବୀନ-ଭକ୍ତଙ୍କ ନୂଆ ଟିମ୍ ମୋହନ ସରକାର ଉପରେ କେତେ ଭାରୀ ପଡୁଛି ଏବଂ ମୋହନ ଏମାନଙ୍କୁ କିପରି ସାମ୍ନା କରୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *