ଶେଷରେ ବିଜେପି ନେତାଙ୍କୁ ବି ଛାଡିଲେନି ଚୋର । ଭରା ସଭାରେ ନେଇଗଲେ ବିଜେପି ନେତାଙ୍କ ପର୍ସ । ହଁ ଆଜ୍ଞା, ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ବିଜେପିର ଦଳୀୟ କାଯ୍ୟକ୍ରମରେ ହିଁ ବିଜେପି ନେତା ତଥା ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ପକେଟମାର୍ ହୋଇଥିବା ଖବର ସାମ୍ନାକୁ ଆସିଛି । ଝାଡଖଣ୍ଡ ନିର୍ବାଚନ ପାଇଁ ପ୍ରଚାରକୁ ଯାଇଥିବା ସମୟରେ ମଞ୍ଚରେ ହିଁ ମିଥୁନଙ୍କ ପର୍ସ ଚୋରି ହୋଇଥିବା ଜଣାପଡିଥିଲା । ଏପରିକି ମିଥୁନଙ୍କ ପର୍ସ ଚୋରି ହୋଇଥିବାକୁ ନେଇ ମଧ୍ୟ ବିଜେପି ନେତା ମଞ୍ଚରେ ଘୋଷଣା କରୁଥିବା ଏବଂ ପର୍ସଟିକୁ ଫେରାଇ ଦେବାକୁ ଅନୁରୋଧ କରାଯାଉଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ସୂଚନା ଅନୁସାରେ, ଝାଡଖଣ୍ଡର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇସାରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି । ଆଉ ଏହି କ୍ରମରେ ଝାଡଖଣ୍ଡରେ କିଛି ସ୍ଥାନରେ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିଲେ ଭାଜପା ନେତା ତଥା ଷ୍ଟାର ପ୍ରଚାରକ ମିଥୁନ ଚକ୍ରବର୍ତ୍ତୀ । ଝାଡଖଣ୍ଡର ଧନବାଦ ଜିଲ୍ଲାର ନିରସା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଥିଲେ । ଆଉ ଏଠାରେ ମିଥୁନଙ୍କୁ ଦେଖିବା ପାଇଁ ତାଙ୍କ ପ୍ରଶଂସକଙ୍କ ଭିଡ ଲାଗି ରହିଥିବା ବେଳେ ସେଲ୍ଫି ନେବା ପାଇଁ ପ୍ରଶଂସକଙ୍କ ଲାଇନ ଲାଗିଥିଲା । ଆଉ ଏହି ସୁଯୋଗର ଫାଇଦା ନେଇ କେହି ମିଥୁନଙ୍କ ପକେଟମାର କରିଥିବା ସୂଚନା ମିଳିଛି । ତେବେ ଏ ସମ୍ପର୍କରେ ମିଥୁନ ଜନସଭାରେ ସାମିଲ ହେବାକୁ ଯାଇଥିବା ବେଳେ ନିଜ ପକେଟରୁ ପର୍ସ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ପରେ ସେ ଅନ୍ୟ ବିଜେପିନ ନେତାଙ୍କୁ ମଧ୍ୟ ସୂଚନା ଦେଇଥିଲେ। ପର୍ସରେ ଅଭିନେତାଙ୍କର ଅନେକ ଜରୁରୀ ଦସ୍ତାବିଜ ଥିବା ସେ କହିଥିଲେ। ମଞ୍ଚରୁ ଅନେକ ଅନୁରୋଧ ସତ୍ତ୍ୱେ କେହି ତାଙ୍କ ପର୍ସ ଫେରାଇନଥିଲେ। ଫଳରେ ମଞ୍ଚରେ ଭାଷଣ ଦେବାପରେ ସେଠାରୁ ମିଥୁନ ତୁରନ୍ତ ଫେରିଆସିଥିଲେ। ତେବେ ଭିଡକୁ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏପରି ଘଟଣା ଘଟିଥିବା ଆଲୋଚନା ହେଉଛି ।

You can share this post!
author