ଭାଇରାଲ ହେଉଛି ନବୀନଙ୍କ ପଦେ କଥା…

ଭାଇରାଲ ହେଉଛି ନବୀନଙ୍କ ପଦେ କଥା…

ଦୀର୍ଘ ଦିନର ନୀରବତା ପରେ ଶେଷରେ ଗଣମାଧ୍ୟମ ସାମ୍ନାକୁ ଆସି ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ନବୀନଙ୍କ ସେହି ପଦେ କଥାକୁ ନେଇ ହୁଲସ୍ତୁଲ ହେଉଛି ରାଜ୍ୟ ରାଜନୀତି । ବିଧାନସଭାରେ ଯେଉଁ ନେତାଙ୍କୁ ଦେଖିବାକୁ ମିଳୁନଥିଲା , ଯେଉଁ ନେତାଙ୍କ ପାଦ ପଡୁନଥିଲା, ଏବେ ସେ ନିୟମିତ ବିଧାନସଭା ଆସୁଛନ୍ତି । କିନ୍ତୁ ବିଧାନସଭାରେ ନବୀନ କିଛି କହୁଥିବା କିମ୍ବା ବିରୋଧ କରୁଥିବା ଦେଖିବାକୁ ମିଳିନି । କିନ୍ତୁ ପୋଲାଭରମ ପ୍ରକଳ୍ପ ଉପରେ ନବୀନ ନିଜ ନୀରବତା ଭାଙ୍ଗିଛନ୍ତି । ପୋଲାଭରମକୁ ନେଇ କୌଣସି ସାଲିସ ହେବ ନାହିଁ ପରୋକ୍ଷରେ କହିବା ସହ ବିଜେଡି ଓଡିଶାର ସ୍ୱାର୍ଥ ପାଇଁ ନିଜ ଲଢେଇ ଜାରି ରଖିବ ବୋଲି ଗଣମାଧ୍ୟମରେ ବଡ ବୟାନ ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଯେଉଁ ଭିଡିଓ ଏବେ ଟ୍ରେଣ୍ଡରେ ରହିବା ସହ ନବୀନ ପୁଣି ସକ୍ରିୟ ହେଉଥିବା ଏବଂ ସମୟକୁ ଅପେକ୍ଷା କରିଥିବା ଚର୍ଚ୍ଚା ହେଉଛି ।

ତେବେ ନବୀନଙ୍କ ଏଭଳି ମନ୍ତବ୍ୟ ପରେ ବିଜେପି ଏହାର କଡା ଜବାବ ଦେଇଥିଲା । ଆଇନମନ୍ତ୍ରୀ ପୃଥ୍ୱାରାଜ ହରିଚନ୍ଦନ ନବୀନଙ୍କ ନାଁ ନନେଇ ତାଙ୍କୁ ପରୋକ୍ଷରେ କଡା ସମାଲୋଚନା କରିଥିଲେ । ଏବଂ ବିଜେଡି ଅପେକ୍ଷା ବିଜେପି ଓଡିଶାର ବିକାଶ ଏବଂ ସ୍ୱାର୍ଥ ପାଇଁ ସବୁବେଳେ ଆଗରେ ରହିଛି ବୋଲି କାଉଣ୍ଟର କରି କହିଥିଲେ । ଏପରିକି ସମ୍ବଲପୁର ବିଧାୟକ ଜୟନାରାୟ ମିଶ୍ର ମଧ୍ୟ ବିଜେଡି ଏବେ ପୋଲାଭରମ ନାଁରେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଅଭିଯୋଗ କରିଛନ୍ତି । କିନ୍ତୁ ବିଜେପି ନେତାଙ୍କ ଏହି ମନ୍ତବ୍ୟକୁ ନେଇ ଏବେ ଦ୍ୱନ୍ଦ୍ୱ ଉପୁଜିଛି । ଦୀର୍ଘ ବର୍ଷ ଧରି ଓଡିଶାର ସୁରକ୍ଷା ପାଇଁ ଏହି ପ୍ରକଳ୍ପକୁ ବିରୋଧ କରାଯାଉଥିବା ବେଳେ ବିଜେପି ଏହାକୁ କାହିଁକି ବିରୋଧ କରୁନି ସେନେଇ ପ୍ରଶ୍ନ ଉଠୁଛି । କାରଣ ଆନ୍ଧ୍ରପ୍ରଦେଶର ପୋଲାଭରମ ପ୍ରକଳ୍ପ ହେବା ଦ୍ବାରା ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହେବା ନେଇ ଆଶଙ୍କା ରହିଛି । ପୋଲାଭରମ ପ୍ରକଳ୍ପ ଦ୍ଵାରା ମାଲକାନଗିରିର ହଜାର ହଜାର ଆଦିବାସୀଙ୍କ ଜୀବନଜୀବିକା ପ୍ରଭାବିତ ହେବ ବୋଲି ଦାବି କରିଆସୁଛନ୍ତି ବିରୋଧୀ । ଉଭୟ ରାଜ୍ୟରେ ଏନଡିଏ ସରକାର ଥିବାରୁ ବିରୋଧୀ ଏହି ପ୍ରକଳ୍ପକୁ ବିରୋଧ କରୁଛନ୍ତି ।ଏନେଇ ସରକାର କିଛି କରନ୍ତୁ ବୋଲି ଦାବି କରୁଛନ୍ତି । କିନ୍ତୁ ବିଜେପି ଏହା ଉପରେ କିଛି ମନ୍ତବ୍ୟ ନରଖି କେବଳ ଓଡିଶାର ସ୍ୱାର୍ଥ ପାଇଁ ବିଜେପି କାମ କରିଆସୁଛି ଏବଂ କାମ କରିବ ବୋଲି ବକ୍ତବ୍ୟ ଦେଉଛନ୍ତି ।

ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ମାନେ ଦିଲ୍ଲୀରେ ସ୍ୱର ଉଠାଉଛନ୍ତି । ଦିଲ୍ଲୀରେ ବିଜେଡି ପ୍ରତିନିଧି ଦଳ ଓ ରାଜ୍ୟସଭା ସାଂସଦମାନେ କେନ୍ଦ୍ରର ମନ୍ତ୍ରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଭେଟି ଆଦିବାସୀଙ୍କୁ ନ୍ୟାୟ ମିଳୁ ବୋଲି ଦୃଢ଼ ଦାବି କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *