ଚାମ୍ପିୟନ୍ସ ଟ୍ରଫି ରେସରେ ଆଗେଇ ଚାଲିଛି ଟିମ୍ ଇଣ୍ଡିଆ । ଗୋଟିଏ ପରେ ଗୋଟିଏ ମ୍ୟାଚ୍ ଜିତି ଦମଦାର ବିଜୟ ହାସଲ କରୁଛି ଦଳ । ଗତକାଲି ନ୍ୟୁଜିଲାଣ୍ଡକୁ ୪୪ ରନରେ ହରାଇ ସେମିଫାଇନାଲରେ ନିଜ ସ୍ଥାନ ଅକ୍ତିଆର କରିଛି ଭାରତ । ଏବଂ ଆଗକୁ ଅଷ୍ଟ୍ରେଲିଆ ସହ ସେମିଫାଇନାଲ ଖେଳିବାକୁ ଯାଉଛି । ଆସନ୍ତାକାଲି ପୁଣି ଥରେ ପିଟକୁ ଓହ୍ଲାଇବ ଟିମ ଇଣ୍ଡିଆ । ସେମିଫାଇନାଲରୁ ଫାଇନାଲକୁ ଯିବା ପାଇଁ ଅଷ୍ଟ୍ରେଲିଆକୁ ସାମ୍ନା କରିବ ଭାରତ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ସେମିଫାଇନାଲର ପ୍ରଥମ ମ୍ୟାଚ୍ । ପାକିସ୍ତାନକୁ ସମାନ ପିଚରେ ଧୂଳି ଚଟାଇବା ପରେ ଅଷ୍ଟ୍ରେଲିଆର ସ୍ଥିତି କଣ ରହିବ, ଟିମ ଇଣ୍ଡିଆର ପ୍ରଦର୍ଶନ କିପରି ରହିବ ସେନେଇ ସମସ୍ତଙ୍କ ମନରେ ସସପେନ୍ସ ବଢିଛି । କାରଣ ଭାରତ ବାଂଲାଦେଶ, ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡକୁ ହରାଇଥିବା ବେଳେ ଅଷ୍ଟ୍ରେଲିଆ ଇଂଲଣ୍ଡ, ସାଉଥ ଆଫ୍ରିକା ଏବଂ ଆଫଗାନିସ୍ତାନ ବିପକ୍ଷରେ ଲଢି ସେମିଫାଇନାଲରେ ନିଜ ସ୍ଥାନ ରଖିଛି । ଏବଂ ଆସନ୍ତାକାଲି ଏହି ଦୁଇ ଦଳଙ୍କ ମଧ୍ୟରେ ଦମଦାର ଫାଇଟ ହେବାକୁ ଯାଉଛି ।
ତେବେ ଗତକାଲି ନ୍ୟୁଜିଲାଣ୍ଡ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ୨୪୯ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ୨୫୦ ରନ୍ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ନ୍ୟୁଜିଲାଣ୍ଡ ଟିମ୍। ଓପ୍ନିଂ କରିବାକୁ ଆସିଥିଲେ ରଚିନ୍ ରବୀନ୍ଦ୍ର ଓ ୱିଲ୍ ୟଙ୍ଗ। ଉଭୟ ବଡ଼ ଶର୍ଟ ଖେଳିବାକୁ ଆରମ୍ଭ କରିଥିଲେ। ହେଲେ ଦ୍ୱିତୀୟ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍ରେ ଅକ୍ଷର ପଟେଲ୍ଙ୍କ ହାତରେ କ୍ୟାଚ ଆଉଟ୍ ହୋଇଥିଲେ ରଚିନ। ନ୍ୟୁଜିଲାଣ୍ଡ ୪ ୱିକେଟ ବିନିମୟରେ ୧୩୩ ରନ କରି ଭଲ ସ୍ଥିତିରେ ରହିଥିଲା । ଏହା ପରେ ଭାରତୀୟ ସ୍ପିନର ଙ୍କର ଉଚିତ ମୁକାବିଲା କରି ନ ପାରି ଦଳ ୪୫.୩ ଓଭରରେ ୨୦୫ ରନ କରି ଅଲଆଉଟ ହୋଇ ଯାଇଥିଲା ।