ଭୋଟ ଦେଉଛି ମୁମ୍ବାଇ । ମହାରାଷ୍ଟ୍ରରେ ଚାଲିଛି ବିଧାନସଭା ନିର୍ବାଚନ । ଆଜିଠୁ ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ଆରମ୍ଭ ହୋଇଛି ମତଦାନ । ସକାଳ ୭ଟାରୁ ମହାରାଷ୍ଟ୍ରବାସୀ ଭୋଟ ଦେଉଥିବା ବେଳେ ଏହା ସନ୍ଧ୍ୟା ୬ଟା ଯାଏଁ ଚାଲିବା ନେଇ ସୂଚନା ମିଳିଛି । ସକାଳୁ ସକାଳୁ ବଡ ବଡ ସେଲିବ୍ରିଟିମାନେ ମଧ୍ୟ ବୁଥ୍ ରେ ପହଁଞ୍ଚି ନିଜ ମତ ସାବ୍ୟସ୍ତ କରୁଛନ୍ତି ।
ତେବେ ମୋଟ୍ ୪ ହଜାର ୧୩୬ ପ୍ରାର୍ଥୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି। ଏମାନଙ୍କ ମଧ୍ୟରେ ୨ ହଜାର ୮୬ ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି। ମହାରାଷ୍ଟ୍ରରେ ଦୁଇ ମେଣ୍ଟ – ମହାୟୁତି ଏବଂ ମହା ବିକାଶ ଅଘାଡି ମଧ୍ୟରେ ହେଉଛି ଜୋରଦାର ଟକ୍କର। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନା, ବିଜେପି ଏବଂ ଏନ୍ସିପି ଅଜିତ ପାୱାର ଗୋଷ୍ଠୀକୁ ନେଇ ଗଠନ ହୋଇଛି ମହାୟୁତି ମେଣ୍ଟ।ସେହିଭଳି କଂଗ୍ରେସ, ଶିବସେନା (ୟୁବିଟି) ଏବଂ ଏନ୍ସିପି- ଶରଦ ପାୱାର ଗୋଷ୍ଠୀକୁ ନେଇ ହୋଇଛି ମହା ବିକାଶ ଅଘାଡି। ପୂର୍ବ ନିର୍ବାଚନରେ କଂଗ୍ରେସ, ଶିବସେନା ମେଣ୍ଟ ଏବଂ କଂଗ୍ରେସ, ଏନସିପି ମେଣ୍ଟ ଭିତରେ ଲଢେଇ ହୋଇଥିଲା। ତେବେ ପରେ ଏକନାଥ ସିନ୍ଦେ ଶିବସେନାରୁ ଏବଂ ଅଜିତ ପାୱାର ଏନସିପିରୁ ଅଲଗା ହୋଇ ଭିନ୍ନ ଦଳ ଗଠନ କରିଥିଲେ। ଏଇ ଦୁଇ ଦଳ ବିଭାଜିତ ହେବା ପରେ ଏହା ରାଜ୍ୟରେ ପ୍ରଥମ ବିଧାନସଭା ନିର୍ବାଚନ।
