ମଦରେ ଭାସୁଛି ସାରା ଓଡିଶା

ମଦରେ ଭାସୁଛି ସାରା ଓଡିଶା


କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ଅବକାରୀ ମନ୍ତ୍ରୀ

ମଦରେ ଭାସୁଛି ସାରା ଓଡିଶା । ହୁ ହୁ ହୋଇ ବଢିଚାଲିଛି ମଦ ବିକ୍ରି । ଗତ ୬ମାସରେ ଆଦାୟ ହେଲାଣି ୫ହଜାର କୋଟିର ରାଜସ୍ୱ । ହଁ ଆଜ୍ଞା, ସାରା ରାଜ୍ୟରେ ମଦ ବିକ୍ରି ଏବେ ଶୀର୍ଷ ଛୁଇଁଛି । ଦେଶୀ ହେଉ କି ବିଦେଶୀ ଢକ ଢକ କରି ପିଇଯାଉଛନ୍ତି ଲିଟର ଲିଟର ମଦ । ଯାହାକୁ ନେଇ ଏବେ ରାଜ୍ୟରେ ଚହଳ ପଡିଛି । ଗୋଟିଏ ପଟେ ବିଜେପି ସରକାରକୁ ଆସିବା ପରେ ପରେ ଜୋସ ଦେଖାଇ ରାଜ୍ୟରେ ମଦ ସମ୍ପୂର୍ଣ୍ଣ ବନ୍ଦ ହେବା ନେଇ ଘୋଷଣା କରିଥିଲେ । କିନ୍ତୁ ମଦରୁ ଓଡିଶାକୁ ସବୁଠୁ ଅଧିକ ରାଜସ୍ୱ ମିଳୁଥିବାରୁ ଏହାକୁ ବନ୍ଦ କରିଦେଲେ ଓଡିଶାକୁ ବଡ କ୍ଷତି ସହିବାକୁ ପଡିବ ବୋଲି ସାଧାରଣରେ ଚର୍ଚ୍ଚା ହେଲା । ଏବଂ ଏହାକୁ ଦୃଷ୍ଟିରେ ରଖି ପରବର୍ତୀ ସମୟରେ ରାଜ୍ୟରେ ସମ୍ପୂର୍ଣ୍ଣ ମଦ ବନ୍ଦ ପରିବର୍ତେ ଆଉ ନୂଆ ମଦ ଦୋକାନ ଖୋଲା ହେବନି ବୋଲି ଯୁକ୍ତି ବାଢିଥିଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହା ସହ ଚୋରା ମଦ ବିକ୍ରି ବନ୍ଦ କରିବାକୁ ବ୍ୟବସ୍ଥା ହେବା ନେଇ ବୟାନ ଦେଇଥିଲେ । ଏପରିକି ଏହି ବୟାନ ଦେବା ପରେ ପରେ କିଛି ବେଆଇନ ମଦ ଭାଟି ଉପରେ ଅବକାରୀ ବିଭାଗର ଚଢାଉ କରିବା ସହ ସେସବୁ ଭାଟିଉପରେ ବୁଲଡୋଜର ଚଢାଇ ଦେଇଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଏତେ ସବୁ ପରେ ବି ମାତ୍ର ୬ ମାସରେ ଏତେ ପରିମାଣରେ ମଦ ବିକ୍ରି ହେବା ଏବେ ଚିନ୍ତାର କାରଣ ପାଲଟିଛି ।

ତେବେ ସୂଚନା ଅନୁସାରେ, ଗତ ବର୍ଷ ୨୦୨୨-୨୩ରେ ୫ କୋଟି ୮୩ ଲକ୍ଷ ୪୪ ହଜାର ବିଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩-୨୪ ରେ ୫ କୋଟି ୮୮ ଲକ୍ଷ ୮୫ ହଜାର ବିଦେଶୀ ମଦ ବିକ୍ରି ହୋଇଛି । ସେହିପରି ୨୦୨୨-୨୩ ରେ ୧୨ କୋଟି ୯ ଲକ୍ଷ ୬୭ ହଜାର ବଲକ ଲିଟର ବିକ୍ରି ହୋଇଥିବା ବେଳେ ୨୦୨୩-୨୪ ରେ ଏହା ବଢି ୧୫ କୋଟି ୩୫ ଲକ୍ଷ ୭୨ ହଜାର ବଲକ ଲିଟର ବିକ୍ରି ହୋଇଛି । ଦେଶୀ ମଦର ଚାହିଦା ମଧ୍ୟ ବଢିଛି । ୨୦୨୨-୨୩ ରେ ୮୪ ଲକ୍ଷ ୩୭ ହଜାର ଲିଟର ଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩-୨୪ ରେ ୯୮ ଲକ୍ଷ ୪୩ ହଜାର ଲିଟର ମଦ ବିକ୍ରି ହୋଇଛି । ସେହିପରି ଅବକାରୀ ରାଜସ୍ୱ ମଧ୍ୟ ବଢି ୨୦୨୩-୨୪ ରେ ୭ ହଜାର ୨୧୬ କୋଟି ୯୯ ଲକ୍ଷ ରେ ପହଞ୍ଚିଛି । ବରଗଡ଼ ଜିଲ୍ଲାରୁ ଆସିଛି ସର୍ବାଧିକ ୧୨୪ କୋଟି ୯୯ ଲକ୍ଷର ଅବକାରୀ ରାଜସ୍ୱ । ଦ୍ୱିତୀୟରେ ରହିଛି ଗଞ୍ଜାମ ଜିଲ୍ଲା ଯେଉଁଠି ୯୬ ଲକ୍ଷ ୧୦ କୋଟି ଟଙ୍କାର ଅବକାରୀ ରାଜସ୍ୱ ।ତେବେ ଏସମ୍ପର୍କରେ ବିଧାନସଭାରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଲିଖିତ ଉତ୍ତର ରଖିଛନ୍ତି ।

ଅନ୍ୟପଟେ, ମଦରୁ ଓଡିଶାକୁ ଅଧିକ ରାଜସ୍ୱ ମିଳୁଛି ସତ କିନ୍ତୁ ଏହା ଦ୍ୱାରା ଅନେକ ଜୀବନ ଯିବା ସହ ଅକାରଣରେ ଅନେକ ପରିବାର ଉଜୁଡିଯାଉଛି । ତେଣୁ ଏଥିପ୍ରତି ସରକାର ବିଶେଷ ଧ୍ୟାନ ଦିଅନ୍ତୁ ବୋଲି ସାଧାରଣରେ ଦାବି ଉଠୁଛି ।

author

Related Articles

Leave a Reply

Your email address will not be published. Required fields are marked *