କାହା ମୁଣ୍ଡରେ ସୁନା କଳସ ଢାଳିବେ ମୋଦି ? ମନମୋହନ ସାମଲଙ୍କ ପରେ କିଏ ଧରିବ ଦଳର ମଙ୍ଗ ? ବିଜେପିର କିଏ ହେବ ରାଜ୍ୟ ମୁଖିଆ ? ଓଡିଶାରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଛି ମାନସମନ୍ଥନ କାହା କାନ୍ଧରେ ରାଜ୍ୟ ବିଜେପିର ଭାର ରଖିବେ କେନ୍ଦ୍ରୀୟ ନେତୃତ୍ୱ ? ରେସରେ ବିଭିନ୍ନ ନେତାଙ୍କ ନାମ ରହିଥିବା ବେଳେ ସୂଚନା ଅନୁଯାୟୀ ଜାନୁୟାରୀ ଶେଷ ସୁଦ୍ଧା ରାଜ୍ୟ ବିଜେପିକୁ ନୂଆ ମୁଖିଆ ମିଳିବ । ଯେଉଁଥିପାଇଁ ଦିଲ୍ଲୀରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ସେପଟେ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବୁଥ ସ୍ତରରୁ ଦଳକୁ ମଜଭୁତ କରିବାରେ ଲାଗିଛି ବିଜେପି । ସଙ୍ଗଠନ ଓ ସମନ୍ୱୟ ରକ୍ଷା କରି ଚାଲିବାକୁ ଶୀର୍ଷ ନେତ୍ୱତ୍ୱଙ୍କ ନିର୍ଦ୍ଦେଶ ରହିଛି ।
ରାଜ୍ୟରେ ବିଜେପି ସରକାର ହେବା ପରେ ଦଳର ବହୁ ବରିଷ୍ଠ ନେତାଙ୍କର ଏହି ସଭାପତି ପଦବୀ ପାଇଁ ଲବି କରୁଛନ୍ତି କିନ୍ତୁ ଶୀର୍ଷ ନେତୃତ୍ୱ କାହାକୁ ଗୁରୁ ଦାୟିତ୍ୱ ଦେବେ ସେ ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ । ସେପଟେ ବହୁ ବର୍ଷ ପରେ ନିଜ ଦମରେ ଓଡିଶାରେ ଭାରତୀୟ ଜନତା ପାର୍ଟି ସରକାର ଗଢିଛି ତେଣୁ କେନ୍ଦ୍ରୀୟ ବିଜେପି ପାଇଁ ରାଜ୍ୟ ବିଜେପି ସଙ୍ଗଠନ ମଜଭୁତ ରହିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଅମିତ ଶାହାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନଜର ଓଡିଶା ଉପରେ ରହିଛି । ତେବେ ଦଳରେ ଗୋଟିଏ ଗୋଷ୍ଠୀଙ୍କ ମତାନୁସାରେ ପୁଣିଥରେ ମନମୋହନ ରିପିଟ ହୁଅନ୍ତୁ କାହିଁକିନା ତାଙ୍କ ନେତୃତ୍ୱରେ ଦଳ ଏତେ ବଡ ସଫଳତା ହାସ କରିଛି । ପ୍ରଥମ ଥର ପାଇଁ ସରକାର ଗଢିଛି ।
ଜାନୁୟାରୀ ଶେଷ ସୁଦ୍ଧା ବିଜେପିକୁ ନୂଆ ସଭାପତି ମିଳିବାକୁ ଥିବା ବେଳେ ଦିଲ୍ଲୀରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ କୋର୍ କମିଟି ସଦସ୍ୟ ଏଥିରେ ସାମିଲ ଥିଲେ। ବର୍ତ୍ତମାନ ସଂଗଠନର ସ୍ଥିତି ଓ ଆଗାମୀ ରଣନୀତି ନେଇ କିଏ ଦଳର ଦାୟିତ୍ବ ସମ୍ଭାଳିବେ ତାକୁ ନେଇ ଆଲୋଚନା ହୋଇଛି । ତେବେ ପ୍ରାରମ୍ଭରୁ ବିଜେପି ବିଜେଡି ମେଣ୍ଟକୁ ବିରୋଧ କରି ମନମୋହନ ଏକା ଲଢିବାକୁ ନିଷ୍ପତ୍ତି ନେବା ଫଳରେ ବିଜେପିକୁ ଫାଇଦା ମିଳିଥିଲା। ତେଣୁ ମନମୋହନଙ୍କ ପରିବର୍ତ୍ତନର ସମ୍ଭାବନା କମ୍ ରହିଥିବା କୁହାଯାଉଛି । ତେବେ ଦେଖିବାକୁ ଅପେକ୍ଷା କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ବିଜେପି ହାଇକମାଣ୍ଡ ।