ଓଡିଶାକୁ ଲାଗିଲା ବଡ ଝଟକା । ଡବଲ ଇଞ୍ଜିନ ସରକାରରେ ଓଡିଶାର ମଡେଲକୁ ଖାରଜ କରିଦେଲେ କେନ୍ଦ୍ର ସରକାର । ହଁ ଆଜ୍ଞା, ଡବଲ ଇଞ୍ଜିନ ସରକାରରେ ଓଡିଶାର ଡବଲ ବିକାଶ ତ ଦୂରର କଥା ଓଡିଶାର ମଡେଲକୁ ବି ଜାତୀୟ ସ୍ତରରେ ସ୍ଥାନ ମିଳୁନି । ଅନ୍ୟ ରାଜ୍ୟ ମାନଙ୍କ ମଡେଲକୁ ତୁଳନା କଲେ ଓଡିଶା ମଡେଲ ଖାରଜ ହେଉଛି । ଯାହା ଏବେ ଓଡିଶା ସହ ବିଜେପିକୁ ଡବଲ ଝଟକା ଲାଗିଛି । ତେବେ ଆମେ କହୁଛୁ ଓଡିଶାର ପ୍ରଜ୍ଞାପନ ମେଢକୁ ଦିଲ୍ଲୀର କର୍ତ୍ତବ୍ୟପଥରେ ସ୍ଥାନ ନମିଳିବା କଥା । ଏଥର ଦିଲ୍ଲୀରେ ଆଉ ଦେଖିବାକୁ ମିଳିବନି ଓଡିଶାର ପ୍ରଜ୍ଞାପନ ମେଢ । ସାଧାରଣ ତନ୍ତ୍ର ଦିବସ ଅବସରରେ ଦିଲ୍ଲୀରକର୍ତବ୍ୟ ପଥରେ ଭଳିକି ଭଳି ପ୍ରଜ୍ଞାପନ ମେଢ ଗଡିଥାଏ । କେନ୍ଦ୍ରର ବିଭିନ୍ନ ସଂସ୍ଥା ଓ ରାଜ୍ୟମାନଙ୍କ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତି କରି ପ୍ରଦର୍ଶିତ କରାଯାଇଥାଏ। କିନ୍ତୁ ଡବଲଇଞ୍ଜିନ ସରକାର ସତ୍ବେ ବି ଏଥର ଦିଲ୍ଲୀ କର୍ତ୍ତବ୍ୟପଥରେ ଗଡିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼। ଓଡ଼ିଶାର ମହାନ କଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିବନି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶା ସରକାରଙ୍କୁ ଏକ ଚିଠି ଆସିଛି । ଯେଉଁଥିରେ କର୍ତ୍ତବ୍ୟପଥରେ ଗଡିବା ପାଇଁ ଚୂଡାନ୍ତ ହୋଇଥିବା ତାଲିକାରେ ଓଡ଼ିଶାର ନାଁ ନାହିଁ। ଅର୍ଥାତ ଓଡ଼ିଶା ପକ୍ଷରୁ ଦିଆଯାଇଥିବା ମଡେଲକୁ ଖାରଜ କରି ଦେଇଛି କେନ୍ଦ୍ର। ଯାହା ଏବେ ବିଜେପିର ପାରିବା ପଣିଆ ଉପରକୁ ପ୍ରଶ୍ନ ସୃଷ୍ଟି କରିଛି ।
ତେବେ ୩ ବର୍ଷର ବ୍ୟବଧାନ ପରେ ପୂର୍ବ ବର୍ଷ ଦିଲ୍ଲୀରେ ଗଡିଥିବା ଓଡିଶାର ପ୍ରଜ୍ଞାପନ ମେଢ ପ୍ରଥମ ସ୍ଥାନ ଅଧିକାର କରିଥିଲା । କିନ୍ତୁ ଚଳିତ ବର୍ଷ ରାଜ୍ୟରେ ଏବଂ କେନ୍ଦ୍ରରେ ଉଭୟ ବିଜେପି ସରକାର ରହିଥିବା ବେଳେ ତଥାପି ଓଡିଶାର ମଡେଲକୁ ସ୍ଥାନ ନମିଳିବା କାରଣରୁ ବିଜେପିକୁ ସମାଲୋଚନା କରାଯାଉଥିବା ବେଳେ କେଉଁଠି ଦ୍ୱନ୍ଦ୍ୱ ରହିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅନ୍ୟପଟେ ଚଳିତ ଥର ଓଡ଼ିଶା ପକ୍ଷରୁ ଶାଢ଼ୀ ହସ୍ତଶିଳ୍ପର ମଡେଲ ପ୍ରଦାନ କରାଯାଇଥିଲା। ମାଣିଆବନ୍ଧଠାରୁ ଆରମ୍ଭ କରି ଓଡ଼ିଶାର ବିଭିନ୍ନ ସ୍ଥାନରେ ତିଆରି ହେଉଥିବା ପାରମ୍ପରିକ ଶାଢ଼ୀକୁ ଏଥିରେ ସ୍ଥାନିତ କରାଯାଇଥିଲା। କିନ୍ତୁ ୧୫ଟି ରାଜ୍ୟରେ ପ୍ରଜ୍ଞାପନ ମେଢକୁ କର୍ତବ୍ୟପଥରେ ଗଡିବା ନେଇ ସ୍ୱୀକୃତି ମିଳିଥିବା ବେଳେ ଓଡିଶା କିନ୍ତୁ ଏଥିରେ ସ୍ଥାନ ପାଇନଥିବା ସୂଚନା ରହିଛି ।