ନିମନ୍ତ୍ରଣ ସତ୍ୱେ ଆସିଲେନି ମୁଖ୍ୟମନ୍ତ୍ରୀ…ନିମନ୍ତ୍ରଣ ନଥାଇ ବି କାମ ଚଳେଇଲେ ମନ୍ତ୍ରୀ । ଗଡକରୀଙ୍କ ପାଇଁ ମହାକାଳପଡାକୁ ଭୁଲିଗଲେ କି ମୋହନ । ହଁ ଆଜ୍ଞା, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନେଇ ପୁଣି ଏକ ଭିନ୍ନ ଚର୍ଚ୍ଚା ଚାଲିଛି । ମହାକାଳ ପଡାରେ ଚାଲିଥିବା ଜମ୍ବୁ ଦ୍ୱୀପ ଉତ୍ସବକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ସତ୍ୱେ ସେ ଯୋଗଦାନ ନକରିବାରୁ ଏପରି ଚର୍ଚ୍ଚା ଚାଲିଛି । ଏବଂ ସବୁଠୁ ରୋଚକ କଥା ହେଉଛି, ମୁଖ୍ୟମନ୍ତ୍ରୀଙ୍କ ବଦଳରେ ମନ୍ତ୍ରୀ ସୂରଜ ସୂଯ୍ୟବଂଶୀ ମୁଖ୍ୟ ଅତିଥିର କାମ ଚଳେଇଥିବା ଦେଖିବାକୁ ମିଳିଛି ।
ତେବେ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମସ୍ତ ପର୍ବ ପର୍ବାଣୀ ସହ ବିଭିନ୍ନ ଉତ୍ସବ ଗୁଡିକରେ ଯୋଗ ଦାନ କରିଥାନ୍ତି । ଏଥିପାଇଁ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଏ । ମୁଖ୍ୟମନ୍ତ୍ରୀ ଆସିବା ନେଇ ଟ୍ରାଫିକ ଠାରୁ ଆରମ୍ଭ କରି ସମସ୍ତ ଆୟୋଜନ ଏବଂ ସିକ୍ୟୁରିଟି ମଧ୍ୟ ଆଲର୍ଟ କରାଯାଇଥାଏା ଆଉ ଏହି ଜମ୍ବଦ୍ୱୀପ ଉତ୍ସବରେ ମୁଖ୍ୟମନ୍ତ୍ରୀ ଆସୁଥିବା ଜାଣି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଅସ୍ଥାୟୀ ହେଲିପ୍ୟାଡ ସହ ବଡ ବଡ ପୋଷ୍ଟର, ଟେଣ୍ଟ ଆଦିର ବଡ ଆୟୋଜନ କରାଯାଇଥିଲା । ଏପରିକି ଜିଲ୍ଲା ସଦର ମହକୁମାରେ ହେବାକୁ ଥିବା ପଲିଶ୍ରୀ ମେଳାକୁ ବି ୫୦ କିଲୋମିଟର ଦୂର ଜମ୍ବୁକୁ ଉଠାଇ ନିଆଗଲା । ହେଲେ ମୁଖ୍ୟମନ୍ତ୍ରୀଙ୍କ ଛାଇ ବି ଏଠାରେ ପଡିଲାନି ।
ଆଉ ମୁଖ୍ୟମନ୍ତ୍ରୀଙ୍କ ପରିବର୍ତେ ନିମନ୍ତ୍ରଣରେ ନାଁ ନଥାଇ ବି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥିର ଦାୟିତ୍ୱ ତୁଲାଇଥିବା ଦେଖିବାକୁ ମିଳିଛି । ଏବଂ ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ମନ୍ତ୍ରୀ ଏବଂ ବିଧାୟକଙ୍କ ପତିଆରାକୁ ନେଇ ଚର୍ଚ୍ଚା ବି ହେଉଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ବର୍ଷା କାରଣରୁ ଉତ୍ସବରେ ସାମିଲ ହୋଇନଥିବା ଦର୍ଶାଇଛନ୍ତି ବିଧାୟକ । କିନ୍ତୁ ଅନେକ ମହଲରେ ଏହି କଥାକୁ ବିଶ୍ୱାସକୁ ନିଆଯାଉନାହିଁ । ଏବଂ ଏହା ପଛରେ ବିଧାୟକଙ୍କ ଅଯୋଗ୍ୟତା ଥିବା ଖୋଦ ଦଳର କର୍ମୀ ଅଭିଯୋଗ ଆଣିବା ସହ ମୁଖ୍ୟମନ୍ତ୍ରୀ କାହିଁକି ଏହି ଉତ୍ସବରେ ଯୋଗ ଦାନ କଲେନି ସେନେଇ ପ୍ରଶ୍ନ ଉଠୁଛି ।