ମୁଖ୍ୟମନ୍ତ୍ରୀ ପଦ ପାଇଁ
ସପ୍ରାଇଜ କାର୍ଡ ଖେଳିବେ ମୋଦି !
କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ଦେବେନ୍ଦ୍ର ଫଡନାଭିସ ନା ଏକନାଥ ସିନ୍ଦେ କାହା ମୁଣ୍ଡରେ ସୁନାକଳସ ଢାଳିବେ ମୋଦି । ମହାରାଷ୍ଟ୍ରରେ ରାହୁଲଙ୍କ ଇଣ୍ଡି ମେଣ୍ଟ ଉପରେ ମୋଦିଙ୍କ ଏନଡିଏ ଭାରି ପଡିବା ପରେ
ଏବଂ ମହାୟୁତି ମେଣ୍ଟ ଜିତିବା ପରଠାରୁ ଏହି ଚର୍ଚ୍ଚା ଲାଗି ରହିଛି । କାରଣ ମହାରାଷ୍ଟ୍ର ମଇଦାନରେ ଦେବେନ୍ଦ୍ର ଫଡନାଭିସ- ଏକନାଥ ସିନ୍ଦେ ଓ ଅଜିତ୍ ପାୱାର ମିଶି ଉଦ୍ଧବ ଠାକରେ-ଶରଦ ପାୱାର ଏବଂ ନାନାପାଟୋଲା ଙ୍କୁ ଚିତପଟାଙ୍ଗ କରିଛନ୍ତି। ସଂଖ୍ୟା ଦୃଷ୍ଟିରୁ ଏଥର ବିଜେପି ସବୁଠୁ ଭଲ ପ୍ରଦର୍ଶନ କରିଛି। ୨୮୮ ବିଧାନସଭା ଆସନ ମଧ୍ୟରୁ ମହାୟୁତି ମେଣ୍ଟକୁ ୨୩୩ ଖଣ୍ଡ ସିଟ୍ ମିଳିଛି । ଯେଉଁଥିରୁ ୧୩୨ ଖଣ୍ଡ ଆସନରେ ବିଜେପି ଏକାକୀ ଜିତିଛି । । ତେଣୁ ବିଜେପିରୁ ହିଁ ଜଣେ ମୁଖ୍ୟମନ୍ତ୍ରୀ ଚେହେରା ହୋଇପାରନ୍ତି ବୋଲି କୁହାଯାଉଛି । ଏବଂ ଏହି ରେସରେ ଦେବେନ୍ଦ୍ର ଫଡନାଭିସ ଆଗରେ ରହିଥିବା ଚର୍ଚ୍ଚା ଚାଲିଛି । କାରଣ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ଜିତିବା ପଛରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଦେବେନ୍ଦ୍ର । ତେଣୁ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିପାରେ ବୋଲି ସମ୍ଭାବନା ଅଧିକ ରହିଛି । ଏପରିକି ଅଜିତ ପାୱାରଙ୍କ ଦଳ ଏନସିପି ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ରାଜି ହୋଇଥିବା କୁହାଯାଉଛି । କିନ୍ତୁ ସିନ୍ଦେ ଶିବିରରେ ଥିବା ବିଧାୟକମାନେ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଥିବା ଚର୍ଚ୍ଚା ଚାଲିଛି । ଯାହା ଏବେ ମୋଦିଙ୍କ ଟେନସନ ବଢାଇଥିବା କୁହାଯାଉଛି । ତେବେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଆସନ୍ତା ନଭେମ୍ବର ୨୬ ତାରିଖରେ ଶେଷ ହେବାକୁ ଯାଉଛି । ତେଣୁ ଏହା ପୂର୍ବରୁ ବିଧାୟକ ଦଳ ବୈଠକ ବସିବା ସହ ୩ ଦଳର ପ୍ରମୁଖ ନେତା ମାନଙ୍କ ସହ ବିଜେପି ହାଇକମାଣ୍ଡ ଆଲୋଚନା କରିବେ ବୋଲି ସୂଚନା ରହିଛି । ଅନ୍ୟପଟେ ଜାତୀୟ ଗଣମାଧମରେ ହେଉଥିବା ଚର୍ଚ୍ଚା ଅନୁସାରେ ମହାରାଷ୍ଟ୍ର୍ରେ ପୁୁରୁଣା ଫର୍ମୁଲାରେ ସରକାର ଗଠନ ହେବା ନେଇ ଆଶଙ୍କା କରାଯାଉଛି । ଓଡିଶା ଭଳି ମହାରାଷ୍ଟ୍ରରେ ନେତାଙ୍କୁ ସନ୍ତୁଷ୍ଟି କରିବା ପାଇଁ ଜଣେ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇପାରନ୍ତି । ଯଦି ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଅଜିତ୍ ପାୱାର ଏବଂ ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି । ତେବେ ଏ ସମ୍ପର୍କରେ ଆଜି ନିଷ୍କର୍ଷ ବାହାରିବା ନେଇ ସୂଚନା ମିଳିଛି । ତେବେ ଦେଖାଯାଉ ୩ ଗୋଷ୍ଠୀ ମଧ୍ୟରୁ କାହାକୁ ମୁଖ୍ୟମନ୍ତ୍ରୀ ଚେୟାର ମିଳୁଛି ଏବଂ କିଏ ନିରାଶ ହେଉଛି ତାହା ଦେଖିବାକୁ ଅପେକ୍ଷା ।