ହଜାର ହଜାର ମହିଳାଙ୍କ ସ୍ୱରରେ ଉଠୁଛି ପଡୁଛି ରାଜଧାନୀ । ରାଜଧାନୀର ରାଜରାସ୍ତାରେ ଜୁଆଡେ ଦେଖିବେ ସିଆଡେ ଖାଲି ମହିଳା । ନୀଳ, ଗୋଲାପି, ସବୁଜ ସାଢୀ ପିନ୍ଧି ରାସ୍ତାରେ ବସିଛନ୍ତି ପ୍ରାୟ ୧୦ ହଜାର ମହିଳା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାନକୁ ଶୁଣାଯାଉନି ମହିଳାଙ୍କ ସ୍ୱର । ଗଣମାଧ୍ୟମ ସାମ୍ନାରେ ଯେଉଁଭଳି ମହିଳାମାନେ ନିଜ ହକ୍ ପାଇଁ , ନିଜ ପରିଶ୍ରମର ଫଳ ପାଇଁ ଚିତ୍କାର କରୁଛନ୍ତି ସେଥିରେ ସାଧାରଣ ଲୋକର ହୃଦୟ ତରଳିଯାଉଛି । କିନ୍ତୁ ବିଜେପି ସରକାର ଏସବୁକୁ ନଜର ଅନ୍ଦାଜ କରୁଛନ୍ତି । ସୋସିଆଲ ମିଡିଆରେ ଆନ୍ତର୍ଜାତୀୟ ହ୍ୟୁମାନ ରାଇଟ୍ ସ ବା ମାନବ ଅଧିକାର ଦିବସର ବଡ ବଡ ପୋଷ୍ଟର ମାରୁଛନ୍ତି । କିନ୍ତୁ ବାସ୍ତବରେ ନିଜ ଅଧିକାର ଏବଂ ହକ୍ ପାଇଁ ରାଜ୍ୟବାସୀଙ୍କୁ ଖାସ କରି ମହିଳାମାନଙ୍କୁ କେତେ ହଇରାଣ ହେବାକୁ ପଡୁଛି ତାହା ତ ଏହି ଚିତ୍ରରୁ ହିଁ ସ୍ପଷ୍ଟ ହୋଇପଡୁଛି ।
ତେବେ ଗତ କିଛି ଦିନ ଧରି ରାଜଧାନୀର ଗାନ୍ଧୀ ମାର୍ଗରେ ମହିଳାମାନଙ୍କ ଅନିଦ୍ଦିଷ୍ଟ କାଳ ଯାଏଁ ଅନଶନ ଜାରି ରହିଛି । ପ୍ରଥମେ ଏସଏଚଜି ଗ୍ରୁପର ମହିଳା ପରେ ମିଶନ ଶକ୍ତିର ମହିଳା ଏବଂ ପରେ ଜିପିଏଲଏଫ ସଂଘର ହଜାର ହଜାର କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇ ଗଣଧାରଣା ଦେଉଛନ୍ତି । ଆଉ ଏବେ ଏଥିରେ ସାମିଲ ହୋଇ ପାଚିକା ମାନେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବର୍ଷକୁ ୧୨ ମାସ ବିନା ଛୁଟିରେ କାମ କରିବା ସତ୍ୱେ ୧୨ ମାସରୁ ୧୦ ମାସ ଦରମା ମିଳୁଛି । କିନ୍ତୁ ମାତ୍ର ୨୦୦୦ ଟଙ୍କା । ଦିନକୁ ଦିନ ଦରଦାମରେ ଅହେତୁକ ବୃଦ୍ଧି ଘଟୁଛି । ଆଉ ଏତେ ମହଙ୍ଗା ମାଡରେ ମାତ୍ର ୨ ହଜାର ଟଙ୍କାରେ ଚଳିବା ଏମାନଙ୍କ ପକ୍ଷେ କଷ୍ଟକର ହୋଇପଡୁଛି । ଯାହାକୁ ନେଇ ମହିଳାମାନେ ଏବେ ପ୍ରତିବାଦର ରାସ୍ତା ଆପଣେଇଛନ୍ତି ।